Categories: ଜାତୀୟ

ଅମ୍ଫନ ପ୍ରସ୍ତୁତି ସମୀକ୍ଷା କଲେ ମୋଦି

ନୂଆଦିଲ୍ଲୀ,୧୮।୫: ଦକ୍ଷିଣ ପୂର୍ବ ବଙ୍ଗୋପସାର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ ହୋଇଥିବା ଲଘୁଚାପ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ମେ ୨୦ରେ ଅପରାହ୍ନରୁ ସନ୍ଧ୍ୟା ଭିତରେ ଏହା ଦୀଘା-ହାତିଆ ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିପାରେ ବୋଲି ସୂଚନା ରହିଛି। ଏହା ପୂର୍ବରୁ କେତେକ ସ୍ଥାନରେ ଝଡ଼, ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଇତିମଧ୍ୟରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ତାଙ୍କ ବାସଭବନରେ ବାତ୍ୟା ଅମ୍ଫନକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବାତ୍ୟା ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା। ଏହି ବାତ୍ୟାରେ ଉଦ୍ଧାର ପାଇଁ ୨୫ ଏନ୍‌ଡିଆରଏଫ୍‌ ଟିମ୍‌ ମୁତୟନ କରାଯାଇଥିବା ବେଳେ ୧୨ଟି ଟିମ୍‌ ପ୍ରସ୍ତୁତ ହୋଇ ରହିଛନ୍ତି। ଏତଦ୍‌ବ୍ୟତୀତ ଦେଶର ଅନ୍ୟାନ୍ୟ ସ୍ଥାନରେ ୨୪ଟି ଏନ୍‌ଡିଆରଏଫ୍‌ ଟିମ୍‌ ପ୍ରସ୍ତୁତ ରହିଥିବା ନେଇ ମୋଦି ସୂଚନା ଦେଇଛନ୍ତି। ଏହି ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତଶାହ, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା, କ୍ୟାବିନେଟ ସଚିବ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Share