ଅମ୍ଫନ ସମୟରେ ଜନ୍ମିତ ଶିଶୁକନ୍ୟାର ଉଜ୍ଜ୍ୱଳ ଭବିଷ୍ୟତ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ବାତ୍ୟା ଅମ୍ଫନ୍‌ ସମୟରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଓଡ଼ିଶାର ଅଗ୍ନିଶମ ବାହିନୀର ଉତ୍ସର୍ଗୀକୃତ ତଥା ମାନବୀୟ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିବା ସହ ଗୁରୁବାର ଟୁଇଟ୍‌ କରି ଏକ ନବଜାତ ଶିଶୁକନ୍ୟାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବାତ୍ୟା ଅମ୍ଫନ୍‌ ସମୟରେ ଜହଁରା ଗାଁର ଜାନକୀ ସେଠୀ(୨୦)ଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୮କୁ ଫୋନ୍‌ କରିଥିଲେ। ମାତ୍ର ବାଟରେ ଗଛ ପଡ଼ିଥିବାରୁ ଆମ୍ବୁଲାନ୍ସ ଆସିପାରି ନ ଥିଲା। ଏନେଇ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ରାସ୍ତାରେ ପଡ଼ିଥିବା ୨୨ଟି ଗଛ କାଟି ଜାନକୀଙ୍କୁ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଜାନକୀ ସେଠାରେ ଏକ କନ୍ୟାସନ୍ତାନକୁ ଜନ୍ମ ଦେଇଥିଲେ। ଉଭୟ ମା’ ଓ ଶିଶୁକନ୍ୟା ସୁସ୍ଥ ଅଛନ୍ତି। ଅମ୍ଫନ ସମୟରେ ଶିଶୁକନ୍ୟା ଜନ୍ମ ହୋଇଥିବାରୁ ଗ୍ରାମବାସୀ ତା’ର ନାଁ ରଖିଛନ୍ତି ଅମ୍ଫାନ୍‌।

Share