ଅଯଥା କଥାରେ ସମୟ ନଷ୍ଟ କରୁଛନ୍ତି ଟ୍ରମ୍ପ: ସୋନମ

ମୁମ୍ବାଇ: ବଲିଉଡ୍‌ ନାୟିକା ସୋନମ କପୁର ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ନେଇ କରିଥିବା ଟୁଇଟ୍‌ ଭାଇରାଲ ହେବାରେ ଲାଗିଛି। ବିଶ୍ୱରେ କରୋନା ମହାମାରୀ ସମସ୍ତଙ୍କ ମୁଣ୍ଡ ବିଗାଡିଥିବା ବେଳେ ଆମେରିକାରେ ଏହା ଏବେ ତାଣ୍ଡବ ରଚିଛି। ଚାଇନାରୁ ଆରମ୍ଭ ହୋଇଥିବା କରୋନା ଏବେ ଆମେରିକାରେ ତା’ର କେନ୍ଦ୍ରସ୍ଥଳ କରି ନେଇଛି। ଆମେରିକାରେ କରୋନା ମୃତ୍ୟୁ ଓ ସଂକ୍ରମିତଙ୍କ ସଂଖ୍ୟା ବେଳକୁ ବେଳ ବୃଦ୍ଧି ପାଉଛି। ହେଲେ ଏହି ସମୟରେ ବ୍ରିଟେନ ରାଜଦମ୍ପତି ପ୍ରିନ୍ସ ହାରୀ ଓ ମେଘାନ ମାର୍କେଲ କାନାଡା ଛାଡି ଆମେରିକା ଚାଲି ଆସିଥିବା ବେଳେ ଆମେରିକା ସେମାନଙ୍କର ସୁରକ୍ଷା ଖର୍ଚ୍ଚ ବହନ କରିବ ନାହିଁ ବୋଲି ଟ୍ରମ୍ପ ଟୁଇଟ୍‌ କରି କହିଥିଲେ। ଏହାକୁ ନେଇ ସୋନମ ରିଟୁଇଟ୍‌ କରି କହିଥିଲେ ଦେଶରେ କରୋନା ମହାମାରୀ କାୟା ବିସ୍ତାର କରି ଚାଲିଥିବା ବେଳେ ଟ୍ରମ୍ପ ଅଯଥା କଥାରେ ସମୟ ନଷ୍ଟ କରୁଛନ୍ତି। କରୋନା ଏବେ ଆମେରିକାର ହଜାର ହଜାର ଲୋକଙ୍କ ଜୀବନ ନେଉଥିବା ବେଳେ ସେଥିରୁ ମୁକୁଳିବା କଥା ଚିନ୍ତା ନ କରି ଟ୍ରମ୍ପ ଅଯଥା କଥା କହୁଛନ୍ତି ବୋଲି ସୋନମ କହିଛନ୍ତି। ସୂଚନାଯୋଗ୍ୟ, ସୋନମ ବେଳେ ବେଳେ ତାଙ୍କର ଏଭଳି ମନ୍ତବ୍ୟ ପାଇଁ ବି ଆସିଥାନ୍ତି ଚର୍ଚ୍ଚାକୁ।

Share