ଅଯୋଗ୍ୟଙ୍କ ସଂଖ୍ୟା ୨୦ ଲକ୍ଷ ଟପିବ: ଭାଜପା

ଭୁବନେଶ୍ୱର,୨୦-୯(ବ୍ୟୁରୋ):ଶାସକ ବିଜେଡି ନିର୍ବାଚନ ଜିତିବା ଓ କ୍ଷମତା ଆପଣେଇବା ପାଇଁ କାଳିଆ ଯୋଜନା ଲାଗୁ କରିଥିଲା ା ଦଳୀୟ କର୍ମୀମାନଙ୍କୁ ହିତାଧିକାରୀ ଚିହ୍ନଟ କରି ଏହି ଯୋଜନା ମାଧ୍ୟମରେ ଟଙ୍କା ବଣ୍ଟାଯାଇଥିଲା ା ଆଉ ଏବେ ନିର୍ବାଚନ ସରିବା ପରେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରି ଅର୍ଥ ଫେରାଇବା କହି ଚାଷୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିବାକୁ ଶାସକ ଦଳ ପ୍ରୟାସ କରୁଛି ବୋଲି ଭାଜପା ଅଭିଯୋଗ କରିଛି। ଏହାସହ କାଳିଆ ଯୋଜନାରେ ୨୦ ଲକ୍ଷରୁ ଅଧିକ ଅଯୋଗ୍ୟ ଟଙ୍କା ହାତେଇଛନ୍ତି। ଯଦି ଏହାର ନିରପେକ୍ଷ ତଦନ୍ତ ନ ହୁଏ ତେବେ ଭାଜପା କୋର୍ଟର ଆଶ୍ରୟ ନେବ ବୋଲି ଭାଜପା ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଚେତାବନୀ ଦେଇଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୃଥ୍ବୀରାଜ କହିଛନ୍ତି ଯେ ଅଯୋଗ୍ୟ ହିତାଧିକାରୀଙ୍କୁ ରାଶନକାର୍ଡ ବଣ୍ଟନ କରି ପରେ ସେମାନଙ୍କୁ ଜେଲ୍‌ ପଠାଇବା ଭଳି ଏବେ କାଳିଆ ଯୋଜନାରେ ଉଦ୍ୟମ କରାଯାଉଛି ା ଯୋଗ୍ୟ ଚାଷୀ ପରିବାର ଆଶଙ୍କା ଭିତରେ ରହିଛନ୍ତି ଯେ କାଳେ ତାଙ୍କୁ ଅଯୋଗ୍ୟ ଘୋଷଣା କରି ଅର୍ଥ ଆଦାୟ କରାଯିବ ନଚେତ୍‌ ଜେଲ୍‌ ପଠାଯିବ ା ଖୋଦ୍‌ ବିଭାଗୀୟ ମନ୍ତ୍ରୀ ଏହି ଯୋଜନାରେ ଦୁର୍ନୀତି ହୋଇଛି ବୋଲି ସ୍ବୀକାର କରିବା ପରେ ଦଳର ମୁଖପାତ୍ର ଏହାକୁ ନେଇ ଭିନ୍ନ ମତ ରଖି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି। ଏହି ଯୋଜନାରେ ହୋଇଥିବା ମହାଦୁର୍ନୀତିର ପର୍ଦ୍ଦାଫାଶ ହେବା ଦରକାର ା ହିତାଧିକାରୀ ତାଲିକାର ତଦନ୍ତ ଏକ ନିରପେକ୍ଷ ଯାଞ୍ଚ ଏଜେନ୍ସି ଦ୍ୱାରା କରାଯିବା ଆବଶ୍ୟକ। ଏହାସହ ନିଜ କ୍ଷମତାକୁ ଅପବ୍ୟବହାର କରି ଅଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରି ରାଜ୍ୟ ରାଜକୋଷରୁ ୧୭୦ କୋଟି ଟଙ୍କା ଅପବ୍ୟୟ କରିଥିବା ବିଭାଗୀୟ ମନ୍ତ୍ରୀ ଓ ସରକାରୀ ଅଫିସରମାନଙ୍କ ସମେତ ମୁଖ୍ୟମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ଆକାଉଣ୍ଟରୁ ଅର୍ଥ ଆଦାୟ କରାଯାଉ। କୃଷିମନ୍ତ୍ରୀ ଅରୁଣ ସାହୁ କହିଥିଲେ, ”କାଳିଆ ଯୋଜନାରେ ୩ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଛନ୍ତି। ସରକାର ସେମାନଙ୍କଠାରୁ ପଇସା ଫେରାଇବେ।“ ହେଲେ ଗତକାଲି କୃଷି ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରି କହିଲା ୩୨ ହଜାର ଅଯୋଗ୍ୟ ଅଛନ୍ତି। ନିର୍ବାଚନ ପୂର୍ବରୁ ଭୋଟ ହାତେଇବା ପାଇଁ କଣ୍ଟିଜେନ୍ସି ଫଣ୍ଡରୁ ଅର୍ଥ ଆଣି ବଣ୍ଟାଯାଇଥିଲା ା ନିରପେକ୍ଷ ତଦନ୍ତ ହେଲେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଅଯୋଗ୍ୟ ହିତାଧିକାରୀ ବାହାରିବେ ବୋଲି ପୃଥ୍ବୀରାଜ କହିଛନ୍ତି।

Share