ଅଯୋଗ୍ୟ ହାତେଇଲେ ଘର

ଧାମନଗର,୨୫।୨(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ବୟାଙ୍ଗଡିହୀ ପଞ୍ଚାୟତରେ ସରକାରୀ ଆବାସ ଯୋଜନାରେ ଅନିୟମିତତା ହୋଇଛି। ବହୁ ଯୋଗ୍ୟ ହିତାଧିକାରୀ ଘର ଖଣ୍ଡେ ଲାଗି ଚାହିଁ ବସିଥିବାବେଳେ ଅଯୋଗ୍ୟମାନେ କୌଶଳ କରି ହାତେଇଥିବା ଅଭିଯୋଗ ହେଉଛି। କିଛିଦିନ ତଳେ ବ୍ଲକ ଭାଜପା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ କରାଯାଇ ଆବଣ୍ଟିତ ଗୃହ ତାଲିକାକୁ ବାଦ୍‌ ଦେଇ ପୁନର୍ବାର ତାଲିକା କରାଯିବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଉ ବୋଲି ଦାବି ହୋଇଥିଲା। ଏହାପରେ ମଧ୍ୟ ନିକଟରେ ତାଲିକା ଘୋଷଣା ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରକାଶ ଯେ, ଗତ ଫନୀ ବାତ୍ୟା ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ଏହି ପଞ୍ଚାୟତର ୧୫ଟି ଓ୍ବାର୍ଡ ଥିବାବେଳେ ମୋଟ ୧୯୧ ଗୃହ ଆସିଥିଲା। ସେଥିମଧ୍ୟରୁ ବୟାଙ୍ଗଡିହି ଓ୍ବାର୍ଡ ପାଇଁ ୧୧୩, ଶିବପୁରକୁ ୫୪, ଗୋଠିଣା ୧୪, ସଲାମପୁର ୫ ଓ ସୟଜାଫର ଲାଗି ୫ ଗୃହ ବଣ୍ଟା ଯାଇଥିଲା। ଶିବପୁର ଓ୍ବାର୍ଡର କମାରବନ୍ଧ ଗ୍ରାମର ଚୈତନ୍ୟ ଚରଣ ମଲ୍ଲିକଙ୍କୁ ୮୧ ବର୍ଷ। ଏକ ଝାଟିମାଟି ଘରେ ତାଙ୍କ ବଡ଼ଭାଇ ଏବଂ ତାଙ୍କ ପରିବାରର ମୋଟ ୧୬ ଜଣ କୁଟୁମ୍ବ ରହୁଛନ୍ତି। ତାଙ୍କ ବଡ଼ଭାଉଜ ପ୍ରେମଲତାଙ୍କୁ ସରକାରଙ୍କ ପକ୍ଷରୁ ରାଶନ କାର୍ଡ ମିଳିଥିବା ବେଳେ ବିଧବା ଭତ୍ତା ମଧ୍ୟ ଦିଆଯାଉଛି। ପ୍ରତିବର୍ଷ ବନ୍ୟାରେ ସେମାନଙ୍କର ଏହି ଘରେ ପାଣି ପଶିଯାଏ। ସେମାନେ ଅନ୍ୟତ୍ର ଆଶ୍ରୟ ନେଇଥାନ୍ତି। ମାତ୍ର ଏହି ପରିବାରକୁ କୌଣସି ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିପାରି ନାହିଁ। ସାଧାରଣ ଆବଣ୍ଟନରେ ନ ହେଲେ ମଧ୍ୟ ଫନୀ ବାତ୍ୟା କୋଟାରେ ଏହି ପରିବାରକୁ ଘର ନ ମିଳିବା ନେଇ ପଞ୍ଚାୟତବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଚଳିତ ଘୋଷିତ ତାଲିକାରେ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳିଛି। ପୂର୍ବରୁ ପରିବାରର ମୁଖ୍ୟଙ୍କ ନାମରେ ଘର ମିଳିଥିବାବେଳେ ସେହି ପରିବାରର ଅନ୍ୟମାନଙ୍କ ନଁାରେ ଏକାଧିକ ଘର ଦିଆଯାଇଛି। ଗୋଟିଏ ପରିବାରରେ ୪ଟି ଗୃହ ମିଳିବା, କୋଠାଘର ଥିବା, ସରକାରୀ ଚାକିରି ଆଦି ଥିବା ବ୍ୟକ୍ତିଙ୍କୁ କିପରି ହିତାଧିକାରୀ ଭାବେ ଚିହ୍ନଟ କରାଗଲା ସେ ନେଇ ପ୍ରଶ୍ନ ଉଠିଛି। ବହୁ ଯୋଗ୍ୟ ହିତାଧିକାରୀ ଜିଲା ପ୍ରକଳ୍ପ ଅଧିକାରୀ ଏବଂ ଜିଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ଘୋଷିତ ତାଲିକାକୁ ରଦ୍ଦ କରି ପୁନର୍ବାର ତଦନ୍ତ କରାଯାଇ ଘର ବାଣ୍ଟିବାକୁ ଦାବି କରାଯାଇଛି। ଏ ଦିଗରେ ତୁରନ୍ତ କୌଣସି ପଦକ୍ଷେପ ନିଆ ନ ଗଲେ କୋର୍ଟଙ୍କ ଆଶ୍ରୟ ନେବେ ବୋଲି ଯୋଗ୍ୟ ହିତାଧିକାରୀମାନେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଡିଓ ଦୁର୍ଗାଚରଣ ମୁର୍ମୁଙ୍କୁ ଯୋଗାଯୋଗ କରିବାରୁ ଅଭିଯୋଗର ତଦନ୍ତ କରାଯାଇ ଅଯୋଗ୍ୟଙ୍କୁ ବାଦ୍‌ ଦିଆଯିବ ଓ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯିବ ବୋଲି କହିଛନ୍ତି।

Share