Categories: ଜାତୀୟ

ଅଯୋଧ୍ୟାର ଶହନଓ୍ବାଁ ଗାଁରେ ମସଜିଦ୍‌ ନିର୍ମାଣ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୧: ସୁନ୍ନୀ ଓ୍ବାକଫ୍‌ ବୋର୍ଡକୁ ମସଜିଦ୍‌ ନିର୍ମାଣ ପାଇଁ ଅଯୋଧ୍ୟାରେ ୫ ଏକର ଜମି ଯୋଗାଇ ଦେବାକୁ ସୁପ୍ରିମ୍‌କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ଜମି ୧୪ କୋସୀ ପରିକ୍ରମା କ୍ଷେତ୍ର ବାହାରେ ଶହନଓ୍ବାଁ ଗାଁରେ ଦେବାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସେହାଓ୍ବଲ ବିକାପୁର ଏବଂ ସଦର ତହସିଲ୍‌ ଅଞ୍ଚଳରେ ମଧ୍ୟ ମସଜିଦ୍‌ ନିର୍ମାଣ ପାଇଁ ଜମି ଯୋଗାଡ଼ରେ ରାଜସ୍ବ ବିଭାଗ ପକ୍ଷରୁ ଉଦ୍ୟମ ହେଇଛି। ଶହନଓ୍ବାଁ ଗାଁରେ ମସଜିଦ୍‌ ନିର୍ମାଣ ଲାଗି ଜମି ଦେବାକୁ ୧୯୯୦-୯୧ରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂଙ୍କ କାର୍ଯ୍ୟକାଳ ସମୟରେ ହୋଇଥିବା ହିନ୍ଦୁ-ମୁସଲମାନ୍‌ ଆଲୋଚନାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏହି ଗାଁରେ ବାବରୀ ମସଜିଦ୍‌ ନିର୍ମାଣ କରିଥିବା ମୀର୍‌ ବାକିଙ୍କ କବର ରହିଥିବା କୁହାଯାଉଛି। ବାବରୀ ମସଜିଦ୍‌ର ରକ୍ଷାଣବେକ୍ଷଣ ଦାୟିତ୍ୱ ଏହି ଗାଁର ଶିହା ମୁସଲମାନ୍‌ ସମ୍ପ୍ରଦାୟର ରଜ୍ଜବ ଅଲ୍ଲୀ ଏବଂ ତାଙ୍କ ପୁଅ ମହମ୍ମଦ ଅସଗରଙ୍କୁ ପ୍ରଦାନ କରାଯାଇଥିଲା। ସେଥିଲାଗି ବ୍ରିଟିଶ୍‌ ସରକାରଙ୍କ ପକ୍ଷରୁ ୩୦୨ ଟଙ୍କା ୬ ଅଣା ଦିଆ ଯାଉଥିଲା। ସୁନ୍ନୀ ଓ୍ବାକଫ୍‌ ବୋର୍ଡ ପକ୍ଷରୁ ଏ ସମ୍ପର୍କରେ ସୁପ୍ରିମ୍‌କୋର୍ଟରେ କୁହାଯାଇଥିଲା।

Share