ନୂଆଦିଲ୍ଲୀ,୧୦ା୭ (ପି.ଟି.): ଅଯୋଧ୍ୟା ଜମି ବିବାଦର ସମାଧାନ ଲାଗି ସୁପ୍ରିମକୋର୍ଟ ପକ୍ଷରୁ ମଧ୍ୟସ୍ଥ ନିଯୁକ୍ତ କରାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଏହାର ଫଇସଲା ହୋଇପାରି ନାହିଁ। ଏନେଇ ରାମ ଜନ୍ମଭୂମି-ବାବ୍ରୀ ମସ୍ଜିଦ ଜମି ବିବାଦ ମାମଲାର ଏକ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ମାମଲାର ଶୀଘ୍ର ଶୁଣାଣି କରିବାକୁ ମଙ୍ଗଳବାର ଆବେଦନ କରିଛନ୍ତି। ଅଦାଲତ ଏହାକୁ ଗ୍ରହଣ କରିବା ସହ ଉଚିତ ସମାଧାନ ପନ୍ଥା ମଧ୍ୟସ୍ଥ କରିପାରିବେ ବୋଲି କହିଛନ୍ତି। ଆବେଦନକାରୀ ଗୋପାଳ ସିଂ ବିଶାରଦ ମାମଲାର ଶୀଘ୍ର ଶୁଣାଣି ଲାଗି କହିଥିବାବେଳେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହା ଗ୍ରହଣ କରିଛନ୍ତି।
ଖଣ୍ଡପୀଠ ମେ ୧୦ରେ ମଧ୍ୟସ୍ଥଙ୍କୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ସମୟ ବୃଦ୍ଧିକରି ମାମଲାର ସମାଧାନ ବାଟ ବାହାର କରିବାକୁ କହିଥିଲେ। ପୂର୍ବତନ ବିଚାରପତି ଏଫ୍. ଏମ୍. କଲିଫୁଲ୍ଲାଙ୍କ ନେତୃତ୍ୱରେ ତିନିଜଣିଆ ମଧ୍ୟସ୍ଥ କମିଟି ଗଠନ କରାଯାଇଥିଲା। ଏଥିରେ ଆର୍ଟ ଅଫ୍ ଲିଭିଂର ପ୍ରତିଷ୍ଠାତା ତଥା ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଓ ବରିଷ୍ଠ ଓକିଲ ଶ୍ରୀରାମ ପଞ୍ଚୁ ସ୍ଥାନ ପାଇଥିଲେ।
Posted inଜାତୀୟ