Categories: ଜାତୀୟ

ଅଯୋଧ୍ୟା ମାମଲାରେ ହିନ୍ଦୁ ପକ୍ଷଙ୍କ ଯୁକ୍ତି: ଐତିହାସିକ ଭୁଲ୍‌ର ସଂଶୋଧନ ଆବଶ୍ୟକ

ନୂଆଦିଲ୍ଲୀ,୧୬ା୧୦(ପି.ଟି.): ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ମାମଲାରେ ମଙ୍ଗଳବାର ହିନ୍ଦୁ ପକ୍ଷ ସୁପ୍ରିମକୋର୍ଟରେ ସେମାନଙ୍କ ଯୁକ୍ତି ରଖିଥିଲେ। ଅଯୋଧ୍ୟାରେ ଭଗବାନ ରାମଙ୍କ ଜନ୍ମସ୍ଥାନରେ ସମ୍ରାଟ ବାବର ମସ୍‌ଜିଦ ନିର୍ମାଣ କରି ଯେଉଁ ଐତିହାସିକ ଭୁଲ୍‌ କରିଛନ୍ତି, ତାହାର ସଂଶୋଧନ ହେବା ଆବଶ୍ୟକ ବୋଲି ହିନ୍ଦୁ ପକ୍ଷର ଓକିଲ କହିଥିଲେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠରେ ହିନ୍ଦୁ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ପୂର୍ବତନ ଆଟର୍ନି ଜେନେରାଲ ତଥା ବରିଷ୍ଠ ଆଇନଜୀବୀ କେ. ପରାସରନ କହିଥିଲେ, ଅଯୋଧ୍ୟାରେ ଅନେକ ମସ୍‌ଜିଦ ରହିଛି। ସେଠାରେ ମୁସଲମାନମାନେ ନମାଜ ପାଠ କରିପାରିବେ। କିନ୍ତୁ ଭଗବାନ ରାମଙ୍କ ଜନ୍ମସ୍ଥାନକୁ ହିନ୍ଦୁମାନେ ପରିବର୍ତ୍ତନ କରିପାରିବେ ନାହିଁ ବୋଲି ସେ ଯୁକ୍ତି ଦର୍ଶାଇଥିଲେ।
ବାବର ଭାରତକୁ ନିଜ ଶାସନାଧୀନକୁ ନେବା ପରେ ନିଜକୁ ଆଇନର ଊର୍ଦ୍ଧ୍ୱରେ ବୋଲି ଦର୍ଶାଇବା ପାଇଁ ରାମଙ୍କ ଜନ୍ମସ୍ଥାନରେ ମସ୍‌ଜିଦ ନିର୍ମାଣ କରିଥିଲେ ବୋଲି ପରାସରନ କହିଥିଲେ। ସାମ୍ବିଧାନିକ ପୀଠରେ ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ, ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଏସ୍‌.ଏ. ନାଜିର ରହିଛନ୍ତି। ଅଯୋଧ୍ୟାର ୨.୭୭ ଏକର ବିବାଦୀୟ ଜମିରୁ କିପରି ମୁସଲମାନମାନଙ୍କୁ ବେଦଖଲ କରାଯିବ ବୋଲି ସେମାନେ ପରାସରନଙ୍କୁ ପ୍ରଶ୍ନ କରିଥିଲେ। ୧୯୯୨ ଡିସେମ୍ବର ୬ରେ ବାବ୍ରୀ ମସ୍‌ଜିଦକୁ ଭାଙ୍ଗିଦିଆଯାଇଥିଲା। ଏକଦା ମସ୍‌ଜିଦ ଥିବାରୁ ସେଠାରେ ସବୁଦିନ ପାଇଁ ମସ୍‌ଜିଦ ରହିଛି ବୋଲି ଧରାଯିବ। ଏଥିରେ ଏକମତ କି ବୋଲି ପରାସରନଙ୍କୁ ସାମ୍ବିଧାନିକ ପୀଠ ପ୍ରଶ୍ନ କରିଥିଲେ। ସେ ଏହାକୁ ସମର୍ଥନ କରନ୍ତି ନାହିଁ। ମସ୍‌ଜିଦ ପୂର୍ବରୁ ସେଠାରେ ମନ୍ଦିର ଥିବାରୁ ସବୁବେଳେ ଏହାକୁ ମନ୍ଦିର ଭାବେ ଧରାଯିବ ବୋଲି ସେ ଜବାବ ରଖିଥିଲେ। ବିବାଦୀୟ ସ୍ଥାନରେ ଏବେ ମନ୍ଦିର କିମ୍ବା ମସ୍‌ଜିଦ ନାହିଁ। ମୁସଲମାନ ପକ୍ଷ ସମ୍ପତ୍ତି ଉପରେ ଡିକ୍ରୀ ଘୋଷଣା ଲାଗି ଯୁକ୍ତି କରିଆସୁଛନ୍ତି ବୋଲି ଅଦାଲତ କହିଥିଲେ। ଏହିପରି ପରାସରନଙ୍କୁ ସେମାନେ ଏକାଧିକ ପ୍ରଶ୍ନ କରିବା ପରେ ହିନ୍ଦୁ ପକ୍ଷଙ୍କୁ ଯଥେଷ୍ଟ ପ୍ରଶ୍ନ କରାଗଲା କି ବୋଲି ସିଜେଆଇ ମୁସଲମାନ ପକ୍ଷର ଓକିଲ ରାଜୀବ ଧାଓ୍ବନଙ୍କୁ ପଚାରିଥିଲେ। ସୂଚନାଯୋଗ୍ୟ ସୋମବାର ଶୁଣାଣି ବେଳେ ହିନ୍ଦୁ ପକ୍ଷଙ୍କୁ ପ୍ରଶ୍ନ କରାଯାଉ ନ ଥିବା ଧାଓ୍ବନ ଅଭିଯୋଗ କରିଥିଲେ।

Share