Categories: ଜାତୀୟ

ଅଯୋଧ୍ୟା ରାୟ ପରେ ୯୦ ଗିରଫ

ଲକ୍ଷ୍ନୌ/ନୂଆଦିଲ୍ଲୀ,୧୧ା୧୧: ସୁପ୍ରିମକୋର୍ଟ ଅଯୋଧ୍ୟା ରାୟ ଦେବା ପରଠୁ ପ୍ରାୟ ୯୦ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୮ ହଜାରରୁ ଊର୍ଦ୍ଧ୍ୱ ପୋଷ୍ଟ ସୋସିଆଲ ମିଡିଆରୁ ହଟାଯାଇଛି। ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେବାର ଆଶଙ୍କା ଥିବାରୁ କୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ପାଇଁ ଅଯୋଧ୍ୟାରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଇତିମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ବିଭିନ୍ନ ମୁଖ୍ୟମନ୍ତ୍ରୀମାନଙ୍କୁ ଫୋନ୍‌ କରି ନିଜ ନିଜ ରାଜ୍ୟରେ ଶାନ୍ତି ସୁନିଶ୍ଚିତ କରିବା ଲାଗି ପରାମର୍ଶ ଦେଇଛନ୍ତି।
ସୂଚନାନୁସାରେ ଫେସ୍‌ବୁକ୍‌, ଟୁଇଟର୍‌ ଓ ୟୁ ଟ୍ୟୁବ୍‌ ଭଳି ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟିଂ କରି ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି କରିବା ଅଭିଯୋଗରେ କେବଳ ଉତ୍ତରପ୍ରଦେଶରେ ପୋଲିସ ୭୭ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୪୦ ଜଣ ରବିବାର ଗିରଫ ହୋଇଛନ୍ତି। ୮,୨୭୫ ପୋଷ୍ଟିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମଧ୍ୟପ୍ରଦେଶର ସେଓନିରେ ୮ ଓ ଗ୍ବାଲିୟରରେ ୨ ଜଣ ଗିରଫ ହୋଇଛନ୍ତି।
ଅନ୍ୟପକ୍ଷରେ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ନେଇ ଉଲ୍ଲସିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଅଯୋଧ୍ୟାର ବିଭିନ୍ନ ମନ୍ଦିରରେ ଦେଖିବାକୁ ମିଳିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେମାନେ ବିଭିନ୍ନ ମନ୍ଦିର ଯାଇ ପୂଜାର୍ଚ୍ଚନା କରୁଛନ୍ତି।

Share