ଅଯୋଧ୍ୟା ରାୟ ପୂର୍ବରୁ ୟୁପିକୁ ସତର୍କ କରାଇଲା କେନ୍ଦ୍ର

ନୂଆଦିଲ୍ଲୀ,୭ା୧୧(ଆଇଏଏନ୍‌ଏସ୍‌): ଆସନ୍ତା ସପ୍ତାହରେ ବହୁପ୍ରତୀକ୍ଷିତ ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ପ୍ରକାଶ ପାଇବା ଆଶା କରାଯାଉଥିଲାବେଳେ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସତର୍କ କରିଦିଆଯାଇଛି। ଅଯୋଧ୍ୟାର ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାର କହିଛନ୍ତି। ସପ୍ରିମକୋର୍ଟଙ୍କ ରାୟ ପରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେବା ଆଶଙ୍କାରେ ଅଯୋଧ୍ୟା ଏକପ୍ରକାର ସେନା ଛାଉଣୀରେ ପରିଣତ ହୋଇଛି। ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବା ଗୋଇନ୍ଦା ସୂଚନା ମିଳିବା ପରେ ଗତ ସପ୍ତାହରେ ସ୍ବରାଷ୍ଟ୍ର ସଚିବ ଅଜୟ କୁମାର ଭାଲା ସର୍ବାଧିକ ପୋଲିସ ବଳ ମୁତୟନ ଲାଗି ନିର୍ଦ୍ଦେଶ ଦେଇଥିଲେ। ଗୁଜବ ରୋକିବା ଲାଗି ସୋସିଆଲ ମିଡିଆ ଉପରେ କଟକଣା ଲଗାଇବା ସହିତ ରାଜ୍ୟର ଅନ୍ୟ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ ମଧ୍ୟ କଡ଼ା ନଜର ରଖିବାକୁ କୁହାଯାଇଛି।
ଗୋଇନ୍ଦା ସୂଚନା ଅନୁଯାୟୀ ନେପାଳ ସୀମା ଦେଇ ଉତ୍ତରପ୍ରଦେଶରେ ୬ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ପ୍ରବେଶ କରିଛନ୍ତି। ଲଶ୍କର-ଇ-ତୋଇବା ଏବଂ ହିଜବୁଲ୍‌ ମୁଜାହିଦ୍ଦିନର ପାକିସ୍ତାନୀ ପରିଚାଳକଙ୍କ ନିର୍ଦ୍ଦେଶରେ ସେମାନେ ଆତଙ୍କ ସୃଷ୍ଟି ଲାଗି ଉଦ୍ୟମ କରିପାରନ୍ତି। ସେମାନେ ହିନ୍ଦୁ ଛଦ୍ମବେଶରେ ଅଯୋଧ୍ୟା କିମ୍ବା ଏହାର ଆଖପାଖ ସହରରେ ଆତ୍ମଗୋପନ କରିଥାଇପାରନ୍ତି ବୋଲି ଗୋଇନ୍ଦା ବିଭାଗ ଆଶଙ୍କା କରିଛି।

Share