Categories: ଜାତୀୟ

ଅରୁଣ ଜେଟଲୀ: ଛାତ୍ରନେତାରୁ ଅର୍ଥମନ୍ତ୍ରୀ; ୪୫ ବର୍ଷର ରାଜନୈତିକ ଜୀବନ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଶନିବାର ପରଲୋକ ହୋଇଛି। ୧୯୫୨ ଡିସେମ୍ବର ୨୮ରେ ସେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତା ରତ୍ନପ୍ରଭା ଏବଂ ପିତା କିଶନ ଜେଟଲୀ ପୁଅ ଜନ୍ମ ନେଇ ବେଶ୍‌ ଆନନ୍ଦିତ ଥିଲେ। ପିତା ପେଶାରେ ଜଣେ ଆଇନଜୀବୀ ଥିଲେ। ସେ ଅରୁଣ ତାଙ୍କ ପେଶାରେ ସାମିଲ୍‌ ହୁଅନ୍ତୁ ବୋଲି ଚାହୁଁଥିଲେ। ପରେ ଅରୁଣଙ୍କ ପ୍ରାଥମିକ ଶିକ୍ଷା ଦିଲ୍ଲୀର ସେଣ୍ଟ ଜାଭିୟର୍ସ ସ୍କୁଲରେ ଆରମ୍ଭ ହୋଇଥିଲା। ଏହାପରେ ୧୯୭୩ରେ ଅରୁଣ ଦିଲ୍ଲୀର ଶ୍ରୀରାମ କଲେଜ ଅଫ କମର୍ସରେ ଅଧ୍ୟୟନ କରିଥିଲେ। ଏହାପରେ ସ୍ନାତକ ଡିଗ୍ରୀ ହାସଲ ପରେ ୧୯୭୭ରେ ଆଇନରେ ଡିଗ୍ରୀ ନେଇଥିଲେ। ତାଙ୍କର ଦୀର୍ଘ ୪୫ ବର୍ଷର ରାଜନୈତିକ ଜୀବନ କଲେଜରୁ ହିଁ ଜଣେ ଛାତ୍ର ନେତା ଭାବେ ଆରମ୍ଭ ହୋଇଥିଲା। ୧୯୭୪ରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସଭାପତି ହୋଇଥିଲେ। ଏହାପରେ ୧୯୯୧ରେ ଭାଜପା କାର୍ଯ୍ୟକାରିଣୀର ସଦସ୍ୟ ହୋଇଥିଲେ। ୧୯୯୯ ଲୋକ ସଭା ନିର୍ବାଚନ ପୂର୍ବରୁ ଅରୁଣଙ୍କୁ ଭାଜପା ପ୍ରବକ୍ତା ଭାବେ ନିଯୁକ୍ତ କରାଯାଇଥିଲା। ୧୯୯୯ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସେ ସୂଚନା ପ୍ରସାରଣ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ବାଜପେୟୀ କ୍ୟାବିନେଟ୍‌ରୁ ରାମ ଜେଠାମାଳିନୀଙ୍କ ଇସ୍ତଫା ପରେ ୨୦୦୦ ଜୁଲାଇ ୨୩ରେ ଅରୁଣଙ୍କୁ ଅତିରିକ୍ତ ଭାବେ ଆଇନ ବିଭାଗର ଦାୟିତ୍ୱ ପ୍ରଦାନ କରାଯାଇଥିଲା। ୨୦୦୩ ଜାନୁୟାରୀ ୨୯ରେ ସେ ବାଣିଜ୍ୟ, ଉଦ୍ୟୋଗ ଏବଂ ଆଇନ ମନ୍ତ୍ରୀ ଦାୟିତ୍ୱ ବହନ କରିଥିଲେ। ୨୦୦୪ ଲୋକ ସଭା ନିର୍ବାଚନରେ ଭାଜପାର ପରାଜୟ ପରେ ଅରୁଣଙ୍କୁ ଭାଜପା ମହାସଚିବ ପଦ ମିଳିଥିଲା। ୨୦୦୯ରେ ରାଜ୍ୟ ସଭାରେ ସେ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରରେ ୨୦୧୪ ମେ ୨୬ରେ ସେ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨୦୧୮ରେ ସେ ଉତ୍ତରପ୍ରଦେଶରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ତେବେ ୨୦୧୯ରେ ଲୋକ ସଭା ନିର୍ବାଚନ ପୂର୍ବରୁ କୌଣସି ଦାୟିତ୍ୱ ବହନ କରିବାକୁ ଅବା ନିର୍ବାଚନ ଲଢ଼ିବାକୁ ମନା କରିଥିଲେ। ନିଜର ସ୍ବାସ୍ଥ୍ୟଗତ କାରଣରୁ ସେ ଏଭଳି ନିଷ୍ପତ୍ତି ନେଇଥିଲେ।

Share