ନୂଆଦିଲ୍ଲୀ,୨୭।୮: ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମର ନାଁ ବଦଳାଯାଇ ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟଲୀଙ୍କ ନାମରେ ନାମିତ ହେବ। ଫିରୋଜ ଶାହ କୋଟଲା ପରିବର୍ତ୍ତେ ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମ ରଖାଯିବ ବୋଲି ଦିଲ୍ଲୀ ଏବଂ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ(ଡିଡିସିଏ) ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଜେଟଲୀଙ୍କ ସ୍ମୃତିରେ ଆସୋସିଏଶନ ଏଭଳି ପଦକ୍ଷେପ ନେଇଛି। ଏହି ଅବସରରେ ଷ୍ଟାଡିୟମର ଏକ ଷ୍ଟାଣ୍ଡକୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନାମରେ ନାମିତ କରାଯିବ। ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ଜବାହରଲାଲ ନେହେରୁ ଷ୍ଟାଡିୟମରେ ହେବାକୁ ଥିବା ଏକ ଭବ୍ୟ ସମାରୋହରେ ଷ୍ଟାଡିୟମର ପୁନଃନାମକରଣ କରାଯିବ। ସୂଚନାଯୋଗ୍ୟ, ଜେଟଲୀ ଦିଲ୍ଲୀ କ୍ରିକେଟ ଆସୋସିଏଶନର ପୂର୍ବତନ ସଭାପତି ଥିଲେ।