ଅର୍ଜୁନପୁର ଜଙ୍ଗଲ ରାସ୍ତାରେ ଦୁର୍ବୃତ୍ତଙ୍କ ଦୌରାତ୍ମ

ସୋନପୁର,୧୪।୯(ନି.ପ୍ର.)
ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଅର୍ଜୁନପୁର ଜଙ୍ଗଲ ରାସ୍ତାରେ ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି। ରାତିରେ ଏକ ଗ୍ୟାଙ୍ଗ ଲାଠି ଧରି ଯାନବାହାନ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ଗାଡି ନ ଅଟକିଲେ ଟେକା ପଥର ମାଡ କରାଯାଉଛି। ଏଥିଯୋଗୁଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। କିନ୍ତୁ ଏହା ମଦ୍ୟପଙ୍କ କାମ କହି ପୋଲିସ ଘଟଣାକୁ ବେଶ୍‌ ହାଲୁକା ଭାବେ ନେଉଛି। ଗୁରୁବାର ରାତିରେ କେତେକ ଦୁର୍ବୃତ୍ତ ରାସ୍ତା ଉପରକୁ ଆସି ଏକ ବୋଲେରୋକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ଡ୍ରାଇଭର ଗାଡି ଅଟକାଇ ନ ଥିଲେ। ପରେ ଏକ ଆମ୍ବୁଲାନ୍ସକୁ ଅଟକାଇ ଥିଲେ। ଡ୍ରାଇଭର ଦ୍ରୁତ ଗତିରେ ଗାଡି ଚଳାଇବାରୁ ଦୁର୍ବୃତ୍ତମାନେ ଟେକା ପଥର ମାଡ କରି ଗାଡି କାଚ ଭାଙ୍ଗି ଦେଇଥିଲେ। ସେହିପରି ନୂଆପଡା ଜିଲାଖରିଆରରୁ ବରହମପୁର ଯାଉଥିବା ଉମାକାନ୍ତ ନାମକ ଯାତ୍ରୀବାହୀ ବସ୍‌କୁ ଅଟକାଇବାକୁ ଚେଷ୍ଟା କରି ପଥର ମାଡ କରାଯାଇଥିଲା। ଏହି ବସ୍‌ର ପଛ ପଟ କାଚ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। କେତେକଙ୍କ ଭିଆଇପି ଗାଡିକୁ ମଧ୍ୟ ପଥର ମାଡ ହୋଇଥିଲା। ବରଗଡ ଜିଲା ପଦ୍ମପୁରରୁ ବରହମପୁର ଯାଉଥିବା ବଡପଣ୍ଡା ନାମକ ବସ୍‌କୁ ମଧ୍ୟ ପଥର ମାଡ ହୋଇଥିଲା। ପ୍ରାୟ ୪୫ ମିନିଟ୍‌ ଧରି ଏହି ରାସ୍ତାରେ ଦୁର୍ବୃତ୍ତଙ୍କ ରାଜ ଚାଲିଥିଲା। ଭୟରେ ରାସ୍ତାରେ ଯାନବହାନ ଚଳାଚଳ ବନ୍ଦ ରହିଥିଲା। ଉତ୍ତ୍ୟକ୍ତ ଲୋକେ ପୋଲିସର ଦୃଷ୍ଟି ଆକର୍ଷଣ କରିବା ପାଇଁ ରାସ୍ତା ଉପରେ ଗାଡି ମୋଟର ଛିଡା କରି ହୋହଲ୍ଲା କରିଥିଲେ। ବଲାଙ୍ଗୀରରୁ ଭୁବନେଶ୍ୱର ଯାଉଥିବା ଯାତ୍ରୀବାହୀ ବସ୍‌ଗୁଡିକ ଛିଡା ହୋଇ ରହିଥିଲା। ସୋନପୁର ଏସଡିପିଓ ମିହିର କୁମାର ପଣ୍ଡାଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ବା ବେଳକୁ ଦୁର୍ବୃତ୍ତମାନେ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ। ପଛପଟ କାଚ ଭାଙ୍ଗିଥିବା ଉମାକାନ୍ତ ନାମକ ଯାତ୍ରୀବାହୀ ବସ୍‌ ସୋନପୁର ଥାନା ସମ୍ମୁଖରେ ରାତିରେ ଅଧାଘଣ୍ଟା ଛିଡା ହେବା ପରେ ଯାତ୍ରୀଙ୍କୁ ନେଇ ବହହମପୁର ଅଭିମୁଖେ ଯାଇଥିଲା। ଏସ୍‌ପି ଦେବୀପ୍ରସାଦ ଦାଶ ଓ ସୋନପୁର ଆଇଆଇସି ଲୋକେଶ କୁମାର ସାହୁ ଏବେ ଛୁଟିରେ ଅଛନ୍ତି। ଏଭଳି ସ୍ଥିତିରେ ଦୁର୍ବୃତ୍ତଙ୍କ ଦୌରାତ୍ମ ବୃଦ୍ଧି ପାଇଛି। ଅର୍ଜୁନପୁର ଜଙ୍ଗଲ ରାସ୍ତାରେ ରାତିରେ ଯାତାୟାତ କରିବାକୁ ଲୋକେ ନିରାପଦ ମଣୁନାହାନ୍ତି। ରାତ୍ରିକାଳୀନ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯିବାକୁ ଦାବି ହେଉଛି। ଅନ୍ୟପକ୍ଷେ ଗୁରୁବାର ରାତି ଘଟଣା ସମ୍ପର୍କରେ ସୋନପୁର ଥାନା ସହିତ ଯୋଗାଯୋଗ କରିବାରୁ କୌଣସି ଲିଖିତ ଅଭିଯୋଗ ନଥିବା ପୋଲିସ ସଫେଇ ଦେଇଛି।