Categories: ବାଣିଜ୍ୟ

ଅର୍ଜୁନ ତେନ୍ଦୁଲକରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ

ମୁମ୍ବାଇ, ୧୫ା୫ (ପି.ଟି.)-ମୁମ୍ବାଇ ଟି୨୦ ଲିଗ୍‌ରେ ମଙ୍ଗଳବାର ଖେଳାଯାଇଥିବା ଏକ ମ୍ୟାଚରେ ଅର୍ଜୁନ ତେନ୍ଦୁଲକର ଅଲ୍‌ରାଉଣ୍ଡ ପ୍ରଦର୍ଶନ କରିଥିବାବେଳେ ତାଙ୍କ ଦଳ  ଆକାଶ ଟାଇଗର୍ସ ମୁମ୍ବାଇ ଓ୍ବେଷ୍ଟର୍ନ ସବ୍‌ଅର୍ବ ୫ ଉଇକେଟରେ ଟ୍ରିମ୍ଫ୍‌ ନାଇଟ୍‌ ମୁମ୍ବାଇ ନର୍ଥ ଇଷ୍ଟ ଦଳକୁ ହରାଇ ଦେଇଛନ୍ତି।  ମୁମ୍ବାଇ ଟି୨୦ ଲିଗ୍‌ରେ ପ୍ରଥମ ଥର ଖେଳୁଥିବା କ୍ରିକେଟ ଆଇକନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ମ୍ୟାଚରେ ୨୩ରନ ସଂଗ୍ରହ କରିଥିବାବେଳେ ଗୋଟିଏ ଉଇକେଟ ଅକ୍ତିଆର କରିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଟ୍ରିମ୍ଫ୍‌ ନାଇଟ୍ସକୁ ୧୪୭/୬ରେ ସୀମିତ ରଖିବା ପରେ ଆକାଶ ଟାଇଗର୍ସ ବିଜୟ ଲକ୍ଷ୍ୟକୁ ୩ଟି ବଲ୍‌ ବାକି ଥାଇ ହାସଲ କରିନେଇଥିଲା। ଓପନର ଆକର୍ଷିତ ଗୋମେଲ (୪୧) ଏବଂ କୌସ୍ତଭ ପାଓ୍ବାର (୩୪; ୫ଚୌକା) ପାର୍ଟନରଶିପ୍‌ରେ ୬୭ ରନ ଯୋଗ କରି ଦଳକୁ ଭଲ ଆରମ୍ଭ ଦେଇଥିଲେ। ପ୍ରଥମ ଡାଉନ୍‌ରେ ବ୍ୟାଟିଂ କରିବାକୁ ଆସିଥିବା ଅର୍ଜୁନ ଆଉଟ ହେବା ପୂର୍ବରୁ ୧୯ ବଲ୍‌ରୁ ୨୩ ରନ କରିଥିଲେ। ପରେ ଡି. ସୁବ୍ରମଣ୍ୟମ ଏବଂ ଯୋଗେଶ ପାଓ୍ବାର ଆଉ କୌଣସି କ୍ଷତି ନ ଘଟାଇ ଦଳକୁ ବିଜୟୀ କରାଇଥିଲେ। ପୂର୍ବରୁ ଟ୍ରିମ୍ଫ୍‌ ନାଇଟ୍‌ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ୫୬ ବଲ୍‌ରୁ ଅପରାଜିତ ୯୦ ରନ ସହାୟତାରେ ୬ଉଇକେଟ ବିନିମୟରେ ୧୪୭ ରନ କରିଥିଲା। ସେ ତାଙ୍କ ଅପରାଜିତ ଇନିଂସରେ ୭ ଛକା ଓ ୪ ଚୌକା ଲଗାଇଥିଲେ। ସେ  ଜୋର୍‌ଦାର ପ୍ରହାର ସହ ବିପକ୍ଷ ଦଳର ବୋଲର ମିନାଦ ମଞ୍ଜ୍ରେକର (୧/୪୮)ଙ୍କୁ ହତାଶ କରିଥିଲେ। ଅନ୍ତିମ ଓଭରରେ ୪ ଛକା ଏବଂ ଗୋଟିଏ ଚୌକା ସହ ୨୮ ରନ ସଂଗ୍ରହ କରିଥିଲେ। ଟ୍ରିମ୍ଫ୍‌ ନାଇଟ୍‌ର ଆରମ୍ଭ ନିରୁତ୍ସାହଜନକ ଥିଲା। ଦଳ ଏକଦା ୩୮ରନରେ ୩ଟି ଉଇକେଟ ହରାଇ ବ୍ୟାଟିଂ ସଂକଟରେ ପଡ଼ିଥିଲା। ଅଧିନାୟକ ଯାଦବ ଏବଂ ବିନାୟକ ଭୋଇର (୧୩) ପାର୍ଟନରଶିପ୍‌ରେ ୪୧ରନ ଯୋଗ କରି ଦଳର ବ୍ୟାଟିଂ ସ୍ଥିତିରେ ସୁଧାର ଆଣିଥିଲେ। ଯାଦବ ଶେଷ ପର୍ଯ୍ୟନ୍ତ ଏକାକୀ ସଂଘର୍ଷ ଜାରି ରଖିଥିବା ବେଳେ ଅନ୍ୟପଟେ ଉଇକେଟ ପତନ ଘଟିବାରେ ଲାଗିଥିଲା।

ସଂକ୍ଷିପ୍ତ ସ୍କୋର

ଟ୍ରିମ୍ଫ୍‌ ନାଇଟ୍ସ: ୧୪୭/୬ (ସୂର୍ଯ୍ୟକୁମାର ଯାଦବ-୯୦*; ଏ. ଲାଡ୍‌-୨/୧୨, ଅର୍ଜୁନ ତେନ୍ଦୁଲକର-୧/୨୧)।

ଆକାଶ ଟାଇଗର୍ସ: ୧୪୮/୫ (ଆକର୍ଷିତ ଗୋମେଲ-୪୧, କୌସ୍ତଭ ପାଓ୍ବାର-୩୪; କେ. ସାଓ୍ବନ୍ତ-୨/୩୦)।

Share