Categories: ଜାତୀୟ

ଅର୍ଣ୍ଣବ ଗୋସ୍ବାମୀଙ୍କୁ ଆକ୍ରମଣ

ନୂଆଦିଲ୍ଲୀ,୨୪ା୪: ରିପବ୍ଲିକ୍‌ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଆକ୍ରମଣ ହୋଇଛି। ଅର୍ଣ୍ଣବ ଓ ତାଙ୍କ ସ୍ତ୍ରୀ କାର୍‌ ଯୋଗେ ସେମାନଙ୍କର ଓ୍ବର୍ଲି ବାସଭବନକୁ ଫେରୁଥିବାବେଳେ ସ୍କୁଟରରେ ଦୁଇଜଣ ଦୁର୍ବୃତ୍ତ ସେମାନଙ୍କ ଗାଡ଼ିକୁ ଅଟକାଇ ଆକ୍ରମଣ କରି ତାଙ୍କ କାର ଉପରକୁ କାଳି ଫିଙ୍ଗିବା ସହ କାଚ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଆକ୍ରମଣକାରୀ କଂଗ୍ରେସ ଦଳର ବୋଲି ସ୍ବୀକାର କରିଥିବା ଅର୍ଣ୍ଣବ କହିଛନ୍ତି।
ଜଣେ ବରିଷ୍ଠ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାକୁ ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା ନିନ୍ଦା କରିବା ସହ ଏହି ଘଟଣା ପାଇଁ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ମୁଖ୍ୟମନ୍ତ୍ରୀମାନେ ଅର୍ଣ୍ଣବ ଗୋସ୍ବାମୀଙ୍କୁ ସର୍ବସାଧାରଣରେ ଧମକ ଦେବା ପରେ ଏଭଳି ଆକ୍ରମଣରେ ସେ ମର୍ମାହତ ବୋଲି ନଡ୍ଡା କହିଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ ରାଜ୍ୟ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି। ପ୍ରେସ୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ (ପିସିଆଇ) ଆକ୍ରମଣକୁ ନିନ୍ଦା କରିବା ସହ ମହାରାଷ୍ଟ୍ର ସରକାର ଏହା ଉପରେ ରିପୋର୍ଟ ଦିଅନ୍ତୁ ବୋଲି ଦାବି କରିଛି।
ଅନ୍ୟପକ୍ଷରେ ଏଆଇସିସି କୋଷାଧ୍ୟକ୍ଷ ଅହମ୍ମଦ ପଟେଲ କହିଛନ୍ତି, ପ୍ରଚାରବାଦୀମାନେ ଅଭିବ୍ୟକ୍ତି ସ୍ବାଧୀନତାକୁ ଦେଶ ବିଭାଜନ ଲାଗି ବିଷ ଭଳି ପ୍ରୟୋଗ କରୁଛନ୍ତି। ଭାରତୀୟ ସମ୍ବିଧାନ ଦ୍ୱାରା ପ୍ରଦତ୍ତ ଏହି ସ୍ବାଧୀନତାକୁ ନେଇ କେହି ଅସ୍ତ୍ର ଭାବେ ବ୍ୟବହାର କରିବା ଅନୁଚିତ। ଅର୍ଣ୍ଣବଙ୍କ ଉପରେ ଆକ୍ରମଣ ହୋଇଥିବାବେଳେ ସେ ଏଥିଲାଗି ସୋନିଆଙ୍କୁ ଦାୟୀ କରିଥିଲେ। ଅହମ୍ମଦ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ କଂଗ୍ରେସ କେବେ ଏତେ ତଳକୁ ଖସେ ନାହିଁ ବୋଲି କହିଛନ୍ତି।

Share