Categories: ବାଣିଜ୍ୟ

ଅର୍ଥନୀତିରେ ଆସିବ ଦ୍ରୁତ ପରିବର୍ତ୍ତନ: ଶିଳ୍ପ ଜଗତ

ନୂଆଦିଲ୍ଲୀ,୩୧। ୫- ନୂଆ ସରକାରଙ୍କୁ ନେଇ ଦେଶର ଶିଳ୍ପ ଜଗତ ବେଶ ଆଶାବାଦୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିରେ ଅର୍ଥନୀତିରେ ଦ୍ରୁତ ପରିବର୍ତ୍ତନ ଆସିବା ନେଇ ଶିଳ୍ପକ୍ଷେତ୍ର ଆଶା ପ୍ରକଟ କରିଛି। ସେହିଭଳି ଟିକସ, ଶ୍ରମ ଏବଂ ଭୂମି ଭଳି କ୍ଷେତ୍ରରେ ଉଲ୍ଲେଖନୀୟ ସଂସ୍କାରଧାରା ଜାରି ରହିବା ଫଳରେ ଏହା ଦେଶର ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ବିତ କରିବ ବୋଲି ଦେଶର ଶିଳ୍ପ ନେତାମାନେ ମତ ପ୍ରକାଶ କରିଛନ୍ତି।
ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ, ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ବେଦାନ୍ତ ରିସୋର୍ସେସ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅନୀଲ ଅଗ୍ରଓ୍ବାଲ, ଟାଟା ସନ୍ସର ସେବା ନିବୃତ୍ତ ଅଧ୍ୟକ୍ଷ ରତନ ଟାଟା, ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ପେଟିଏମ୍‌ ସିଇଓ ବିଜୟ ଶେଖର ଶର୍ମା, ଆସୋଚାମ ସଭାପତି ବି.ଗୋଏଙ୍କାଙ୍କ ଭଳି ପ୍ରମୁଖ ଶିଳ୍ପନେତା ଯୋଗ ଦେଇଥିଲେ।
ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ସରକାର ଏଫ୍‌ଡିଆଇ, ଖଣି, ସାମାଜିକ କ୍ଷେତ୍ର ନିବେଶ ବୃଦ୍ଧି ଏବଂ ଦାରିଦ୍ର୍ୟ ଦୂରୀକରଣ ଭଳି ବିଭିନ୍ନ ନୀତି ଉପରେ କାର୍ଯ୍ୟ କରିବେ ବୋଲି ଅନୀଲ ଅଗ୍ରଓ୍ବାଲ କହିଛନ୍ତି। ମୋଦୀଙ୍କ ନେତୃତ୍ୱରେ ଦେଶରେ ସଂସ୍କାରଧାରା ଜାରି ରହିବ ବୋଲି ଏସାରଗ୍ରୁପ ନିର୍ଦ୍ଦେଶକ ପ୍ରଶାନ୍ତ ରୁଇଆ କହିଛନ୍ତି। ମୋଦୀଙ୍କ ନେତୃତ୍ୱରେ ନୂଆ ମନ୍ତ୍ରୀ ମଣ୍ଡଳ ନୂଆ ଚିନ୍ତାଧାରା ସହ କାର୍ଯ୍ୟ କରିବ ବୋଲି ଶିଳ୍ପ ସଂଘ ସିଆଇଆଇର ସଭାପତି ବିକ୍ରମ କିର୍ଲୋସ୍କାର କହିଛନ୍ତି। ନୂଆ ସରକାର ନୂଆ ସୁଯୋଗ ଆଣିବା ଉପରେ ଧ୍ୟାନ ଦେବେ ବୋଲି ଆଶାବାଦୀ ରହିଥିବା ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା କହିଛନ୍ତି। କୃଷି, ଖାଦ୍ୟ ପ୍ରକ୍ରିୟାକରଣ, କୃଷକଙ୍କ ଶସକ୍ତିକରଣ ଏବଂ ଜୀବନ ବିକାଶ ସହ ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ସରକାର କାର୍ଯ୍ୟ କରିବେ ବୋଲି ଆଇଟିସି ଅଧ୍ୟକ୍ଷ ସଞ୍ଜୀବ ପୁରୀ କହିଛନ୍ତି। ଟିକସ ଏବଂ ଶ୍ରମ ସଂସ୍କାର ସହ ଜମି କ୍ଷେତ୍ରରେ ସରକାର ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରିବା ନେଇ ଆସୋଚନା ସଭାପତି ବି.ଗୋଏଙ୍କା ମତ ରଖିଛନ୍ତି।

Share