ଅର୍ଥନୀତି ଭୁଶୁଡ଼ିବ – ସରକାର ପକେଟ ନୁହେଁ, ପେଡ଼ି ଖୋଲନ୍ତୁ

ତର୍କ ଓ ତତ୍ତ୍ୱ/ ବିମଳ ପ୍ରସାଦ ପାଣ୍ଡିଆ

ରାଜନୈତିକ, ଆର୍ଥିକ ଓ ସାମରିକ ମାମଲାରେ ଆମେରିକା ପୃଥିବୀର ସବୁଠାରୁ ପ୍ରଭାବଶାଳୀ ଓ ଶକ୍ତିଶାଳୀ ଦେଶ। ଏବେ ସେହି ଦେଶରେ ସବୁଠାରୁ ଅଧିକ ‘କରୋନା’ ରୋଗୀ। କରୋନା ତ ଦାଉ ସାଧୁଛି, କିନ୍ତୁ ତାହାଠୁ ବଳେଇ ଗଲାଣି ଅର୍ଥନୀତି ଭୁଶୁଡି ପଡ଼ିବାର ଚିନ୍ତା। ଦୋକାନ, କାରଖାନା, ବ୍ୟବସାୟ ବନ୍ଦ ହୋଇଯାଇଛି। ଆମେରିକାରେ ପ୍ରତିମାସ ରୋଜଗାର ରିପୋର୍ଟ ଆସେ। ଏପ୍ରିଲ ୩ ତାରିଖରେ ଆମେରିକା ସରକାରଙ୍କ ‘ବ୍ୟୁରୋ ଅଫ୍‌ ଲେବର ଷ୍ଟାଟିଷ୍ଟିକ୍ସ’ ସଦ୍ୟତମ ରିପୋର୍ଟ ଜାରି କରିଛନ୍ତି। ମାର୍ଚ୍ଚ ମାସରେ ଆମେରିକାରେ ବେରୋଜଗାର ହାର ୪.୪%କୁ ବୃଦ୍ଧିପାଇଛି, ଯାହା ୫୦ ବର୍ଷରେ ସର୍ବାଧିକ। ଏପ୍ରିଲ ମାସରେ ବେରୋଜଗାର ଆହୁରି ବଢିବାର ଆଶଙ୍କା ଅଛି। ଆମେରିକାରେ ବେରୋଜଗାର ଲୋକଙ୍କୁ ବେକାରି ଭତ୍ତା ମିଳେ। ଭାରତରେ ବେକାରିର ସେମିତି ହିସାବ ହୁଏ ନାହିଁ କି ଭତ୍ତା ମିଳେ ନାହିଁ। ତେଣୁ ଆମେରିକା ଭଳି ହିସାବ ଦେଇ ହେବନି। କିନ୍ତୁ ଚାଲିଚାଲି ବା ଯେ କୌଣସି ଉପାୟରେ ଶହଶହ କିଲୋମିଟର ଦୂରରେ ଥିବା ନିଜର ଗାଁ ଘରକୁ ଫେରିବାର ଉଦ୍‌ଗ୍ରୀବତାର ଦୃଶ୍ୟ ଯିଏ ଦେଖିଛି, ସେ ବିନା ଦ୍ବିଧାରେ ଠଉରାଇ ନେବ ଯେ ଭାରତର ସ୍ଥିତି କେତେ ବିକଟାଳ, ଆମେରିକା ବା ଅନ୍ୟ କୌଣସି ଦେଶଠାରୁ ଭାରତର ଅର୍ଥନୈତିକ ସ୍ଥିତି କେତେ ଗୁଣା ଅଧିକ ଭଙ୍ଗୁର।

କରୋନାକୁ ଏବେ ଯୁଝୁଛନ୍ତି ବିଶ୍ବର ପ୍ରାୟ ସମସ୍ତ ଦେଶ। ଏହି ‘ମହାମାରୀ’ରେ ମୃତ୍ୟୁହାର ଅନ୍ୟ ମହାମାରୀ ତୁଳନାରେ ଅନେକ କମ୍‌ ସତ, କିନ୍ତୁ ଅର୍ଥନୀତି ଉପରେ ଏହାର ସୁଦୂରପ୍ରସାରୀ ପ୍ରଭାବ ସମସ୍ତ ସରକାରଙ୍କୁ ଭୀଷଣ ଚିନ୍ତିତ କଲାଣି। କୋଟିକୋଟି ଲୋକଙ୍କର ବଢିଚାଲିଥିବା ଦୈନ୍ୟତା ଓ ଦୁର୍ଦ୍ଦଶାର ଖବର କିଛି କମ୍‌ ନ ଥିବା ବେଳେ ଭବିଷ୍ୟତରେ ସ୍ଥିତିକୁ ସୁଧାରିବାର ଚିନ୍ତା ବିକଟ ହେବାରେ ଲାଗିଛି। ଏହି ସ୍ତମ୍ଭର ପୂର୍ବ ଆଲେଖ୍ୟରେ ଆମେରିକା କେମିତି ଏକ ବଡ ଆର୍ଥିକ ‘ପ୍ୟାକେଜ’ ଆଣିବାକୁ ଯାଉଛି ତାହାର ସୂଚନା ଥିଲା। ଏହାମଧ୍ୟରେ ଆମେରିକା ସରକାର ୨.୨ ଟ୍ରିଲିୟନ ଡଲାରର ପ୍ୟାକେଜ ଆଣିସାରିଛନ୍ତି। ୨୦୧୬ ମସିହାରେ ଭାରତର ମୋଟ ସମୁଦାୟ ବାର୍ଷିକ ଆୟ ବା ଜିଡିପି ସହିତ ଏହା ପ୍ରାୟ ସମାନ। ସହଜ ଭାବରେ କହିଲେ ଭାରତରେ ସେହି ବର୍ଷ ସମସ୍ତ ସୂତ୍ରରୁ ସମସ୍ତ ସରକାରୀ, ବେସରକାରୀ ଓ ବ୍ୟକ୍ତିଗତ ଆୟ ଓ ଉତ୍ପାଦନକୁ ମିଶାଇଲେ ଯାହା ହେବ, ଆମେରିକାର କରୋନା ଆର୍ଥିକ ପ୍ୟାକେଜ ପ୍ରାୟ ସେତେ ବଡ। ଆଉ ଗୋଟେ ହିସାବ ଦେଉଛି। କରୋନା ଆକ୍ରାନ୍ତ ଆମେରିକାର ଆର୍ଥିକ ପ୍ୟାକେଜଟି ଭାରତ ସରକାର ୨୦୨୦-୨୧ର ସମୁଦାୟ ବର୍ଷ ପାଇଁ ଆଣିଥିବା ଦେଶର ବଜେଟଠାରୁ ପ୍ରାୟ ସାଢେ ପାଞ୍ଚଗୁଣ ବଡ। ଭାରତ ସରକାର ମାର୍ଚ୍ଚ ୨୭ ତାରିଖରେ ଘୋଷଣା କରିଥିବା ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ୟାକେଜଟି ଆମେରିକାର ଆର୍ଥିକ ପ୍ୟାକେଜର ୯୭ ଭାଗର ଭାଗେରୁ ମଧ୍ୟ କମ୍‌। ଗରିବଙ୍କୁ ରିହାତି ଦେବାକୁ ମାଗଣା ବଣ୍ଟା ବା ‘ଫ୍ରିବିଜ୍‌’ ଓ ଅର୍ଥନୀତି ପାଇଁ ଘୋର କ୍ଷତିକାରକ ବୋଲି ରଡିଛାଡୁଥିବା ବଡ଼ବଡ଼ ଅର୍ଥନୀତିଜ୍ଞ ଏବେ ଧନାଢ୍ୟ ଆମେରିକାର ପ୍ୟାକେଜ ଦେଖି ତାଟକା ହୋଇଯାଇଥିବେ ନିଶ୍ଚୟ। ସେଥିରେ ‘ଫ୍ରିବିଜ୍‌’ ଭରିକି ରହିଛି। ବର୍ଷରେ ୫୬ଲକ୍ଷ ଟଙ୍କା ଯାଏ ଆୟ କରୁଥିବା ବ୍ୟକ୍ତିଙ୍କୁ ପ୍ରାୟ ୯୦ ହଜାର ଟଙ୍କା ତଥା ୧କୋଟି ୧୨ଲକ୍ଷ ଟଙ୍କା ରୋଜଗାର କରୁଥିବା ପରିବାରକୁ ୧ଲକ୍ଷ ୮୦ହଜାର ଟଙ୍କାର ‘ଫ୍ରିବିଜ୍‌’ ତୁରନ୍ତ ପ୍ରଦାନ କରାଯିବ। ପ୍ରତି ସନ୍ତାନ ପାଇଁ ଅତିରିକ୍ତ ପ୍ରାୟ ୩୭,୫୦୦ ଟଙ୍କା ଦିଆଯିବ। ବର୍ଷକୁ ୭୫ ଲକ୍ଷ ଟଙ୍କା ଯାଏ ଆୟ କରୁଥିବା ବ୍ୟକ୍ତିଙ୍କୁ ଏହି ସହାୟତା ମିଳିବ। ଏତିକିରେ ‘ଫ୍ରିବିଜ୍‌’ ସରିନାହିଁ। ବେରୋଜଗାରଙ୍କୁ ପ୍ରତି ସପ୍ତାହରେ ପ୍ରାୟ ୪୫,୦୦୦ ଟଙ୍କା ଦିଆଯିବ। ଚାକିରି ହରାଇଥିବା ବ୍ୟକ୍ତିଙ୍କୁ ଚାରିମାସ ଯାଏ ସେମାନେ ପାଉଥିବା ପୂର୍ଣ୍ଣ ଦରମା ପ୍ରଦାନ କରାଯିବ। କେବଳ ଚାକିରି ହରାଇଥିବା ବ୍ୟକ୍ତି ନୁହନ୍ତି, କଣ୍ଟ୍ରାକ୍ଟର ଓ ସ୍ବରୋଜଗାରୀ ମଧ୍ୟ ସେମାନଙ୍କର କରୋନା ପୂର୍ବର ଯାହା ଆୟ ଥିଲା ସେତିକି ଚାରିମାସ ଯାଏ ପାଇବେ। ଏହା ବାଦ୍‌, ଛୋଟ ବ୍ୟବସାୟୀଙ୍କୁ ୨୭.୫ ଲକ୍ଷ କୋଟି ଟଙ୍କା ଋଣ, ବଡ଼ବଡ଼ କମ୍ପାନୀଙ୍କୁ ୩୭.୫ ଲକ୍ଷ କୋଟି ଟଙ୍କାର ଋଣ, ହସ୍ପିଟାଲ ପାଇଁ ୯.୭୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ। ମାର୍ଚ୍ଚ ୨୫ ତାରିଖରେ ଜର୍ମାନୀର ପାର୍ଲାମେଣ୍ଟ ମଧ୍ୟ ପ୍ରାୟ ୬୧ ଲକ୍ଷ ୮୭ ହଜାର କୋଟି ଟଙ୍କାର ପ୍ୟାକେଜ ପାଇଁ ସରକାରୀ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ତାହା ବି ‘ଫ୍ରିବିଜ୍‌’ ମୟ। ପ୍ୟାକେଜର ସ୍ଲୋଗାନ ରହିଛି ‘ଆମେ କାହାକୁ ଏକେଲା ଛାଡ଼ିବୁନି, ସାଙ୍ଗରେ ରହିବୁ’। ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶ ଲୋକଙ୍କ ପାଖରେ ତୁରନ୍ତ ପଇସା ପହଞ୍ଚାଇବା ଓ ଅର୍ଥନୀତିକୁ ସମ୍ଭାଳିବା ପାଇଁ ବିଶାଳ ପ୍ୟାକେଜମାନ ଆଣିଛନ୍ତି। ବିଶାଳ ପ୍ୟାକେଜ ଆଣିବା ପୂର୍ବରୁ ଲୋକଙ୍କୁ ସହାୟତା ଦେବା ପାଇଁ ଅନେକ ଛୋଟଛୋଟ ପ୍ୟାକେଜ ଆଣିସାରିଛନ୍ତି।

ଚାକିରି, ଆୟ ଓ ବେଉସା ହରାଇବା ତଥା ଲକ୍‌ଡାଉନ୍‌ କାରଣରୁ ଭୀଷଣ ଦୁରବସ୍ଥାରେ ଥିବା ଲୋକଙ୍କ ପାଇଁ ଆର୍ଥିକ ସହାୟତା ଦେବାରେ ଘୋର ପଛରେ ପଡି ଭାରତ ସରକାର ମାର୍ଚ୍ଚ ୨୭ ତାରିଖରେ ଘୋଷଣା କରିଥିବା ପ୍ୟାକେଜରେ ରହିଛି: ପ୍ରାୟ ୮ କୋଟି ୭୦ ଲକ୍ଷ କୃଷକଙ୍କୁ ତୁରନ୍ତ ୨,୦୦୦ ଟଙ୍କା; ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କୁ ତିନି ମାସ ଯାଏ ମାଗଣାରେ ଗ୍ୟାସ ସିଲିଣ୍ଡର; ୨୦ କୋଟି ଜନଧନ ଆକାଉଣ୍ଟଧାରୀ ମହିଳାଙ୍କୁ ତିନି ମାସ ପାଇଁ ୫୦୦ ଲେଖାଏ ଟଙ୍କା; ମହିଳା ଏସ୍‌ଏଚ୍‌ଜିଙ୍କୁ ୨୦ ଲକ୍ଷ ଟଙ୍କା ଯାଏ ବିନା ବନ୍ଧକରେ ଋଣ; ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଗରିବ ପରିବାରକୁ ଆସନ୍ତା ତିନି ମାସ ପାଇଁ ମାଗଣାରେ ମୁଣ୍ଡପିଛା ୫ କିଲୋ ଚାଉଳ ବା ଅଟା ଓ କିଲେ ଡାଲି; ଏବଂ ନରେଗା ଯୋଜନାରେ ଦୈନିକ ମଜୁରିକୁ ୨୦ ଟଙ୍କା ବୃଦ୍ଧି କରିବାର ଘୋଷଣା। ଏହା ସହିତ ନିିର୍ମାଣ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପାଇଁ ପୂର୍ବରୁ ଥିବା ୩୧,୦୦୦ କୋଟି ଟଙ୍କାର କଲ୍ୟାଣ ପାଣ୍ଠିରୁ ପ୍ରାୟ ୩ କୋଟି ୫୦ ଲକ୍ଷ ପଞ୍ଜିକୃତ ଆର୍ଥିକ ସାହାଯ୍ୟ ଦେବାପାଇଁ ରାଜ୍ୟ ସରକାରମାନଙ୍କୁ କୁହାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ।

ଭାରତର ପ୍ୟାକେଜଟି ‘ଦେର୍‌’ରେ ଆସିଲା ସତ, କିନ୍ତୁ ଆଦୌ ‘ଦୁରୁସ୍ଥ’ ହେଲାନି। ପିଏମ୍‌-କିଷାନ ଯୋଜନାରେ ବର୍ଷକୁ ୨,୦୦୦ ଟଙ୍କାର ତିନିଟି କିସ୍ତିରେ କୃଷକଙ୍କୁ ୬,୦୦୦ ଟଙ୍କା ଦିଆଯାଏ। ତେଣୁ ପ୍ୟାକେଜରେ କୃଷକଙ୍କ ପାଇଁ ଘୋଷଣା କରାଯାଇଥିବା ୨,୦୦୦ଟଙ୍କା ସେମିତି ବି ଦିଆଯାଇଥାନ୍ତା। ନରେଗା ଯୋଜନାରେ ମଜୁରି ହାର ଯେମିତି ହେଉ ବଢି଼ଥାନ୍ତା। ଇପିଏଫ୍‌ରୁ ଟଙ୍କା ଉଠାଇବାରେ ରିହାତି ଦେଇଛନ୍ତି କିନ୍ତୁ ଦେଖିବାକୁ ଗଲେ ସେହି ଟଙ୍କା ହେଉଛି ଇପିଏଫ୍‌ ଆକାଉଣ୍ଟଧାରୀଙ୍କ। ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ କେତେ ଟଙ୍କା କେତେ ଦିନ ଭିତରେ ଦିଆଯିବ ତାହାର କିଛି ସୂଚନା ଏଯାଏ ନାହିଁ। ଅବଶ୍ୟ ମାଗଣାରେ ଗ୍ୟାସ, ଚାଉଳ ଓ ଡାଲି ଗରିବ ଲୋକଙ୍କୁ କିଛି ସାହାଯ୍ୟ ଦେବ ନିଶ୍ଚୟ। କିନ୍ତୁ, ଏହି ବାସ୍ତବତାକୁ ବି ମାନିବାକୁ ପଡିବ ଯେ କେନ୍ଦ୍ର ସରକାରଙ୍କ ପ୍ୟାକେଜଟି ଆବଶ୍ୟକତା ତୁଳନାରେ ନିହାତି କ୍ଷୁଦ୍ର। ଆମେରିକା, ଜର୍ମାନୀ ଭଳି ଧନୀ ରାଷ୍ଟ୍ରର ସରକାର ଲୋକଙ୍କ ପାଇଁ ସହାୟତାର ପୂରା ପେଡି ଖୋଲିଦେଇଛନ୍ତି କିନ୍ତୁ ଭାରତ ଆର୍ଥିକ ସମସ୍ୟାରେ ଜର୍ଜରିତ ନିଜ ଲୋକଙ୍କ ପାଇଁ ବଡ କଷ୍ଟରେ ପକେଟରୁ ମୁଠାଏ ବାହାର କରିଛି। ରାଜ୍ୟ ସରକାରମାନେ ଅବଶ୍ୟ ବିଭିନ୍ନ ପ୍ରକାର ସହାୟତା ଦେଉଛନ୍ତି କିନ୍ତୁ ତାହା ବି ସୀମିତ। କରୋନା କାରଣରୁ ବ୍ୟକ୍ତିଗତ ଆର୍ଥିକ ସ୍ଥିତି ସଂକଟଗ୍ରସ୍ତ ହେବାସହ ଦେଶ ଓ ବିଶ୍ୱର ଅର୍ଥନୀତି ଦୋହଲି ଗଲାଣି। କେମିତି ଓ କେବେ ସୁଧୁରିବ ଜଣାନାହିଁ। ଦେଶକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲକ୍‌ଡାଉନ୍‌ ସ୍ଥିତିରେ ରଖିହେବ ନାହିଁ। ଲୋକ ପେଟ ବିକଳରେ ନିଶ୍ଚୟ ବାହାରକୁ ବାହାରିବେ। ତେଣୁ ୨୧ ଦିନିଆ ଲକ୍‌ଡାଉନ ପରେ ସ୍ଥିତିକୁ କେମିତି ସମ୍ଭାଳି ହେବ ତାହା ସରକାରମାନଙ୍କ ଧ୍ୟେୟ ହେବା ଜରୁରୀ ହେଲାଣି।