ଡାନି ରୋଡ୍ରିକ୍
ଆମେରିକା ଯେଭଳି ନେତୃତ୍ୱ ନେଉଛି ସେଥିରୁ ମନେହେଉଛି ଯେ, ବିଶ୍ୱ ଇକୋନୋମିକ ନ୍ୟାଶନାଲିଜମ ବା ଅର୍ଥନୈତିକ ରାଷ୍ଟ୍ରବାଦ (ଏକ ବିଚାରଧାରା; ଯାହା ଅର୍ଥ ବ୍ୟବସ୍ଥା ଓ ଘରୋଇ ନୀତିଗୁଡ଼ିକରେ ହସ୍ତକ୍ଷେପକୁ ପ୍ରାଥମିକତା ଦିଏ ଏବଂ ଶ୍ରମ, ସାମଗ୍ରୀ ଓ ପୁଞ୍ଜି ନିର୍ମାଣରେ କଟକଣାକୁ ଜୋର୍ଦିଏ)ର ଏକ ନୂତନ ଯୁଗରେ ପ୍ରବେଶ କରୁଛି। ମୁକ୍ତ ଘରୋଇ ବାଣିଜ୍ୟ ଏବଂ ବହୁଦେଶୀୟ ଭାଗୀଦାରି ତୁଳନାରେ ଅନେକ ଦେଶ ଘରୋଇ, ସାମାଜିକ, ଅର୍ଥନୈତିକ ଏବଂ ପରିବେଶ କାର୍ଯ୍ୟସୂଚୀକୁ ଅଧିକ ପ୍ରାଧାନ୍ୟ ଦେଉଥିବାରୁ ଏଭଳି ଘଟିବାକୁ ଯାଉଛି। ଡୋନାଲ୍ଡ ଟ୍ରମ୍ପ୍ଙ୍କ ତୁଳନାରେ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଆଭିମୁଖ୍ୟ ଅନ୍ତର୍ଜାତୀୟ ସହଯୋଗ ଦିଗରେ ଅଧିକ ନିୟନ୍ତ୍ରିତ ଏବଂ ମୁକ୍ତ ଥିଲେ ବି ଏହା ଅର୍ଥନୈତିକ ଉଦାରବାଦୀଙ୍କ ଚିନ୍ତା ବଢ଼ାଇଦେଇଛି। ୧୯୩୦ ଦଶକ ଶୈଳୀର ସଂରକ୍ଷଣବାଦ ଏବଂ ଆର୍ଥିକ ସ୍ବାଧୀନତା ନୀତିକୁ ଏହା ପ୍ରତ୍ୟାବର୍ତ୍ତନ କରୁଥିବା ସେମାନେ ଲକ୍ଷ୍ୟ କରୁଛନ୍ତି। ଅର୍ଥନୈତିକ ରାଷ୍ଟ୍ରବାଦ ବିଭିନ୍ନ ରୂପରେ ଆସେ, ସେଥିରୁ କିଛି କ୍ଷତିକାରକ ଏବଂ କିଛି ଲାଭଦାୟକ। ତେବେ ଆଲେକ୍ସଜାଣ୍ଡାର୍ ହାମିଲଟନ ଏବଂ ଫ୍ରିଡ୍ରିଚ ଲିଷ୍ଟଙ୍କ ପରି ରାଜନୈତିକ ଉଦାରବାଦୀ ଅର୍ଥନୈତିକ ରାଷ୍ଟ୍ରବାଦର କେତେଜଣ ଅଗ୍ରଣୀ ସିଦ୍ଧାନ୍ତବାଦୀଙ୍କ ମଧ୍ୟରେ ଥିଲେ ଅନ୍ୟତମ। ଅର୍ଥନୈତିକ ରାଷ୍ଟ୍ରବାଦକୁ ଚରମ ସ୍ତରକୁ ନିଆଗଲେ ତାହାର ଯେଭଳି ବିପରୀତ ପ୍ରଭାବ ପଡ଼େ, ଠିକ୍ ସେହିଭଳି ଅର୍ଥନୈତିକ ଉଦାରବାଦରେ ଘଟିପାରେ। ଅର୍ଥନୈତିକ ସାମର୍ଥ୍ୟ ଗଠନ ଏବଂ ଜାତୀୟ ଭାବନାକୁ ଦୃଢ଼ କରିବା ପାଇଁ ଏହାକୁ ନ୍ୟାୟପୂର୍ଣ୍ଣ ଭାବରେ ପ୍ରୟୋଗ କରାଗଲେ ତାହା ଅନ୍ୟ ଦେଶଗୁଡ଼ିକ ପ୍ରତି ଲାଭଦାୟକ ହୋଇପାରେ ।
ଅର୍ଥନୈତିକ ରାଷ୍ଟ୍ରବାଦ ଅର୍ଥ ବ୍ୟବସ୍ଥାକୁ ଗଢ଼େ ରାଷ୍ଟ୍ରର ସେବା କରିବା ପାଇଁ। ତେବେ ‘ରାଷ୍ଟ୍ର ସେବା’ କିମ୍ବା ‘ଜାତୀୟ ସ୍ବାର୍ଥ’ର ଅର୍ଥ ବ୍ୟାଖ୍ୟା ନ କରିବା ପର୍ଯ୍ୟନ୍ତ କୌଣସି ନୀତିର ଗୁରୁତ୍ୱ ରହେ ନାହିଁ। ଜାତୀୟ ଅର୍ଥନୀତି ଉପରେ ଧ୍ୟାନ ଦେବା ଉତ୍ତମ ହୋଇପାରେ, ଏହା ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ଅର୍ଥ ଯୋଗାଣ ପାଇଁ ଅତ୍ୟଧିକ ସୁସଙ୍ଗତ ହୋଇପାରେ। ହେଲେ ପାରମ୍ପରିକ ଅର୍ଥନୈତିକ ତତ୍ତ୍ୱ ଅନୁଯାୟୀ, ମୁକ୍ତ ବାଣିଜ୍ୟ ଗ୍ରହଣ କଲେ ଦେଶର ସ୍ବାର୍ଥ ସାଧିତ ହୋଇଥାଏ। ଅର୍ଥନୈତିକ ସ୍ବାଧୀନତାକୁ ଅନୁସରଣ କରୁଥିବା ଏକ ସରକାର ଲାଭ ଓ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାରୁ ବଞ୍ଚତ୍ତ ହୁଏ ଏବଂ ବିଦେଶୀ ପୁଞ୍ଜି ପାଇପାରେ ନାହିଁ। ଅର୍ଥନୈତିକ ଐତିହାସିକ ମାର୍ଭିନ୍ ସୁସେ ଯୁକ୍ତି କରନ୍ତି, ଅର୍ଥନୈତିକ ରାଷ୍ଟ୍ରବାଦ ଦୁଇଟି ପରସ୍ପର ବିରୋଧୀ ପ୍ରେରଣା ମଧ୍ୟରେ ଗତିକରେ। ଏହି ଦୁଇଟି ହେଉଛି- ଅନ୍ୟ ଦେଶ ସହିତ ଅର୍ଥନୈତିକ ବିନିମୟକୁ ସୀମିତ କରିବାର ପ୍ରଲୋଭନ ଏବଂ ଜାତୀୟ ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିକାଶର ସେବାରେ ଅନ୍ତର୍ଜାତୀୟ ସମ୍ପର୍କ ବିସ୍ତାର ଏବଂ ଲାଭ ପାଇବାର ଇଚ୍ଛା। ସମ୍ପ୍ରତି ପୂର୍ବ ଏସିଆର ବିକାଶଶୀଳ ଦେଶ ତୁଳନାରେ ଏହି ପ୍ରେରଣାକୁ ଏକାଠି ନେଇ ଚାଲିବାରେ ଅନ୍ୟ କେହି ଭଲ କାର୍ଯ୍ୟ କରିପାରିନାହାନ୍ତି। ଜାପାନ, ଦକ୍ଷିଣ କୋରିଆ, ତାଇୱାନ ଏବଂ ଚମତ୍କାର ଭାବେ ଚାଇନା ସମସ୍ତେ ସମାବେଶୀ ନୀତି ଉପରେ ନିର୍ଭର କରିଛନ୍ତି; ଯାହା ଉଭୟ ବିଶ୍ୱ ଅର୍ଥନୈତିକ ଏକୀକରଣକୁ ଉତ୍ସାହିତ କରେ ଏବଂ କେତେକ ପ୍ରମୁଖ ଶିଳ୍ପଗୁଡ଼ିକୁ ସୁରକ୍ଷା କରେ। ବ୍ୟାପକ ଶିଳ୍ପ ନୀତି ମାଧ୍ୟମରେ ପ୍ରତ୍ୟେକ ନିଜସ୍ବ ଅର୍ଥନୈତିକ ଭବିଷ୍ୟତ ଗଢ଼ିଛନ୍ତି, ଯାହା ଅର୍ଥନୈତିକ ଦକ୍ଷତାର ନୂତନ କ୍ଷେତ୍ର ବିକାଶ କରିବାରେ ସାହାଯ୍ୟ କରିଛି। ସେଗୁଡ଼ିକ କେବଳ ଅର୍ଥନୈତିକ କାର୍ଯ୍ୟକ୍ରମ ନୁହେଁ, ବରଂ ପାଶ୍ଚାତ୍ୟ ଦେଶକୁ ଛୁଇଁବା ଲକ୍ଷ୍ୟରେ ଥିଲା ନବୀକରଣର ଜାତୀୟ ପ୍ରକଳ୍ପ। ନ୍ୟୁ ସାଉଥ୍ ୱେଲ୍ସ ବିଶ୍ୱବିଦ୍ୟାଳୟର ରାଜନୈତିକ ବୈଜ୍ଞାନିକ ଏଲିଜାବେଥ ଥୁର୍ବନ ଏବଂ ତାଙ୍କ ସହ-ଲେଖକମାନେ କହିଛନ୍ତି ଯେ, ବିକାଶମୂଳକ ମାନସିକତା ଥିବା ନୀତିନିର୍ଦ୍ଧାରକମାନେ ସ୍ଥାନୀୟ ଉତ୍ପାଦନ କ୍ଷମତା, ବୈଷୟିକ ସ୍ବାଧୀନତା ଏବଂ ରପ୍ତାନି ପ୍ରତିଯୋଗିତାକୁ ଘରୋଇ ରାଜନୈତିକ ବୈଧତା, ଜାତୀୟ ନିରାପତ୍ତା ଏବଂ ଅତ୍ୟାବଶ୍ୟକ ଭିତ୍ତିଭୂମି ଏବଂ ଅନ୍ତର୍ଜାତୀୟ ସ୍ତରରେ ସ୍ଥିତି ଓ ପ୍ରତିଷ୍ଠା ଭାବରେ ଦେଖନ୍ତି। ଏହାସହ ବଜାରରେ ରଣନୀତିକ ହସ୍ତକ୍ଷେପ ମାଧ୍ୟମରେ ଏହି ଲକ୍ଷ୍ୟରେ ଅଗ୍ରଗତି ହେବାକୁ ଦେଶ ପାଇଁ ସେମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ତେବେ ଏହିସବୁ ଦେଶର ସଫଳତାକୁ କେହି ଅସ୍ବୀକାର କରିପାରିବେ ନାହିଁ। ସେମାନଙ୍କର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଅନେକ ଶହ କୋଟି ଲୋକଙ୍କୁ ଉକତ୍ଟ ଦାରିଦ୍ର୍ୟରୁ ମୁକ୍ତ କରିଛି ଏବଂ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଦୁଇ ପିଢ଼ିରୁ କମ୍ ସମୟ ମଧ୍ୟରେ ଉନ୍ନତ ଅର୍ଥ ବ୍ୟବସ୍ଥାର ସ୍ଥିତିକୁ ଉନ୍ନୀତ କରିପାରିଛି। ଚାଇନା କେବଳ ଏକ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇନାହିଁ, ବରଂ ପାଶ୍ଚାତ୍ୟର ମୁଖ୍ୟ ଭୌଗୋଳିକ ପ୍ରତିଦ୍ୱନ୍ଦ୍ୱୀ ହୋଇପାରିଛି।
ପ୍ରତ୍ୟେକଟି ଦେଶର ନାଟକୀୟ ଉତ୍ଥାନ ହୋଇଛି। ଇସ୍ପାତ, ଅଟୋ, ସୋଲାର ସେଲ୍ ଇତ୍ୟାଦି ପାଇଁ ବ୍ୟାପକ ସରକାରୀ ସବ୍ସିଡି ବହୁ ସମୟରେ ବିଦେଶୀ ସଂସ୍ଥାଗୁଡ଼ିକର ପ୍ରତିଯୋଗିତାମୂଳକ ସ୍ଥିତିକୁ କ୍ଷୁଣ୍ଣ କରିଥିଲା। ତଥାପି, ପୂର୍ବ ଏସିଆର ଅର୍ଥନୈତିକ ରାଷ୍ଟ୍ରବାଦ ବିଶ୍ୱର ଅନ୍ୟମାନଙ୍କ ପାଇଁ ଲାଭଦାୟକ ଥିଲା। ସବୁଠି ବାଣିଜି୍ୟକ ପ୍ରତିବନ୍ଧକ ଥାଇ ବି ବାଣିଜ୍ୟ ଭାଗୀଦାରିମାନଙ୍କ ପାଇଁ ସୃଷ୍ଟି ହୋଇଥିବା ବଜାରଗୁଡ଼ିକ ବଡ଼ ଥିଲା। ଅର୍ଥନୈତିକ ଉଦାରବାଦୀମାନଙ୍କର ତର୍କ ଅନୁଯାୟୀ ସବ୍ସିଡିଗୁଡ଼ିକ ଅନ୍ୟ ଦେଶ ପାଇଁ ଏକ ଉପହାର ଥିଲା, କାରଣ ସେସବୁ ସେମାନଙ୍କ ଗ୍ରାହକଙ୍କ ପାଇଁ ମୂଲ୍ୟ କମ୍ କରିବାରେ ସାହାଯ୍ୟ କରିଥିଲା।
ଏହା ନିଶ୍ଚିତ ଯେ, ଚାଇନାର ରପ୍ତାନିରେ ଦ୍ରୁତ ବିସ୍ତାର ଉନ୍ନତ ଅର୍ଥ ବ୍ୟବସ୍ଥାଗୁଡ଼ିକ ପାଇଁ କିଛି ଅସୁବିଧା ସୃଷ୍ଟି କରିଛି। ଚାଇନାରୁ ଆମଦାନୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦେଶରେ ଦୀର୍ଘକାଳୀନ ଚାକିରି କମିଲା। ଫଳରେ ଉଭୟ ଆମେରିକା ଏବଂ ପଶ୍ଚିମ ୟୁରୋପରେ ଦକ୍ଷିଣପନ୍ଥୀ ଏକଚ୍ଛତ୍ରବାଦୀ ନେତାଙ୍କ ସପକ୍ଷରେ ରାଜନୈତିକ ସମର୍ଥନ ବୃଦ୍ଧି ପାଇଲା। ପାଶ୍ଚାତ୍ୟ ସରକାରମାନେ ଚାଇନା ସହିତ ବାଣିଜ୍ୟକୁ ଉପଯୁକ୍ତ ଭାବରେ ପରିଚାଳନା କରିବାରେ ବିଫଳ ହେଲେ। ଚାଇନା ରପ୍ତାନି କ୍ଷେତ୍ରରେ ଆଶାତୀତ ପ୍ରଦର୍ଶନ ହାସଲ କରୁଥିବାବେଳେ ଏହି ସରକାରଗୁଡ଼ିକ ଅର୍ଥନୈତିକ ଉଦାରବାଦୀବାଦ ଉପରେ ଅତ୍ୟଧିକ ବିଶ୍ୱାସକୁ ଧରିରଖିଲେ। ଅବଶ୍ୟ ଅର୍ଥନୈତିକ ରାଷ୍ଟ୍ରବାଦ ସବୁଆଡ଼େ ଭଲ ହୋଇପାରି ନାହିଁ। ଅନେକ ସରକାର ସାମାଜିକ ଓ ଆର୍ଥିକ କ୍ଷେତ୍ରକୁ ଅତ୍ୟଧିକ ନିୟନ୍ତ୍ରଣ କରୁଛନ୍ତି। ଅପାରଗ ସଂସ୍ଥାଗୁଡ଼ିକୁ ଅଧିକ ସମୟ ଧରି ସମର୍ଥନ କରି ଅର୍ଥ ବ୍ୟବସ୍ଥାର ଦ୍ୱାର ମଧ୍ୟ ବନ୍ଦ କରି ଦେଇଛନ୍ତି। ଯେତେବେଳେ ସରକାରଗୁଡ଼ିକ ଏଭଳି ତ୍ରୁଟି କରନ୍ତି, ସେତେବେଳେ ସେମାନଙ୍କ ନାଗରିକମାନେ ହିଁ ଏହାର ମୂଲ୍ୟ ଦିଅନ୍ତି। ଅର୍ଥନୈତିକ ରାଷ୍ଟ୍ରବାଦ ଭୁଲ୍ ହୋଇଗଲେ ତାହା ଦେଶରେ ତଥା ପଡ଼ୋଶୀର କ୍ଷତି କରେ ଓ ଲାଭ ପାଇପାରେ ନାହିଁ। ପୂର୍ବ ଏସିଆର ବିକାଶବାଦ ଆଜିର ଦୁନିଆକୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାଦିଏ। ଯଦି ଆମେରିକାରେ ଅର୍ଥନୈତିିକ ରାଷ୍ଟ୍ରବାଦ ଶକ୍ତିଶାଳୀ ସମାବେଶୀ ଘରୋଇ ଅର୍ଥ ବ୍ୟବସ୍ଥା ସୃଷ୍ଟି କରିବା ଉପରେ ଧ୍ୟାନ ଦିଏ, ତେବେ ଏହା ବହୁତ ଭଲ କାମ କରିବ। ବାସ୍ତବରେ, ଏହିପରି ରଣନୀତି ଆମେରିକାର ଇତିହାସରେ ବିକାଶର ପୂର୍ବ ପରମ୍ପରାକୁ ପୁନର୍ଜୀବିତ କରିବ। ଅନ୍ୟ ଦେଶଗୁଡ଼ିକ ଶେଷରେ ଆମେରିକାର ସୁସ୍ଥ ଅର୍ଥ ବ୍ୟବସ୍ଥା ଏବଂ ଅଧିକ ସମନ୍ବିତ ସମାଜରୁ ଉପକୃତ ହେବେ।
ମାର୍ଭିନ୍ ସୁସେ ଦର୍ଶାଇଛନ୍ତି, ଅର୍ଥନୈତିକ ରାଷ୍ଟ୍ରବାଦ କ୍ଷେତ୍ରରେ ଏବେ ଆମେରିକାର ଅଭିଜ୍ଞତା ଟିକିଏ ଅଲଗା। ଯଦିଓ ଅନ୍ୟମାନେ ବିଶେଷକରି ଚାଇନା ଏହାକୁ ଜୋର କରି ଧରି ରଖିଛି, ତଥାପି ଆମେରିକା ବୈଷୟିକ ତଥା ସାମରିକ କ୍ଷେତ୍ରରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ହୋଇ ରହିଛି। ତେବେ ବିପଦ ହେଉଛି, ଆମେରିକାର ଅର୍ଥନୈତିକ ରାଷ୍ଟ୍ରବାଦକୁ ଏକ ଉନ୍ନତ ସମାଜ ଗଠନ କରିବା ଏବଂ ଏକ ସୁସ୍ଥ ଓ ସୁଖୀ ଜୀବନ ପାଇଁ ଆବଶ୍ୟକତାଠାରୁ ଅଧିକ କିଛି କରିବାକୁ ପଡ଼ିବ। ଯଦି ଏହା ଅନ୍ୟମାନଙ୍କ ଉପରେ ଏହାର ନୀତିକୁ ଲାଗୁ କରେ ଏବଂ ଏହାର ପ୍ରତିଦ୍ୱନ୍ଦ୍ୱୀଙ୍କ ବୈଷୟିକ ବିକାଶକୁ ଦୁର୍ବଳ କରିବାକୁ ଚେଷ୍ଟା କରେ, ତେବେ ଏହା ଅବଶିଷ୍ଟ ବିଶ୍ୱକୁ ଅଧିକ କ୍ଷତି କରିବା ସହ ନିଜ ପାଇଁ ଏହା ଭଲ ହେବ ନାହିଁ।
ପ୍ରାଧ୍ୟାପକ (ଅନ୍ତର୍ଜାତୀୟ ରାଜନୈତିକ ଅର୍ଥ ବ୍ୟବସ୍ଥା), ହାର୍ଭାର୍ଡ କେନେଡି ସ୍କୁଲ