Categories: ବାଣିଜ୍ୟ

ଅର୍ଥନୈତିକ ସର୍ଭେ ରିପୋର୍ଟ;୫ ଲକ୍ଷ କୋଟି ଡଲାର ଅର୍ଥନୀତିର ସ୍ବପ୍ନ

ନୂଆଦିଲ୍ଲୀ,୫-୭: ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା କେ.ଭି.ସୁବ୍ରମଣ୍ୟନଙ୍କ ଦ୍ୱାରା ପ୍ରସ୍ତୁତ ୨୦୧୮-୧୯ ଅର୍ଥନୈତିକ ସର୍ଭେ ରିପୋର୍ଟ ଗୁରୁବାର ସଂସଦରେ ଉପସ୍ଥାପିତ ହୋଇଛି। ଦେଶକୁ ୨୦୨୪-୨୫ ସୁଦ୍ଧା ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ନିଯୁକ୍ତି, ବିକାଶ, ନିବେଶ ବୃଦ୍ଧି ସହ ଏମ୍‌ଏସ୍‌ଏମ୍‌ଇ ସେକ୍ଟର ପ୍ରତି ଫୋକସ୍‌ କରିବାକୁ ପରାମର୍ଶ ଦିଆଯାଇଛି। ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ଦେଶକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବାକୁ ହେଲେ ଜିଡିପି ଅଭିବୃଦ୍ଧିକୁ କ୍ରମାଗତ ବଢ଼ାଇବା ସହ ଏହାକୁ ବଜାୟ ରଖିବାକୁ ହେବ। ବିକାଶ ହାର ଆସନ୍ତା ୫ ବର୍ଷ ଲାଗି କ୍ରମାଗତ ୮%ରେ ପହଞ୍ଚାଇବାକୁ ପଡିବ। ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ଦେଶକୁ ନିବେଶ ବୃଦ୍ଧି ଉପରେ ଜୋର୍‌ ଦେବାକୁ ହେବ। ପୁଞ୍ଜିନିବେଶକୁ ଜିଡିପିର ୩୦ରୁ ୩୫% ହାରରେ ବଢ଼ାଇବାକୁ ହେବ ବୋଲି ରିପୋର୍ଟରେ କୁହାଯାଇଛି।
ଆର୍ଥିକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ୫ ଲକ୍ଷ କୋଟି ଡଲାର ଅର୍ଥନୀତି ହେବା ଦିଗରେ ଦାରିଦ୍ର୍ୟ ଏକ ବଡ଼ ଆହ୍ବାନ ହେବ। ଦେଶରେ ଦାରିଦ୍ର୍ୟ ଦୂରୀକରଣ ଦିଗରେ କିଭଳି ପଦକ୍ଷେପ ନିଆଯିବା ଦରକାର, ଏହାର ଉପାୟ ସ୍ଥିର କରିବା ଆବଶ୍ୟକ। ଗରିବଙ୍କ ଆୟ ବଢ଼ାଇବା ଲାଗି ଯୋଜନା ପ୍ରସ୍ତୁତ ହେବା ଆବଶ୍ୟକ। ଏହାଦ୍ୱାରା ଦାରିଦ୍ର୍ୟ କମିବ। ଏଥିସହିତ ବିବାଦର ସମାଧାନ ଲାଗି ଦୀର୍ଘ ସମୟ ଲାଗିବା ଆଉ ଏକ ବଡ଼ ଆହ୍ବାନ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଆଇନଗତ ପ୍ରକ୍ରିୟାକୁ କିଭଳି ତ୍ୱରାନ୍ବିତ କରାଯାଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ ହେବ। ରିପୋର୍ଟ ଅନୁସାରେ ଏମ୍‌ଏସ୍‌ଏମ୍‌ଇ ସେକ୍ଟରକୁ ଆହୁରି ଶକ୍ତିଶାଳୀ କରିବାକୁ ହେବ। କାରଣ ଏହା ଜରିଆରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ। ଏହି କ୍ଷେତ୍ରରେ ଅଧିକ ନବୀନତ୍ୱ ଆଣିବାକୁ ହେବ, ଯାହାଦ୍ୱାରା ଦେଶର ବିକାଶରେ ଏହାର ଯୋଗଦାନ ଅଧିକ ହେବ।

Share