ଅର୍ଥପାଇଁ ସଂକ୍ରମଣକୁ ଭୟନାହିଁ: କଣ୍ଟାପଡ଼ାର ବିଭିନ୍ନ ବ୍ୟାଙ୍କରେ ସାମାଜିକ ଦୂରତ୍ୱକୁ ଫୁ’

କଣ୍ଟାପଡା, ୧୬।୪(ଡି.ଏନ୍‌.ଏ.): ଜନଧନ ଆକାଉଣ୍ଟଧାରୀଙ୍କ ଖାତାକୁ କେନ୍ଦ୍ର ସରକାର ଟଙ୍କା ପଠାଇଥିବା ଖବର ପ୍ରକାଶ ପାଇବା ପରେ କଣ୍ଟାପଡା ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ବ୍ୟାଙ୍କରେ ଭିଡ ପରିଲକ୍ଷିତ ହୋଇଛି। ବୁଧବାର ବ୍ୟାଙ୍କରେ ବ୍ୟାଙ୍କ ଖାତା ଚେକ କରିବାପାଇଁ ଭିଡ ଅସମ୍ଭାଳ ହୋଇଥିବାବେଳେ ଗୁରୁବାର ସକାଳୁ ବ୍ୟାଙ୍କ ଖୋଲିବା ପୂର୍ବରୁ ଖାତାଧାରୀମାନେ ଭିଡ ଲଗାଇବା ଆରମ୍ଭ କରିଛନ୍ତି। ଓଲଟପୁର ଇଣ୍ଡିଆନ ବ୍ୟାଙ୍କ ଖୋଲିବାପରେ ବ୍ୟାଙ୍କ କର୍ତ୍ତୃପକ୍ଷ ୫ ଜଣ ଲେଖାଏ ଖାତାଧାରୀଙ୍କୁ ଭିତରକୁ ଛାଡି ଗେଟ୍‌ ବନ୍ଦ କରୁଥିବା ଦେଖାଯାଇଥିଲା। ଫଳରେ ଖାତାଧାରୀମାନେ କୋରନା ସଂକ୍ରମଣକୁ ଭୁଲିଯାଇ ସାମାଜିକ ଦୂରତ୍ୱ ନ ରଖି ବ୍ୟାଙ୍କ ମୁଖ୍ୟ ଫାଟକ ନିକଟରେ ଧାଡି ଲଗାଇଥିଲେ। ଏଭଳି ଅବସ୍ଥା ୨ ଦିନଧରି ଲାଗି ରହିଥିଲେ ମଧ୍ୟ ପୋଲିସ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଦେଖାଯାଇ ନ ଥିଲା। ଅପରପକ୍ଷେ ବ୍ୟାଙ୍କ ପକ୍ଷରୁ ଖାତାଧାରୀମାନଙ୍କୁ ସଚେତନ କରାଯାଉ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜୁଛି ବୋଲି ସେଠାରେ ଉପସ୍ଥିତ କେତେକ ସଚେତନ ଖାତାଧାରୀ ମତ ଦେଇଥିଲେ।

Share