ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ, ସବିଶେଷ ଜାଣନ୍ତୁ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଲୋକସେବା ଭବନରେ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ କରୋନା ମୁକାବିଲା ସର୍ମ୍ପକରେ ଆଲୋଚନା କରାଯାଇଥିବା ସୂଚନା ମିଳିଛି। ଆଗାମୀ ଦିନରେ କରୋନା ଟେଷ୍ଟିଂ ସୁବିଧାକୁ ଅଧିକ କରିବା ଉପରେ ଏଥିରେ ଆଲୋଚନା ହୋଇଛି। ତେବେ ବତ୍ତର୍ମାନ ଦିନକୁ ପ୍ରାୟ ୨ହଜାର ନମୂନା ପରୀକ୍ଷା କରାଯାଉଥିବା ବେଳେ ମାସ ଶେଷ ସୁଦ୍ଧା ୩ହଜାର ହୋଇପାରିବ। ମେଡିକାଲ କଲେଜରେ ଏହି ସୁବିଧା ଉପଲବ୍ଧ ହେବା ନେଇ ଆଲୋଚନା ହୋଇଛି। ଏହାଛଡ଼ା କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରସ୍ତାବ ଦିଆଯାଇଛି। ଯେଉଁ ଶ୍ରମିକମାନେ ବାହାରେ ଅଛନ୍ତି, ଲକ୍‌ଡାଉନ୍‌ ଖୋଲିବା ପରେ ଓଡ଼ିଶାକୁ ଆସିବେ। ତାଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ବ୍ୟବସ୍ଥା କରୁଛନ୍ତି। ହେଲେ ବାହାରେ ହିଁ ସେମାନଙ୍କର ନମୂନା ପରୀକ୍ଷା କରାଯିବା ଆବଶ୍ୟକ। ଏପରି ହେଲେ ଓଡ଼ିଶାକୁ ସେମାନେ ଆସିବା ଦ୍ୱାରା କୌଣସି ଅସୁବିଧା ହେବ ନାହିଁ। ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯିବ। ଏହାପରେ କେନ୍ଦ୍ରର ଆଭିମୁଖ୍ୟ ଜଣାପଡ଼ିବ। ମାସ୍କ, ସାନିଟାଇଜର, ସ୍ବାସ୍ଥ୍ୟକର୍ମୀମାନଙ୍କ ପାଇଁ ଆବଶ୍ୟକ କିଟ୍‌ କେତେଦୂର ମହଜୁଦ ରହିଛିସେ ବିଷୟରେ ଆଲୋଚନା ହୋଇଛି। ପାଖାପାଖି ୪ରୁ ୫ମାସର ସାମଗ୍ରୀ ମହଜୁଦ ଥିବା କୁହାଯାଇଛି। ସ୍ବାସ୍ଥ୍ୟକର୍ମୀମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ତଥାପି ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ହେଉଥିବା ଆକ୍ରମଣ ଉପରେ ଆଲୋଚନା ହୋଇଛି। ସେ୍‌ଥିପାଇଁ ରାଜ୍ୟ ସରକାର ପଦକ୍ଷେପ ଏବଂ ଘୋଷଣା ଉପରେ ଆଲୋଚନା ହୋଇଛି। ରାଜ୍ୟର ଭଦ୍ରକ, ବାଲେଶ୍ୱର ଏବଂ ଯାଜପୁରରେ କରୋନା ସ୍ଥିତି ଚିନ୍ତା ବଢ଼ାଇଥିବାକୁ ନେଇ ମଧ୍ୟ ଆଲୋଚନା ହୋଇଥିବା ସୂଚନା ମିଳିଛି।

Share