Categories: ବାଣିଜ୍ୟ

ଅର୍ଥମନ୍ତ୍ରୀଙ୍କ ନୂଆବର୍ଷ ଭେଟି;ରୁପେ, ୟୁପିଆଇ ପେମେଣ୍ଟରେ ଏମ୍‌ଡିଆର୍‌ ଦେୟ ଛାଡ

ନୂଆଦିଲ୍ଲୀ,୨୯-୧୨: ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଲାଗି ସରକାର ରୁପେ ଏବଂ ୟୁପିଆଇ ନେଣଦେଣରେ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌(ଏମ୍‌ଡିଆର୍‌) ଦେୟକୁ ବାଦ ଦେଇଛନ୍ତି। ୨୦୨୦ ଜାନୁୟାରୀ ପହିଲାଠାରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ। କୌଣସି ଗ୍ରାହକ ନେଣଦେଣ ଲାଗି ପଏଣ୍ଟ ଅଫ୍‌ ସେଲ୍‌ (ପିଓଏସ୍‌) ଟର୍ମିନାଲରେ ନିଜର ଡେବିଟ୍‌ କାର୍ଡ ସ୍ବାଇପ୍‌ କରିବା ବେଳେ ସେହି ସମୟରେ ମର୍ଚ୍ଚାଣ୍ଟଙ୍କୁ ନିଜର ସେବା ଯୋଗାଣକାରୀଙ୍କୁ ଏକ ଶୁଳ୍କ ଦେବାକୁ ପଡିଥାଏ, ଯାହାକୁ ଏମ୍‌ଡିଆର୍‌ କୁହାଯାଏ। ଏହାବାଦ କ୍ୟୁଆର୍‌ କୋଡ୍‌ ଆଧାରିତ ନେଣଦେଣ ଉପରେ ଏମଡିଆର୍‌ ଦେବାକୁ ପଡିଥାଏ। ଏମ୍‌ଡିଆର୍‌ ଛାଡ ସଂକ୍ରାନ୍ତ ନୂଆ ନିଷ୍ପତ୍ତି ସମ୍ପର୍କରେ ରାଜସ୍ବ ବିଭାଗ(ଡିଓଆର୍‌) ଶୀଘ୍ର ଏକ ବିଜ୍ଞପ୍ତି ପ୍ରକାଶ କରିବ ବୋଲି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସିଇଓଙ୍କ ସହ ବୈଠକ ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ସୂଚନା ଦେଇଛନ୍ତି। ୫୦ କୋଟି କିମ୍ବା ଏହାଠାରୁ ଅଧିକ ମୂଲ୍ୟର କାରବାର କରୁଥିବା କମ୍ପାନୀଗୁଡିକୁ ଡିଜିଟାଲ ନେଣଦେଣ ଧାରା ପ୍ରୋତ୍ସାହିତ କରିବା ଲାଗି ଡିଓଆର୍‌ ଯୋଜନା ହାତକୁ ନେବ। ଗ୍ରାହକଙ୍କଠାରୁ ରୁପେ ଡେବିଟ କାର୍ଡ ଏବଂ ୟୁପିଆଇ କ୍ୟୁଆର୍‌ କୋଡ ପେମେଣ୍ଟ ଗ୍ରହଣ କରିବା ଲାଗି ବ୍ୟବସ୍ଥା ଆପଣାଇବାକୁ କମ୍ପାନୀଗୁଡିକୁ ଉତ୍ସାହିତ କରାଯିବ ବୋଲି ସୀତାରାମନ ସ୍ପଷ୍ଟ କରିଛନ୍ତି।
ନିର୍ମଳା କହିଛନ୍ତି ଯେ, ଅଂଶୀଦାର ଏବଂ ବ୍ୟାଙ୍କଗୁଡିକ ସହ ଏହି ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ବଜେଟରେ ଏନେଇ ଘୋଷଣା କରାଯାଇଥିଲା, ହେଲେ ବର୍ତ୍ତମାନ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଉଥିବାରୁ ଅତ୍ୟନ୍ତ ଆନନ୍ଦିତ। ବିଦେଶୀ କମ୍ପାନୀଗୁଡିକ ପେମେଣ୍ଟ କ୍ଷେତ୍ର୍ରରେ ଆଗୁଆ ଥିବା ବେଳେ ବର୍ତ୍ତମାନ ସ୍ବଦେଶୀ ଜ୍ଞାନକୌଶଳରେ ଉନ୍ନତୀକରଣ ହୋଇଥିବା ରୁପେ ଏବଂ ଭୀମ ୟୁପିଆଇ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ। ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ଲାଗି ଡିଜିଟାଲ ପେମେଣ୍ଟରେ ଗ୍ରାହକ କିମ୍ବା ମର୍ଚ୍ଚାଣ୍ଟଙ୍କ ଲାଗି କୌଣସି ଏମ୍‌ଡିଆର୍‌ ନ ଲାଗୁ କରାଇବା ନେଇ ସେ ମତ ରଖିଛନ୍ତି। ଲେସ୍‌ କ୍ୟାଶ ଅର୍ଥନୀତି ଲାଗି ରୁପେ ଏବଂ ୟୁପିଆଇ ବ୍ୟବହାରକୁ ତ୍ୱରାନ୍ବିତ କରିବା ଲାଗି ବ୍ୟାଙ୍କ ଏକ ଅଭିଯାନ ଚଳାନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ସେ ଖିଲାପକାରୀଙ୍କ ଜବତ ସମ୍ପତି ବିକ୍ରି ଲାଗି ଏକ ଇ-ନିଲାମୀ ପ୍ଲାଟଫର୍ମ ଶୁଭାରମ୍ଭ କରିଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଦ୍ୱାରା ଜବତ କରାଯାଇଥିବା ୩୫ ହଜାର ସମ୍ପତ୍ତି ତଥ୍ୟ ଏଥିରେ ଅପ୍‌ଲୋଡ କରାଯାଇଛି।

Share