Categories: ରାଜ୍ୟ

ଅର୍ଥମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଲେ ଜୟ ନାରାୟଣ

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ଗୃହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅସତ୍ୟ ତଥ୍ୟ ଦେଇଛନ୍ତି। ତାଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଛନ୍ତି ଭାଜପା ସଦସ୍ୟ ଜୟ ନାରାୟଣ ମିଶ୍ର। ବୁଧବାର ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ସେ ପଏଣ୍ଟ ଅଫ୍‌ ଅର୍ଡର ଜରିଆରେ ଏନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଥିଲେ ଯେ, ଗତ ୨୨ତାରିଖରେ ଭାଜପା ସଭ୍ୟ ମୋହନ ଚରଣ ମାଝିଙ୍କ ତାରକା ପ୍ରଶ୍ନ ନଂ-୨୯୫ର ଉତ୍ତର ଦେଇ ଅର୍ଥମନ୍ତ୍ରୀ କହିଥିଲେ ଯେ, ୨୦୦୬ରୁ ରାଜ୍ୟରେ କୌଣସି ମଦ ଦୋକାନ ଖୋଲାଯାଇନାହିଁ। ଏହା ସମ୍ପୂର୍ଣ୍ଣ ଅସତ୍ୟ। ରାଜ୍ୟରେ ୨୦୦୬ ପରଠାରୁ ବହୁ ମଦ ଦୋକାନ ଖୋଲିଛି। ସ୍ବାଧିକାର କମିଟି ତଥ୍ୟ ମାଗିଲେ ସମସ୍ତ ପ୍ରମାଣ ଯୋଗାଇ ଦେବି ବୋଲି ସେ କହିଥିଲେ। ଏହି ଅଭିଯୋଗକୁ ସ୍ବାଧିକାର କମିଟିକୁ ପଠାଯାଉ ବୋଲି ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅର୍ଥମନ୍ତ୍ରୀଙ୍କ ବିରୋଧରେ ଜୟ ନାରାୟଣ ଆଣିଥିବା ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଉପରେ ପରୀକ୍ଷା ନିରୀକ୍ଷା କରିବେ ବୋଲି ବାଚସ୍ପତି କହିଥିଲେ।

Share