ଅର୍ଥାଭାବରୁ ହୋଇପାରୁନିି ଚିକିତ୍ସା, ଜୀବନ ଯନ୍ତ୍ରଣାରେ ସୁରେଖା

ଗଣ୍ଡତୁରୁମ, ୩୧।୧୨(ଡି.ଏନ.ଏ.)
ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣତୁରୁମ ଗ୍ରାମର ସୁରେଖା ମେହେର (୪୫) । ସେ ଆଜକୁ ଦୁଇବର୍ଷ ହେବ ଦଉଡ଼ି ଖଟରେ ପଡ଼ିରହି ଛଟପଟ ହେଉଛନ୍ତି। ଅର୍ଥାଭାବରୁ ମେରୁଦଣ୍ଡ ଜନିତ ସମସ୍ୟାର ଉପଚାର କରି ନ ପାରି ସେ ଏପରି ଦୁର୍ଦ୍ଦଶା ଭୋଗୁଛନ୍ତି ।
ସ୍ବାମୀ ସରଜୁ ମେହେର, ୨ ଝିଅ ଓ ଗୋଟିଏ ପୁଅକୁ ନେଇ ସୁରେଖାଙ୍କ ପରିବାର। ଗତ ୨୦୧୭ ଜୁନ୍‌ ୨୮ ତାରିଖରେ ସୁରେଖା ନିଜ ଘର ଛାତ ଉପରକୁ ଧାନ ଶୁଖାଇବା ପାଇଁ ମାଟି ପାହାଚ ଚଢୁଥବାବେଳେ ଗୋଡ଼ ଖସିଗଲା। ଅଚେତ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନା ନେଇଗଲେ। ସେଠାରେ ଡାକ୍ତର ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନେଇଯିବାକୁ କହିଲେ। ସୁରେଖାଙ୍କ ଜୀବନ ବଞ୍ଚାଇବା ଲକ୍ଷ୍ୟରେ ପରିବାର ଲୋକେ ଘରର ଆସବାବ ସହିତ ଜମି ବନ୍ଧକ ରଖି ଟଙ୍କା ଯୋଗାଡ଼ କଲେ। ଶୀଘ୍ର ଚିକିତ୍ସା ହେବ ଭାବି କଟକର ଏକ ଘରୋଇ ନର୍ସିଂହୋମ୍‌ରେ ତାଙ୍କୁ ଭର୍ତ୍ତି କରାଗଲା। ତେବେ ଅତ୍ୟଧିକ ଖର୍ଚ୍ଚ ତୁଲାଇ ନ ପାରି ପରିବାର ଲୋକେ ସୁରେଖାଙ୍କୁ ପୁଣି ସରକାରୀ ଡାକ୍ତରଖାନାକୁ ଫେରାଇ ଆଣିଲେ । ସେଠାରେ ମଧ୍ୟ ଡାକ୍ତର ଆହୁରି ଉଚ୍ଚତର ଚିକିତ୍ସା ପାଇଁ ପରାମର୍ଶ ଦେଲେ । ସରଜୁ ଖର୍ଚ୍ଚ ତୁଲାଇ ନ ପାରି ତାଙ୍କୁ ଘରକୁ ନେଇ ଆସିଲେ। ସେହଦିନଠାରୁ ସୁରେଖା ଉଠିବସି ନ ପାରି ଘର କୋଣରେ ଦଉଡ଼ିଆ ଖଟରେ ପଡ଼ିରହିଛନ୍ତି। ପରିବାର ସଦସ୍ୟଙ୍କ ସେବା ଶୁଶ୍ରୁଷା ପାଇ ଏତେଦିନ ଭାଗ୍ୟକୁ ଆଦରି ବଞ୍ଚତ୍ରହି ବୋଝ ପାଲଟିଛନ୍ତି। ଏମିତି ଦହଗଞ୍ଜ ଜୀବନ ଅପେକ୍ଷା ମରିଯିବା ଭଲ ବୋଲି ଛଳଛଳ ଆଖିରେ କହିଛନ୍ତି ସୁରେଖା। କୌଣସି ସହୃଦୟ ବ୍ୟକ୍ତି କିମ୍ବା ପ୍ରଶାସନିକ ଅଧିକାରୀଙ୍କ ସହାୟତାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତାଙ୍କୁ ସହାୟତା ମିଳିଲେ ତାଙ୍କର ଚିକିତ୍ସା ହୋଇପାରନ୍ତା ବୋଲି ଗ୍ରାମବାସୀ ଅନୁରୋଧ କରିଛନ୍ତି ।

Share