Categories: ବାଣିଜ୍ୟ

ଅର୍ଥ ଅଭାବ ଲାଗି ଛିଡା ହେଲା ଏୟାର ଇଣ୍ଡିଆର ୧୯ ବିମାନ

ନୂଆଦିଲ୍ଲୀ,୨୬-୪: ଜେଟ୍‌ ଏୟାରଓ୍ବେଜ ଭଳି ଏୟାର ଇଣ୍ଡିଆରେ ଆର୍ଥିକ ସଙ୍କଟ ଦେଖାଦେଇଛି। ଅର୍ଥର ଅଭାବ କାରଣରୁ କମ୍ପାନୀର ୧୯ ବିମାନ ଏବେ ବିମାନ ବନ୍ଦରରେ ଛିଡା ହୋଇଛି। ଏଥିରେ ବୋଇଂ ୭୭୭, ବୋଇଂ ୭୮୭ ଏବଂ ଏୟାରବସ୍‌ ଏ୩୨୦ ଭଳି ବିମାନ ରହିଛି। ଏଗୁଡ଼ିକ ଗତ କିଛି ମାସ ହେଲା କାର୍ଯ୍ୟକ୍ଷମ ନାହାନ୍ତି। ଇତିମଧ୍ୟରେ ଜେଟ୍‌ ଏୟାରଓ୍ବେଜର  ବୋଇଂ ୭୭୭ ବିମାନ ଲିଜ୍‌ରେ ନେବାକୁ ଏୟାର ଇଣ୍ଡିଆ ଆଗ୍ରହ ପ୍ରକାଶ କରିଛି। ଏଥିପାଇଁ  କମ୍ପାନୀ ଷ୍ଟେଟ ବ୍ୟାଙ୍କକୁ ଅନୁରୋଧ କରିଛି। ତେବେ ଏୟାର ଇଣ୍ଡିଆକୁ ଏବେ ଅନ୍ତତଃପକ୍ଷେ ଏବେ ୫୦୦ କୋଟି ଟଙ୍କାର ଆବଶ୍ୟକତା ରହିିଛି। ଏହି ଅର୍ଥରେ ପଡି ରହିଥିବା ବିମାନଗୁଡ଼ିକୁ ସଜାଡି କମ୍ପାନୀ ଉଡ଼ାଇବାକୁ ଚାହୁଁଛି। ଏୟାର ଇଣ୍ଡିଆର ଅବସ୍ଥା ଏପରି ସାଂଘାତିକ ଯେ, କମ୍ପାନୀ ନୂଆ ବିମାନରୁ ପାଟର୍‌ସ ବାହାର କରି ପୁରୁଣା ବିମାନରେ ଲଗାଇବାକୁ ବାଧ୍ୟ ହେଉଛି। ନୂଆ ପାଟର୍‌ସ କିଣିବାକୁ ଏହା ନିକଟରେ ଅର୍ଥ ନାହିଁ। ସୂଚନାଥାଉ କି, ଏୟାର ଇଣ୍ଡିଆ ନିକଟରେ ୧୮ ବୋଇଂ ୭୭୭,୨୭ ବୋଇଂ ୭୮୭, ୪ ବୋଇଂ ୭୪୭ ବିମାନ ରହିଛି। ଏଗୁଡ଼ିକୁ ଅନ୍ତର୍ଜାତୀୟ ରୁଟ୍‌ରେ ଉଡ଼ାଯାଇଥାଏ। ହଜ୍‌ ଯାତ୍ରା, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ବୋଇଂ ୭୪୭ରେ ଯାତ୍ରା କରିଥାନ୍ତି। ବର୍ତ୍ତମାନ ଏୟାର ଇଣ୍ଡିଆ ଉପରେ ୪୮ ହଜାର କୋଟି ଟଙ୍କାର ଋଣବୋଝ ରହିଛି। ଦେଶରେ ସାଧାରଣ ନିର୍ବାଚନ ଚାଲିଥିବାରୁ ସରକାର କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ। ଏହି କାରଣରୁ ଏୟାର ଇଣ୍ଡିଆକୁ ଅର୍ଥ ସହାୟତା କରିବା ସରକାରଙ୍କ ପକ୍ଷରେ ଅଡୁଆ ହୋଇଛି। ଅର୍ଥ ଅଭାବରେ ଆଗାମୀ ଦିନରେ କମ୍ପାନୀର ଆହୁରି କିଛି ବିମାନ ଛିଡ଼ା ହେବ ବୋଲି ମନେକରାଯାଉଛି।

Share