ଅର୍ଥ ତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲା: ଅନ୍ୟତମ ଅଭିଯୁକ୍ତ ଗିରଫ

ପାରାଦୀପ,୬ା୧୧(ସ୍ବ.ପ୍ର.): ରାଜ୍ୟର ବହୁଚର୍ଚ୍ଚିତ ଅର୍ଥ ତତ୍ତ୍ୱ(ଏଟି ଗ୍ରୁପ୍‌)ଚିଟ୍‌ଫଣ୍ଡ ଠକେଇର ଅନ୍ୟତମ ଅଭିଯୁକ୍ତ ପବିତ୍ର ଦାସଙ୍କୁ ମଙ୍ଗଳବାର ପାରାଦୀପ ଅଭୟଚାନ୍ଦପୁର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ପବିତ୍ରଙ୍କ ଘର ଏହି ଥାନା ଅଧୀନ ରଙ୍ଗିଆଗଡ଼ ଗ୍ରାମରେ। ସେ ୨୦୧୪ ଜୁନ୍‌ ୧୦ରୁ ଫେରାର ଥିଲେ। ପବିତ୍ରଙ୍କୁ ଗିରଫ ପରେ ଏଟି ଗ୍ରୁପ୍‌ର ମୁଖ୍ୟ ପ୍ରଦୀପ ସେଠୀଙ୍କୁ ଅଭୟଚାନ୍ଦପୁର ପୋଲିସ ରିମାଣ୍ଡରେ ନେବ ବୋଲି ପାରାଦୀପ ଏଏସ୍‌ପି ବିଷ୍ଣୁଚରଣ ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୪ରେ ପାରାଦୀପରେ ପ୍ରସ୍ତାବିତ ପ୍ଲାଷ୍ଟିକ୍‌ ପାର୍କ ଶିଳ୍ପ ପାଇଁ ଜମି ଅଧିଗ୍ରହଣ ହୋଇଥିଲା। ଇଡ୍‌କୋ ପକ୍ଷରୁ କରାଯାଇଥିବା ଅଧିଗ୍ରହଣ ବେଳେ ରଙ୍ଗିଆଗଡ଼ ଗ୍ରାମର ଅନେକ ଲୋକ ଜମି ହରାଇଥିଲେ। ପ୍ରତି ବଦଳରେ ସେମାନଙ୍କୁ ଟଙ୍କା ମିଳିଥିଲା। ସେହି ଜମିହରାଙ୍କୁ ପବିତ୍ର ଟାର୍ଗେଟ କରି ଅର୍ଥତତ୍ତ୍ୱ ଓ ମାଗ୍‌ମା ଫାଇନାନ୍ସରେ ଟଙ୍କା ଜମା କରିବା ପାଇଁ ପରାମର୍ଶ ଦେଇଥିଲେ। ୩ ବର୍ଷରେ ଦୁଇ ଗୁଣ ଅର୍ଥ ମିଳିବା ଆଶାରେ ସେତେବେଳେ ୧୧ଜଣ ଲୋକ ପ୍ରାୟ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ପବିତ୍ରଙ୍କୁ ଦେଇଥିଲେ। ସେମାନେ ହେଲେ ହେଲେ ରଙ୍ଗିଆଗଡ଼ ଗ୍ରାମର ରବି ବେହେରା, ଛବି ବେହେରା, ନୀର ବେହେରା, ଅଭୟ ବେହେରା, ସହଦେବ ବାରିକ, ତରୁଣ ମଲ୍ଲିକ, ଅକ୍ଷୟ ମଲ୍ଲିକ, ନିମାଇଁ ମଣ୍ଡଳ, ନକୁଳ ଦାସ, ଅନାମ ସେଠୀ, ଗୋପନ ମଲ୍ଲିକ। ପରେଟଙ୍କା ନ ମଳିବାରୁ ରବି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୧୧୫/୧୪ରେ ମାମଲା ରୁଜୁ ତଦନ୍ତ କରିଥିଲା। ଅଭିଯୁକ୍ତ ପବିତ୍ରଙ୍କ ସହ ତାଙ୍କ ମା’ସଲିଆ ଓ ବଡ଼ଭାଇ ଦିଲୀପଙ୍କ ନାମ ମଧ୍ୟ ଥିଲା। ଦିଲୀପ ଜଣେ ଆଇନଜୀବୀ ଥିବାରୁ ସେ ଓ ତାଙ୍କ ମା’ ହାଇକୋର୍ଟରୁ ଆଗୁଆ ଜାମିନ ପାଇ ଗଁାରେ ଅଛନ୍ତି। ପବିତ୍ର ସେବେଠାରୁ ଫେରାର ଥିଲେ। ତାଙ୍କୁ ସୋମବାର ଭୁବନେଶ୍ୱରରୁ କଟକ ଯାଉଥିବା ବେଳେ ବାଟରେ ପୋଲିସ ଗିରଫ କରିଥିଲା ବୋଲି ଥାନାଧିକାରୀ ଯୁଗଳ କିଶୋର ଦାସ କହିଛନ୍ତି। ଏହାପରେ ତାଙ୍କର ବ୍ୟାଙ୍କ କାରବାର ଓ ଅନ୍ୟ ପ୍ରସଙ୍ଗରେ ପୋଲିସ ଯାଞ୍ଚ କରିବ। ସମସ୍ତ ଅର୍ଥକୁ ଅଭିଯୁକ୍ତ ପବିତ୍ର ଉପରୋକ୍ତ ଦୁଇ ସଂସ୍ଥାରେ ବିନିଯୋଗ କରିଥିଲେ। ପ୍ରତିବଦଳରେ ତାଙ୍କୁ କମିଶନ ମିଳୁଥିଲା ବୋଲି କହିଛନ୍ତି।