ଅର୍ଥ ଫେରସ୍ତ ଲାଗି ନିର୍ମଳାଙ୍କୁ ପ୍ରତାପଙ୍କ ଅନୁରୋଧ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଶ୍ରୀମନ୍ଦିର ପ୍ରଶାସନ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ରଖିବା ଯୋଗୁ ରାଜ୍ୟବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସ୍ଥିତିରେ କିପରି ଜଗନ୍ନାଥଙ୍କ ଅର୍ଥ ଫେରସ୍ତ ଆସିବ ସେନେଇ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କୁ ଭେଟି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଅନୁରୋଧ କରିଛନ୍ତି। ଗୁରୁବାର ସୀତାରାମନ୍‌ଙ୍କୁ ଏକ ଦାବିପତ୍ର ପ୍ରଦାନ କରି ପ୍ରତାପ ସେଥିରେ ଉଲ୍ଲେଖ କରିଛନ୍ତି ଯେ, ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରି ମନ୍ଦିର ପ୍ରଶାସନ କାହିଁକି ଜୀତୀୟ ବ୍ୟାଙ୍କ ଛାଡ଼ି ଘରୋଇ ବ୍ୟାଙ୍କରେ ଅର୍ଥ ରଖିଲା ତାହାର ତଦନ୍ତ ହେବା ଆବଶ୍ୟକ। ଏଥିରୁ ଜଣାପଡୁଛି ଯେ, କେତେଜଣ ସରକାରୀ ଅଧିକାରୀ ନିଜର ବ୍ୟକ୍ତିଗତ ସ୍ବାର୍ଥ ସାଧନ ଲାଗି ଏଭଳି ଷଡ଼ଯନ୍ତ୍ର କରିଛନ୍ତି। ଲକ୍ଷଲକ୍ଷ ଭକ୍ତଙ୍କ ଭାବାବେଗ ସହିତ ଖେଳିଥିବା ଏବଂ ଏଭଳି ଅନିୟମିତତାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। ଏହି ଘଟଣାର ଏକ ସ୍ବତନ୍ତ୍ର ତଦନ୍ତ ନିର୍ଦ୍ଦେଶ ଦେବା ସହିତ ଆର୍‌ବିଆଇକୁ ଜଗନ୍ନାଥଙ୍କ ଟଙ୍କା ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ଫେରାଇ ଦେବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ପ୍ରତାପ ଦର୍ଶାଇଛନ୍ତି।

Share