ଅର୍ଥ ବ୍ୟବସ୍ଥାକୁ ଲାଗିବ ୯ ଲକ୍ଷ କୋଟିର ଝଟକା

ନୂଆଦିଲ୍ଲୀ,୨୬। ୩: କୋଭିଡ ୧୯ ପାଇଁ ସାରା ଦେଶକୁ ଏବେ ଲକ୍‌ଡାଉନ କରାଯାଇଛି। ଏହା ଦ୍ୱାରା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)କୁ ପ୍ରାୟ ୪% ବା ୧୨୦ ବିଲିୟନ ଡଲାର(୯ ଲକ୍ଷ କୋଟି)ର ଝଟକା ଲାଗିବା ନେଇ ଆଶଙ୍କା କରାଯାଉଛି। ଏ ନେଇ ବ୍ରିଟିଶ ବ୍ରୋକରେଜ ବର୍କଲେଜ ପକ୍ଷରୁ ଆକଳନ କରାଯାଇଛି। ଭାରତ ବଜାର ଲାଗି ବିଭିନ୍ନ ଅନ୍ତର୍ଜାତୀୟ ଏଜେନ୍ସି ଏବେ ବିକାଶ ହାର ପୂର୍ବାନୁମାନକୁ କମ୍‌ କରୁଛନ୍ତି। ଏଭଳି ସ୍ଥିତିରେ ସରକାର ସହାୟତା ପ୍ୟାଜେକ ଘୋଷଣା କରିବାର ଆବଶ୍ୟକତା ରହିଛି ବୋଲି ବଜାର ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଏହି ସମୟରେ ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ଭାରତର ବିକାଶ ହାର ପୂର୍ବାନୁମାନକୁ ୧.୭% ପଏଣ୍ଟ ହ୍ରାସ କରିବା ସହ ୩.୫% ରଖିଛି।
ଏପ୍ରିଲ ୩ରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକ(ଏମ୍‌ପିସି) ଅନୁଷ୍ଠିତ ହେବ। ଏଥିରେ ସୁଧହାର ହ୍ରାସ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ଏହାବାଦ ବିତ୍ତୀୟ ନିଅଣ୍ଟ ଧାର୍ଯ୍ୟ ଲକ୍ଷ୍ୟ ପରିବର୍ତ୍ତନ ହୋଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏହି ସମୟରେ ରିଜର୍ଭ ବ୍ୟାଙ୍କ ୦.୬୫% ସୁଧହାର ହ୍ରାସ ଘୋଷଣା କରିପାରେ। ଏପରିକି ବର୍ଷକ ମଧ୍ୟରେ ୧% ରେପୋ ହ୍ରାସ ହୋଇପାରେ ବୋଲି ବର୍କଲେଜ ଏହାର ରିପୋର୍ଟରେ ପ୍ରକାଶ କରିଛି। ସାରା ଦେଶ ଲକ୍‌ଡାଉନ ହୋଇଯିବା ଫଳରେ ଏହାର ପ୍ରଭାବ ଅର୍ଥ ବ୍ୟବସ୍ଥା ଉପରେ ପଡିଛି। ଦେଶର ପୁଞ୍ଜି ବଜାର ଏବେ ମଧ୍ୟ କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ବୁଧବାର କାରବାରରେ ସେନ୍‌ସେକ୍ସ ୦.୪୭% ନିମ୍ନରେ ରହିଛି। ୩ ସପ୍ତାହରେ ସାରା ଦେଶକୁ ପ୍ରାୟ ୯୦ ବିଲିୟନ କ୍ଷତି ସହିବାକୁ ପଡିବ। ଏହାବାଦ ପୂର୍ବରୁ କିଛି ରାଜ୍ୟ ଲକ୍‌ଡାଉନ ଘୋଷଣା କରିଥିବାରୁ ତତ୍‌ଜନିତ କ୍ଷତିକୁ ମିଶାଇଲେ ମୋଟ କ୍ଷତି ୧୨୦ ବିଲିୟନ ଡଲାର ଛୁଇଁବ ବୋଲି ଆକଳନ କରାଯାଇଛି।
ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ କ’ଣ ରହିବ ସେ ନେଇ ସରକାର ଏବେ ଯାଏ ନୀରବ ରହିଥିବା ଘରୋଇ ବ୍ରୋକରେଜ ଫାର୍ମ ଏମ୍‌କେ ପ୍ରକାଶ କରିଛି। ଏ ଦିଗରେ ନୀତି ନିର୍ଦ୍ଧାରକ ଆଗୁଆ ଲଗାଇଥିବା ପୂର୍ବାନୁମାନ ପାଇଁ ଧନ୍ୟବାଦ ପ୍ରଦାନ କରିଛି। ଏହି ଏଜେନ୍ସି କହିଛି ଯେ, ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା କ୍ଷୁଦ୍ରଶିଳ୍ପ ଏବେ ଯାଏ ଅଣ୍ଟାସଳଖି ଛିଡା ହୋଇନାହିଁ। ସରକାର ପଦକ୍ଷେପ ଗ୍ରହଣ କରିବା ଦ୍ୱାରା ଏହି କ୍ଷେତ୍ରଗୁଡିକର ସମସ୍ୟାକୁ ଲାଘବ କରାଯାଇ ପାରିବ ବୋଲି କୁହାଯାଇଛି। କ୍ଷୁଦ୍ର ବାଣିଜ୍ୟ ଲାଗି ଋଣ ସୁବିଧା, ଋଣ ପୁନର୍ଗଠନ, ନଗଦ ସୁବିଧା, ଟାସ୍କଫୋର୍ସ ସୁବିଧା ଏବଂ ରାଜ୍ୟଗୁଡିକ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି। ଏଡେଲଓ୍ବିସ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନର ଅସୁବିଧା ସମୟରେ ଯେଭଳି ପ୍ରସ୍ତୁତିର ଆବଶ୍ୟକତା ରହିଛି ସେ ଦିଗରେ ସରକାର ଠିକ୍‌ ଭାବେ ପଦକ୍ଷେପ ନେଇନାହାନ୍ତି। ଭାରତକୁ ଅଧିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି।

Share