Categories: ଜାତୀୟ

ଅଲିବଗ ନିକଟରେ ସ୍ଥଳଭାଗ ଛୁଇଁପାରେ ‘ନିସର୍ଗ’

ପୁଣେ,୨।୬: ବାତ୍ୟା ‘ନିସର୍ଗ’ବୁଧବାର ମହାରାଷ୍ଟ୍ରର ଉପକୂଳ ଅଲିବଗ ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଏହି ସମୟରେ ପବନର ବେଗ ୧୦୦ କିଲୋମିଟର ପ୍ରତିଘଣ୍ଟା ରହିବ ବୋଲି କୁହାଯାଇଛି। ‘ନିସର୍ଗ’ ସ୍ଥଳଭାଗ ଛୁଇଁବା ସମୟରେ ପାଲଘର, ପୁଣେ, ଥାଣେ, ମୁମ୍ବାଇ, ରାଇଗଡ, ଧୁଲେ ଓ ନନ୍ଦୁରବାର ଏବଂ ନାସିକରେ ପ୍ରବଳ ବର୍ଷା ହୋଇପାରେ ବୋଲି କହିଛନ୍ତି ପୁଣେ ପାଣିପାଗ ବିଭାଗର ବିଶେଷଜ୍ଞ ଡ.ଅନୁପମ କାଶ୍ୟପି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଉପକୂଳ ଅଞ୍ଚଳରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ମୁତୟନ କରାଯାଇଛି। ମହାରାଷ୍ଟ୍ରରେ ବାତ୍ୟା ‘ନିସର୍ଗ’ ବ୍ୟାପକ କ୍ଷତି ଘଟାଇପାରେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଗତ ମାସ ଶେଷ ବେଳକୁ ବାତ୍ୟା ‘ଅମ୍ଫନ’ ପଶ୍ଚିମବଙ୍ଗରେ ବହୁ ପରିମାଣରେ କ୍ଷୟକ୍ଷତି ଘଟାଇଥିବା ବେଳେ ଧନଜୀବନ ହାନି ହୋଇଥିଲା।

Share