(ରତନ ନାୟାର) ଢେଙ୍କାନାଳ ଅଫିସ, ୩।୬: ପିଲାଟି ଦିନରୁ ଦୁଃସାହସୀ ଥିଲେ କଳ୍ପନା। ପିଲାବେଳୁ ଏଭରେଷ୍ଟ ଶିଖର ଛୁଇଁବା ସ୍ବପ୍ନ ଦେଖିଥିଲେ ସେ। ଏହି ଇଚ୍ଛା ପୂରଣ କରିବାକୁ ସେ ୨୦୦୪ ଏବଂ ୨୦୦୬ରେ ଅଭିଯାନ ଆରମ୍ଭ କରିଥିଲେ। ହେଲେ ପ୍ରତିକୂଳ ପାଗ, ବରଫ ଝଡ଼ ତାଙ୍କ ପଥ ଅବରୋଧ କରି ରଖିଥିଲା। ଦୁଇଥର ଅଭିଯାନ ଅଧାରୁ ଶେଷ ହୋଇଥିଲା। ତଥାପି ହାର୍ ମାନି ନ ଥିଲେ ଦୃଢ଼ମନା କଳ୍ପନା। ଏଭରେଷ୍ଟରେ ପାଦ ରଖିବାକୁ ସେ ଅହରହ ଉଦ୍ୟମ ଜାରି ରଖିଥିଲେ। ଏଥିପାଇଁ ଆବଶ୍ୟକ ପ୍ରଶିକ୍ଷଣ ମଧ୍ୟ ନେଇଥିଲେ, ଯାହା ସଫଳ ରୂପ ନେଇଥିଲା ୨୦୦୮ ମେ ୨୧ରେ। ପ୍ରଥମ ଓଡ଼ିଆ ମହିଳା ଭାବରେ ସେ ଏଭରେଷ୍ଟ ଶୃଙ୍ଗରେ ପାଦରଖି ସାଉଁଟିଥିଲେ ଅଜସ୍ର ପ୍ରଶଂସା। ଏହାପରେ ୨୦୧୫ରେ ଦକ୍ଷିଣ ଆଫ୍ରିକାର ସର୍ବୋଚ୍ଚ ଶୃଙ୍ଘ ମାଉଣ୍ଟ କିଲିମାଞ୍ଜାରୋ, ଦକ୍ଷିଣ ଆମେରିକାର ଆମ୍ଦେମ ରେଞ୍ଜ୍, ୟୁରୋପର କାଉଜାସୁସ୍ ରେଞ୍ଜ୍କୁ ସେ ବିନା ଅମ୍ଲଜାନରେ ଆରୋହଣ କରିଥିଲେ। କେବଳ ଏତିକି ନୁହେଁ, ଅଷ୍ଟ୍ରେଲିଆର ମେନଲ୍ୟାଣ୍ଡ ମାଉଣ୍ଟ କୋଜିଭସ୍କୋକୁ ସେ ସଫଳତାର ସହ ଆରୋହଣ କରିଥିଲେ। କେବଳ ଏତିକି ନୁହେଁ, କଳ୍ପନାଙ୍କ ପେସାଦାର ଜୀବନ ବି ବେଶ୍ ସଂଘର୍ଷମୟ ଥିଲା। ପେସାରେ ସେ ଥିଲେ ଜଣେ ଆଇନଜୀବୀ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ସେ ଅଧିକାଂଶ ସମୟ ଚିନ୍ତାଗ୍ରସ୍ତ ରହୁଥିଲେ। ଏହାସତ୍ତ୍ୱେ ସେ ନିଜର ନିଶା ଛାଡ଼ିପାରି ନ ଥିଲେ। ନିଜର ନିଆରା ପ୍ରତିଭା ପାଇଁ ତାଙ୍କୁ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଜିଲା ମହୋତ୍ସବରେ ରାଜ୍ୟସ୍ତରୀୟ କପିଳାସ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଦ୍ୱନ୍ଦ୍ୱ ଆଶଙ୍କାରେ ୧୧ ଦିନ
ଏଭରେଷ୍ଟର ଉତ୍ତୁଙ୍ଗ ଶିଖରକୁ ଛୁଇଁବାକୁ ଅଦମ୍ୟ ଇଚ୍ଛା ନେଇ ଏପ୍ରିଲ ୧୭ରେ ଦ୍ୱିତୀୟ ଥର ଅଭିଯାନରେ ବାହାରିଥିଲେ କଳ୍ପନା। ନେପାଳର କାଞ୍ଚତ୍ମାୟା ତମାଙ୍ଗ ଏବଂ ଚାଇନାର ଲିଆମୁ ମାଙ୍କ ସହ ସେ ନେପାଳରୁ ଏଭରେଷ୍ଟ ଚଢ଼ିବା ଆରମ୍ଭ କରିଥିଲେ। ମେ ୨୩ରେ ଅଭିଯାନ ଶେଷ କରି ଫେରୁଥିବାବେଳେ ବାଲ୍କୋନି ଏରିଆରେ ଅମ୍ଳଜାନ ଅଭାବରୁ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଲେ କଳ୍ପନା। ସନ୍ଧ୍ୟା ୬ଟା ୪୧ରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ସହଯାତ୍ରୀ ଦଳର ସଦସ୍ୟମାନେ ପରିବାରକୁ ସୂଚନା ଦେଇଥିଲେ। ସାରା ଦେଶରେ ନିର୍ବାଚନ ଫଳାଫଳ ଘୋଷଣା ଚାଲିଥିବାବେଳେ ଏପରି ଦୁଃଖଦ ଖବର କରିଦେଇଥିଲା ସମସ୍ତଙ୍କୁ ସ୍ତବ୍ଧ।
ବାଲ୍କୋନି ଏରିଆରୁ ମୃତଦେହ ଉଦ୍ଧାର କରିବା ଏତେ ସହଜ ନ ଥିଲା। ଏଥିପାଇଁ ନେପାଳ ସରକାରଙ୍କ ପକ୍ଷରୁ ମୃତଦେହ ଉଦ୍ଧାର କରିବାକୁ ଆରମ୍ଭ ହୋଇଥିଲା ସ୍ବତନ୍ତ୍ର ଅଭିଯାନ। ପ୍ରତିକୂଳ ପରିସ୍ଥିତି ଓ ପାଗ ଖରାପ ହେବା କାରଣରୁ ଏହି କାର୍ଯ୍ୟ ବିଳମ୍ବିତ ହୋଇଥିଲା। କଳ୍ପନାଙ୍କ ମରଶରୀରକୁ ଏଭରେଷ୍ଟ ବାଲକୋନି ଏରିଆରୁ ଲୁକାସ୍ଥିତ ବେସ୍ କ୍ୟାମ୍ପକୁ ଆଣିବାକୁ ଶେରପାଙ୍କୁ ପାଖାପାଖି ସପ୍ତାହେ ଲାଗିଯାଇଥିଲା। ମେ ୩୦ରେ ବେସ୍କ୍ୟାମ୍ପ-୪ରୁ ତାଙ୍କର ପାର୍ଥିବ ଶରୀର ହେଲିକପ୍ଟର ଯୋଗେ କାଠମାଣ୍ଡୁ ଅଣାଯାଇଥିଲା। ସେଠାରୁ ମୃତଦେହ ଶନିବାର ଦିଲ୍ଲୀ ଅଣାଯାଇଥିଲା। ହେଲେ ବିମାନ ମିସ୍ ହୋଇଯିବାରୁ ଭୁବନେଶ୍ୱର ଆସିପାରି ନ ଥିଲା ମୃତଦେହ। ଦୁର୍ଘଟଣାର ୧୧ ଦିନ ପରେ ମୃତଦେହ ଜନ୍ମମାଟି ଢେଙ୍କାନାଳକୁ ଆସିବାପରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ। ହଜାର ହଜାର ଜନସାଧାରଣ ରାସ୍ତାର ଉଭୟ ପାର୍ଶ୍ୱରେ ଏକାଠି ହୋଇ କଳ୍ପନାଙ୍କୁ ଜଣାଇଥିଲେ ଅଶ୍ରୁଳ ବିଦାୟ।
ବେସ୍ କ୍ୟାମ୍ପ-୩ରୁ ‘ଧରିତ୍ରୀ’କୁ ଦେଇଥିଲେ ସୂଚନା
ଏଭରେଷ୍ଟର ପ୍ରତିକୂଳ ପାଗ, ଟ୍ରାଫିକ୍ ଜାମ୍ ସତ୍ତ୍ୱେ ମେ ୧୨ରେ ୩ନଂ. ବେସ୍ କ୍ୟାମ୍ପରେ ପହଞ୍ଚତ୍ଥିଲେ କଳ୍ପନା। ତାଙ୍କ ସହ ଥିଲେ ସହଯାତ୍ରୀ କାଞ୍ଚତ୍ମାୟା ତମାଙ୍ଗ ଏବଂ ଲିଆମୁ ମା। ସେଠାରୁ ଶାଢ଼ି ପିନ୍ଧି କଳ୍ପନା ନିଜ ଫଟୋ ହ୍ବାଟ୍ସଆପ୍ରେ ଶେୟାର କରିଥିଲେ। ଏଥିସହ ଅଭିଯାନ ସମ୍ପର୍କରେ ‘ଧରିତ୍ରୀ’ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ। ଉକ୍ତ ସମୟରେ ପ୍ରବଳ ଥଣ୍ଡା ପବନ ପ୍ରବାହିତ ହେଉଥିବାରୁ ଯାତ୍ରା କଷ୍ଟକର ହେଉଥିଲା। ତେଣୁ ଏଭରେଷ୍ଟ ଶିଖରରେ ପହଞ୍ଚତ୍ବାକୁ ଅଧିକ ସମୟ ଲାଗିବ ବୋଲି ସ୍ପଷ୍ଟ କରିଥିଲେ କଳ୍ପନା। ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ମେ ୧୬ ମଧ୍ୟାହ୍ନ ୧୨ଟା ୧୫ରେ ଏଭରେଷ୍ଟ ଶୀର୍ଷରେ ପହଞ୍ଚତ୍ ଅଭିଯାନ ଶେଷ କରିଥିଲେ। ହେଲେ ଏହି ଏଭରେଷ୍ଟ ଅଭିଯାନ ପାଲଟି ଯାଇଥିଲା ତାଙ୍କର ଅନ୍ତିମ ଯାତ୍ରା।
ଲୁହରେ ଭିଜିଲା ମିନି ଷ୍ଟାଡିୟମ
ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ କଳ୍ପନାଙ୍କ ଅନ୍ତିମ ଦର୍ଶନ ପାଇଁ ମିନି ଷ୍ଟାଡିୟମ ପରିସରରେ କରାଯାଇଥିଲା ବ୍ୟାପକ ବ୍ୟବସ୍ଥା। ମଧ୍ୟାହ୍ନରେ ମୃତଦେହ ପହଞ୍ଚତ୍ବାବେଳକୁ ସମବେତ ହୋଇସାରିଥିଲେ ହଜାର ହଜାର ଜନସାଧାରଣ। ସମସ୍ତଙ୍କ ଆଖିରେ ଥିଲା ଲୁହ। ଜିଲାର ଦୁଃସାହସୀ ଝିଅକୁ ହରାଇ ସମସ୍ତେ ମ୍ରିୟମାଣ ହୋଇପଡ଼ିଥିଲେ। ଜନପ୍ରତିନିଧି, ଜିଲା ପ୍ରଶାସନିକ ଅଧିକାରୀ, ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ପହଞ୍ଚତ୍ କଳ୍ପନାଙ୍କୁ ଜଣାଇଥିଲେ ଗଭୀର ଶ୍ରଦ୍ଧାଞ୍ଜଳି। ଏମ୍ପି ମହେଶ ସାହୁ, ବିଧାୟକ ସୁଧୀର କୁମାର ସାମଲ, ପୂର୍ବତନ କେନ୍ଦ୍ରମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂଦେଓ, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ, ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଅତିରିକ୍ତ ଏସ୍ପି ହରେକୃଷ୍ଣ ପ୍ରଧାନ, ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଏସ୍ଡିପିଓ ଶ୍ରୀହର୍ଷ ମିଶ୍ର, ଜିଲା ସମାଜ ମଙ୍ଗଳ ଅଧିକାରୀ ଅହଲ୍ୟା ଧଳ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀ, ପୂର୍ବତନ ନଗରପାଳ ସୁଧାଂଶୁ ଦଳେଇ, ଇନ୍ଦ୍ରମଣି ବେହେରା, ଜିଲା ଓକିଲ ସଂଘ ସଭାପତି ସଞ୍ଜୟ ମିଶ୍ର, ସମ୍ପାଦକ ଟଙ୍କଧର ବେହେରା, ଯୋଗେନ୍ଦ୍ରନାଥ ତ୍ରିପାଠୀ, ଦେବାଶିଷ ମିଶ୍ର, ପୁଷ୍ପାଞ୍ଜଳି ଜେନା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଅନ୍ତିମ ଦର୍ଶନ କରିଥିଲେ। ଜିଲା କ୍ରୀଡ଼ା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସାହସର ଅନ୍ୟନାମ କଳ୍ପନା। ୫୨ବର୍ଷ ବୟସରେ ଏଭରେଷ୍ଟ ଶୃଙ୍ଗ ଚଢ଼ିବାର ଦକ୍ଷତା ରଖୁଥିବା ଢେଙ୍କାନାଳର ଏହି ଦୁଃସାହସିକ କ୍ରୀଡ଼ାବିତ୍ ନିଜେ ହିଁ ନିଜର ପରିଚୟ। ତେବେ ଦ୍ୱିତୀୟ ଥର ଏଭରେଷ୍ଟ ଅଭିଯାନ ତାଙ୍କ ପାଇଁ ଅଭିଶାପ ପାଲଟିଛି। ସବୁଦିନ ପାଇଁ ନିରବୀ ଯାଇଛନ୍ତି ସେ। ତଥାପି ନିଜର ଆତ୍ମପ୍ରଚେଷ୍ଟା, ଦୃଢ଼ ଇଚ୍ଛାଶକ୍ତି, ଅସୀମ ଧୈର୍ଯ୍ୟ ପାଇଁ ସେ ମହିଳା ଏବଂ ଯୁବପିଢ଼ିଙ୍କ ପାଇଁ ସବୁଦିନ ପ୍ରେରଣାର ଉତ୍ସ ହୋଇରହିବେ। କଳ୍ପନାଙ୍କ ଏପରି ମୃତ୍ୟୁ ଜିଲାବାସୀଙ୍କ ପାଇଁ ଶକ୍ତ ଧକ୍କା ହୋଇଛି। ଦୀର୍ଘ ୧୧ଦିନ ପରେ ମୃତଦେହ ଜନ୍ମମାଟିକୁ ଆସିବା ପରେ ସବୁବର୍ଗର ଲୋକେ ତାଙ୍କୁ ଜଣାଇଛନ୍ତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି। ସାହସିକତା ପାଇଁ ଅଲିଭା ସ୍ବାକ୍ଷର ଛାଡ଼ି ଯାଇଥିବା କଳ୍ପନା ସବୁଦିନ ଅମର ହୋଇ ରହିବେ ବୋଲି ମତପ୍ରକାଶ ପାଇଛି।