ଅଲିଭ୍‌ ରିଡ୍‌ଲେ ସୁରକ୍ଷା ଚିନ୍ତା: ମେ’୩୧ ପର୍ଯ୍ୟନ୍ତ ମାଛଧରା ଉପରେ କଟକଣା

ଭୁବନେଶ୍ୱର, ୧୫-୧୧(ବ୍ୟୁରୋ):ବିରଳ ଅଲିଭ୍‌ ରିଡ୍‌ଲେ କଇଁଛ ସୁରକ୍ଷା ପାଇଁ ସମୁଦ୍ରରୁ ମାଛଧରା ଉପରେ ସରକାର କଟକଣା ଜାରି କରିଛନ୍ତି। ଉପକୂଳଠାରୁ ସମୁଦ୍ର ଭିତରକୁ ୨୦ କିଲୋମିଟର ପର୍ଯ୍ୟନ୍ତ ଆଗାମୀ ମେ’ ୩୧ ଯାଏ ମାଛ ନ ଧରିବା ଲାଗି ମତ୍ସ୍ୟଜୀବୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ର କଇଁଛଙ୍କ ସୁରକ୍ଷା କରି ଏହାକୁ ଓଡ଼ିଶାର ଆଧୁନିକ ପରିଚୟ ଭାବେ ଗଢ଼ିତୋଳିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନ ଓ ସୁରକ୍ଷା ନେଇ ଗୁରୁବାର ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ପାଇଁ ଋଷିକୁଲ୍ୟା, ଗହୀରମଥା ଓ ଦେବୀନଦୀ ମୁହାଣରେ ମୋଟ ୬୬ ପାଟ୍ରୋଲିଂ ଶିବିର ଖୋଲାଯିବ। ଏହି ଶିବିରଗୁଡ଼ିକରେ ବନବିଭାଗ କର୍ମଚାରୀଙ୍କୁ ମୁତୟନ କରାଯିବ। ଏମାନେ ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ଦାୟିତ୍ୱ ନେବେ। ଅଲିଭ୍‌ ରିଡ୍‌ଲେ ଅଣ୍ଡା ଦେଉଥିବା ୩ ନଦୀ ମୁହାଣ ଯଥା ଧାମରା, ଦେବୀ ଓ ଋଷିକୁଲ୍ୟା ନିକଟରେ ସମୁଦ୍ର ଭିତରକୁ ୨୦କିମି ପର୍ଯ୍ୟନ୍ତ ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି ହୋଇଛି। ଏହି କଟକଣା ଅବଧିରେ ପ୍ରାୟ ୭ ମାସ ଯାଏ ମତ୍ସ୍ୟଜୀବୀମାନେ ନିଜ ବୃତ୍ତି ହରାଇ ଆର୍ଥିକସ୍ତରରେ ଦୁର୍ବଳ ହୋଇପଡ଼ିବେ। ତେଣୁ ପ୍ରଶାସନ ପକ୍ଷରୁ ୮ହଜାର ମତ୍ସ୍ୟଜୀବୀ ପରିବାରକୁ ମାସିକ ୭,୫୦୦ ଟଙ୍କା ଆର୍ଥିକ ସହଯୋଗ ଯୋଗାଇଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି।
ଅନ୍ୟପକ୍ଷରେ ପାରମ୍ପରିକ ପଦ୍ଧତିରେ ବିନା ପାୱାର ବୋଟ୍‌ରେ ମାଛ ଧରୁଥିବା ମତ୍ସ୍ୟଜୀବୀଙ୍କୁ ଅଯଥା ହଇରାଣ ନ କରିବା ଓ କଇଁଛଙ୍କ ପ୍ରତି ପ୍ରକୃତ ବିପଦ ସୃଷ୍ଟି କରୁଥିବା ଅପରାଧୀଙ୍କୁ ଦଣ୍ଡିତ କରିବାକୁ ତ୍ରିପାଠୀ ସମୁଦ୍ର ଉପକୂଳରେ ପାଟ୍ରୋଲିଂ କରୁଥିବା ସାମୁଦ୍ରିକ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କଇଁଛଙ୍କ ଅଣ୍ଡାଦାନ ଓ ମୃତ୍ୟୁ ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ଭାବେ ଏକ ୱେବସାଇଟ୍‌ କାର୍ଯ୍ୟକ୍ଷମ ହେବ ବୋଲି ବୈଠକରୁ ଜଣାପଡ଼ିଛି। ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ମୋନା ଶର୍ମା, ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀ, ପିସିସିଏଫ୍‌(ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଧାମରା, ଗୋପାଳପୁର ଓ ପାରାଦୀପ ବନ୍ଦର ପ୍ରତିନିଧି, ତଟରକ୍ଷୀ ବାହିନୀ ଅଧିକାରୀ, ଚାନ୍ଦିପୁର ଆଇଟିଆରର ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।

Share