Advertisement
Categories: ଖେଳ

ଅଲିମ୍ପିକ୍ସକୁ ଆଉ ବର୍ଷେରୁ କମ୍‌ ସମୟ ଥିବାବେଳେ ଯୋଗଦେଇ ନାହଁନ୍ତି ବିଦେଶୀ କୋଚ୍‌

ନୂଆଦିଲ୍ଲୀ,୨୨ା୭(ପିଟି)- ଟୋକିଓ ଅଲିମ୍ପିକ୍ସକୁ ପୂର୍ବରୁ ଭାରତୀୟ ଟେବୁଲ ଟେନିସ ଦଳ ହାତରେ ପ୍ରସ୍ତୁତି ପାଇଁ ଆଉ ମାତ୍ର ବର୍ଷେ ସମୟ ରହିଛି। କିନ୍ତୁ ଦଳର ନୂଆ ବିଦେଶୀ କୋଚ୍‌ ଡେଜାନ ପାପିକ ଏପର୍ଯ୍ୟନ୍ତ ଦାୟିତ୍ୱ ସମ୍ଭାଳି ନାହାନ୍ତି। ଏହା ଭାରତୀୟ ଦଳର ଅଲିମ୍ପିକ୍ସ ଇଭେଣ୍ଟ ପ୍ରସ୍ତୁତିରେ ବାଧା ସାଜିଛି। ମାର୍ଚ୍ଚରେ ଭାରତୀୟ ଟେବୁଲ ଟେନିସ ଫେଡେରେଶନ (ଟିଟିଏଫ୍‌ଆଇ) ପାପିକ୍‌ଙ୍କୁ ନୂଆ ବିଦେଶୀ କୋଚ୍‌ ଭାବେ ନିଯୁକ୍ତ କରିଥିଲା। ତାଙ୍କ ପୂର୍ବରୁ ମାସିମୋ କୋନ୍‌ଷ୍ଟାଣ୍ଟିନି ଏହି ଦାୟିତ୍ୱରେ ଥିଲେ। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଗତ ବର୍ଷ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ କାର୍ଯ୍ୟକାଳରେ ଭାରତ ଐତିହାସିକ ପ୍ରଦର୍ଶନ କରିଥିଲା। ଗୋଲ୍ଡକୋଷ୍ଟଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଜାକର୍ତ୍ତା ଏସିଆନ୍‌ ଗେମ୍ସରେ ଭାରତ ୬୦ ବର୍ଷର ଅପେକ୍ଷାର ଅନ୍ତ କରିଥିଲା। ମାସିମୋ ପାରିବାରିକ ସମସ୍ୟା ଯୋଗୁ ସ୍ବଦେଶ ଫେରିଗଲେ। ତାଙ୍କ ପରେ ଜଣେ କୋଚ୍‌ଙ୍କୁ ନିଯୁକ୍ତ କରାଯାଇଛି, ହେଲେ ସେ କେବେ ଜାତୀୟ ଦଳରେ ଯୋଗଦେବେ ଆମକୁ ଜଣା ନାହିଁ। ଜଣେ କୋଚ୍‌ଙ୍କ ବିନା ଅଲିମ୍ପିକ୍ସ ଭଳି ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ ଲାଗି ପ୍ରସ୍ତୁତ ହେବା କଷ୍ଟକର। ଜି. ସାଥିୟାଁ ଓ ମନିକା ବାତ୍ରା ଭଲ ପ୍ରଦର୍ଶନ କରୁଛନ୍ତି। ଆମେ ନିଜେ ଟ୍ରେନିଂ କରୁଛୁ। ତେବେ ଡବଲ୍ସ ବର୍ଗ ପାଇଁ ଆମକୁ ସ୍ପୋଶାଲିଷ୍ଟ କୋଚ ଦରକାର। ମିକ୍ସଡ୍‌ ଡବଲ୍ସ ଆମ ପାଇଁ ସମସ୍ୟା ହୋଇଯାଇଛି ବୋଲି ଦେଶର ଅଗ୍ରଣୀ ଟିଟି ଖେଳାଳି ଏ. ଶରଥ କମାଲ କହିଛନ୍ତି। ପାପିକ ବିଶ୍ୱ ବ୍ୟକ୍ତିଗତ ଚାମ୍ପିୟନଶିପବେଳେ ଦଳର ସିନିୟର ଖେଳାଳିଙ୍କ ସହ ଆଲୋଚନା କରିଥିଲେ। ସେ ଚଳିତ ମାସରେ ଦଳରେ ଯୋଗଦେବେ ବୋଲି ଆଶା କରାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel