Categories: ଖେଳ

ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବୁ: ଗୋପୀଚାନ୍ଦ

ନୂଆଦିଲ୍ଲୀ,୪।୧(ପି.ଟି.)- ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସରେ ଏଥର ଆମେ ଭଲ ପ୍ରଦର୍ଶନ କରିବୁ ବୋଲି ଭାରତର ଜାତୀୟ ବ୍ୟାଡମିଣ୍ଟନ କୋଚ୍‌ ପୁଲେଲା ଗୋପୀଚାନ୍ଦ କହିଛନ୍ତି। ସାଇନା ନେହ୍ବାଲ ଓ ପି.ଭି. ସିନ୍ଧୁଙ୍କ ଭଳି ଅଲିମ୍ପିକ ମେଡାଲିଷ୍ଟ ସୃଷ୍ଟି କରିଥିବା ଗୋପୀଚାନ୍ଦ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ନେଇ ବେଶ୍‌ ଆଶାବାଦୀ ଅଛନ୍ତି। ଏଥର ଭଲ ପ୍ରସ୍ତୁତି କରି ଉନ୍ନତ ପ୍ରଦର୍ଶନ ସହିତ ସଫଳ ହେବୁ ବୋଲି ସେ କହିଛନ୍ତି। ଗତ କେତୋଟି ଅଲିମ୍ପିକ୍ସରେ ଆମର ପ୍ରଦର୍ଶନ ବେଶ୍‌ ଭଲ ରହିଛି। ଅଲିମ୍ପିକ୍ସରେ ଆମେ ଜଣେ ବିଶ୍ୱ ଚାମ୍ପିୟନଙ୍କ ସହ ପଡିଆକୁ ଓହ୍ଲାଇବୁ।
ଖେଲୋ ଇଣ୍ଡିଆ ପ୍ରୋଗ୍ରାମକୁ ସେ ପ୍ରଶଂସା କରିଛନ୍ତି। ଦେଶର ଯୁବ ଆଥଲେଟମାନେ ଏହି କାର୍ଯ୍ୟକ୍ରମ ଦ୍ୱାରା ସୁଯୋଗ ହାସଲ କରିବେ ଓ ନିଜର ପ୍ରତିଭା ପ୍ରମାଣ କରିବାର ସୁବିଧା ପାଇବେ। ଏହା ଭାରତୀୟ କ୍ରୀଡ଼ାର ସକାରାତ୍କମ ଦିଗକୁ ସୂଚାଉଛି। ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ସ୍ବତନ୍ତ୍ର। ଏହି ପ୍ରୋଗ୍ରାମର ତୃତୀୟ ସଂସ୍କରଣ ଗୁଆହାଟୀରେ ଆସନ୍ତା ୧୦ରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପୂର୍ବରୁ ଖେଲୋ ଇଣ୍ଡିଆ ଦିଲ୍ଲୀ ଓ ପୁଣେରେ ଆୟୋଜିତ ହୋଇଥିଲା ଓ ଏହାକୁ ଅତି ନିକଟରୁ ନିରୀକ୍ଷଣ କରିଥିଲି। ଭାରତ ସରକାର ଖେଲୋ ଇଣ୍ଡିଆ ମାଧ୍ୟମରେ କ୍ରୀଡ଼ା ଉନ୍ନତି ପାଇଁ କରୁଥିବା ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ସେ କହିଛନ୍ତି। ଅନ୍ତର୍ଜାତୀୟ ପରିବେଶରେ ଯୁବ ଆଥଲେଟଙ୍କ ପାଇଁ ଏହା ଭଲ ସୁଯୋଗ ସୃଷ୍ଟି କରିଛି। ଏଥିରୁ ଅଭିଜ୍ଞତା ହାସଲ କରି ଖେଳାଳିମାନେ ଆଗକୁ ବଢିପାରିବେ। ମୋଟାମୋଟି ଉପରେ ଖେଲୋ ଇଣ୍ଡିଆ ଭାରତୀୟ କ୍ରୀଡ଼ାକୁ ନୂଆ ଦିଶା ଦେବ। ବ୍ୟାଡମିଣ୍ଟନ ଏକ ଶାରୀରିକ ଖେଳ ହୋଇଥିଲେ ମଧ୍ୟ ଏଥିରେ କୌଶଳର ଆବଶ୍ୟକତା ରହିଛି। ମାନସିକ ଓ ଶାରୀରିକ ଭାବେ ଏହି ଖେଳରେ ସନ୍ତୁଳନ ରହିବା ନିହାତି ଜରୁରୀ। ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିବାକୁ ହେଲେ ସବୁ ଦୃଷ୍ଟିକୋଣରୁ ସୁସ୍ଥ ହେବା ନିହାତି ଜରୁରୀ ବୋଲି ଗୋପୀଚାନ୍ଦ କହିଛନ୍ତି।

Share