ଟୋକିଓ,୨୩।୫ (ଏଏଫ୍ପି): କୋଭିଡ-୧୯ ମହାମାରୀ କାରଣରୁ ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚାଇଯାଇଛି। ତେବେ ଏହି ମେଗା ଇଭେଣ୍ଟକୁ ଆଉଥରେ ବିଳମ୍ବ କରିବା ଅସମ୍ଭବ ବୋଲି ଟୋକିଓ ୨୦୨୦ ଅଧ୍ୟକ୍ଷ ୟୋଶିରୋ ମୋରି କହିଛନ୍ତି। ଅଲିମ୍ପିକ୍ ଏକେ ନୂଆ ତାରିଖ ୨୦୨୧ ଜୁଲାଇ ୨୩ ତାରିଖରୁ ଆରମ୍ଭ ହେବ। ଏହାକୁ ପୁଣି ଘୁଞ୍ଚାଇବାର ପ୍ରଶ୍ନ ଉଠୁନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କଲେ ଏହି ମେଗା ଇଭେଣ୍ଟକୁ ୨ ବର୍ଷ ଘୁଞ୍ଚାଇବା ବୈଷୟିକ ଭାବେ କଷ୍ଟକର।
ପୂର୍ବରୁ ଅଲିମ୍ପିକ୍ସକୁ ୨ ବର୍ଷ ଘୁଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ପ୍ରସ୍ତାବ ଦେଇଥିଲି। ତେବେ ସେ ଗୋଟିଏ ବର୍ଷ ପାଇଁ ସମ୍ମତି ପ୍ରକାଶ କରିଥିଲେ। ଉଲ୍ଲେଖଥାଉ କି, ବିଶ୍ୱବ୍ୟାପୀ ଆଥଲେଟ, ସ୍ପୋଟର୍ସ ଆସୋସିଏଶନଙ୍କଠାରୁ ପ୍ରବଳ ଚାପ ପଡିବା ପରେ ଜାପାନ ଆୟୋଜକ ଓ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇବାକୁ ରାଜି ହୋଇଥିଲେ। ଦେଶରେ କରୋନା ଭାଇରସ ମହାମାରୀ ରୂପ ନେଇ ସାରିଥିବା ବେଳେ ପୁଣି ଥରେ ଅଲିମ୍ପିକ ଘୁଞ୍ଚିବାର ସମ୍ଭାବନା ରହିଛି ବୋଲି ଜଣେ ଜାପାନ ବିଶେଷଜ୍ଞ ମତ ଦେଇଥିଲେ। ତେବେ ଅଲିମ୍ପିକ ଆଉଥରେ ଘୁଞ୍ଚିବା ସମ୍ଭବ ନୁହଁ ବୋଲି ସ୍ପଷ୍ଟ କରାଯାଇଛି।