Categories: ଖେଳ

ଅଲିମ୍ପିକ୍ସ ମୋଟୋ ଉନ୍ମୋଚିତ

ଟୋକିଓ,୧୭।୨(ଏଏଫ୍‌ପି)- ଆସନ୍ତା ଜୁଲାଇ- ଅଗଷ୍ଟରେ ଆୟୋଜନ ହେବାକୁ ଯାଉଥିବା ଅଲିମ୍ପିକ୍ସର ଟୋକିଓ ଆୟୋଜକମାନେ ଏକ ମୋଟୋ ଉନ୍ମୋଚନ କରିଛନ୍ତି। ବିଶ୍ୱ ଭାତୃତ୍ୱ ତଥା ଭାଇଚାରାକୁ ଦୃଷ୍ଟିରେ ରଖି ‘ୟୁନାଇଟେଡ ବାଇ ଇମୋସନ’କୁ ମୋଟୋ ରୂପେ ବ୍ୟହହାର କରାଯିବ। ବିଶ୍ୱରେ କ୍ରୀଡ଼ାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଓ ବିଶ୍ୱରେ କ୍ରୀଡ଼ାର ଏକତ୍ରୀକରଣ ପାଇଁ ଏଭଳି ମୋଟୋ ରଖାଯାଇଛି। ଅଲିମ୍ପିକ୍ସ ଦେଖିବାକୁ ଆସିବାକୁ ଥିବା କ୍ରୀଡ଼ାପ୍ରେମୀ, ଦର୍ଶକମାନେ ପରସ୍ପରକୁ ଜାଣି ନ ଥିଲେ ମଧ୍ୟ ଏକତ୍ରୀତ ହେବେ। ବିଭାଜିତ ହେବା ବଳଦରେ ଏକାଠି ହୋଇ ଏମାନେ ଖେଳ ଦେଖିବେ। ତେଣୁ ଏଭଳି ମୋଟୋ ରଖାଯାଇଛି ବୋଲି ଆୟୋଜକଙ୍କ ତରଫରୁ କୁହାଯାଇଛି।
ତେବେ ଅଫିସିଆଲ ଅଲିମ୍ପିକ୍ସ ମୋଟୋ ହେଉଛି ‘ସାଇଟସ, ଅଲଟିଅସ, ଫର୍ଚୁଅସ’। ଅର୍ଥାତ ଫାଷ୍ଟର, ହାଇୟର, ଷ୍ଟ୍ରଙ୍ଗର। ପ୍ରତ୍ୟେକ ଆୟୋଜକ ସହର ନିଜ ନିଜର ସ୍ବତନ୍ତ୍ର ମୋଟ ଚୟନ କରିଛନ୍ତି।
ପୂର୍ବରୁ ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ମୋଟ ଥିଲା ‘ଇନ୍ସପାୟାର ଏ ଜେନେରେଶନ’। ସେହିପରି ୨୦୦୪ ଏଥେନ୍ସ ଅଲିମ୍ପିକ୍ସର ମୋଟୋ ଥିଲା ‘ଓ୍ବେଲକମ୍‌ ହୋମ୍‌’। ଆସନ୍ତା ଜୁଲାଇ ୨୪ ତାରିଖରେ ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବ ଆୟୋଜନ ହେବ। ବହୁ ଚର୍ଚ୍ଚିତ କରୋନା ଭାଇରସ ସାରା ବିଶ୍ୱପ୍ରତି ବିପଦ ସୃଷ୍ଟି କରିଥିଲେ ମଧ୍ୟ ଉଦ୍‌ଘାଟନୀ ଉତ୍ସବର ତାରିଖ ପରିବର୍ତ୍ତନ ନେଇ କୌଣସି ଆଲୋଚନା ହୋଇନାହିଁ। ଟୋକିଓ ଅଲିମ୍ପିକ୍ସ ଆୟୋଜନରେ ବହୁ ବାଧାବିଘ୍ନ ଦେଖିବାକୁ ମିଳିଛି। ଅଲିମ୍ପିକ୍ସର ଲୋଗୋକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା। ଲୋଗୋର ଡିଜାଇନ୍‌ ଚୋରୀ ହୋଇଥିବାର ଅଭିଯୋଗ ଆସିଥିଲା। ଡିଜାଇନର ଓଲିଭର ଡେବି ଏହି ଅଭିଯୋଗ ଆଣିଥିଲେ। ଏକ ବେଲଜିଆନ ଥିଏଟର ପାଇଁ ସେ ଲୋଗୋ ଡିଜାଇନ କରିଥିଲେ। ଏହାକୁ ଅଲିମ୍ପିକ୍ସ ଆୟୋଜକମାନେ ଚୋରୀ କରିଛନ୍ତି ବୋଲି ସେ ଅଭିଯୋଗ ଆଣିଥିଲେ। ଏଥିପାଇଁ ଆଇନର ଆଶ୍ରୟ ନେବେ ବୋଲି ସେ କହିଥିଲେ। ଫଳରେ ଅଧିକାରୀମାନଙ୍କୁ ଲୋଗୋର ଚିହ୍ନକୁ ପ୍ରତ୍ୟାହାର କରିଥିଲେ।

Share