ଅଲିମ୍ପିକ୍‌ କ୍ୱାଲିଫାୟର୍ସ ପାଇଁ କଳିଙ୍ଗ ପ୍ରସ୍ତୁତ

ଭୁବନେଶ୍ୱର,  ୧।୧୧(କ୍ରୀଡ଼ା ପ୍ରତିନିଧି):ବିଶ୍ୱକପ୍‌, ଚାମ୍ପିୟନ୍ସ ଟ୍ରଫି, ଓ୍ବାଲର୍‌ଡ ଲିଗ୍‌ ଏବଂ ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ ପରି ଅନେକ ଅନ୍ତର୍ଜାତୀୟ ହକି ଟୁର୍ନାମେଣ୍ଟର ସଫଳ ଆୟୋଜନ ପାଇଁ ଦେଶ ବିଦେଶରେ ଚର୍ଚ୍ଚାରେ ରହିଥିବା କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ଆଉ ଏକ ସମ୍ମାନଜନକ ପ୍ରତିଯୋଗିତା। ନଭେମ୍ବର ୧ ଓ ୨ ତାରିଖରେ ଏଠାରେ ଆୟୋଜନ ହେବ ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ହକି ମ୍ୟାଚ୍‌। ଏଥର କଳିଙ୍ଗର ହକି କମ୍ପ୍ଲେକ୍ସରେ ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳ ଆକ୍ସନରେ ଦେଖିବାକୁ ମିଳିବେ। ପ୍ରଥମଥର ପାଇଁ ଏଠାରେ ମହିଳା ଦଳର ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯିବ। ଅଲିମ୍ପିକ୍‌ କ୍ୱାଲିଫାୟର୍ସ ପାଇଁ ଭାରତୀୟ ମହିଳା ଦଳର ପ୍ରତିଦ୍ୱନ୍ଦ୍ୱୀ ହେଉଛି ଆମେରିକା। ଭାରତ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୯ମ ସ୍ଥାନରେ ଥିବାବେଳେ ଆମେରିକା ୧୩ତମ ସ୍ଥାନ ପାଇଛି। ତେବେ ନିକଟ ଅତୀତରେ ଉତ୍ସାହୀ ପ୍ରଦର୍ଶନ କରିଥିବାରୁ ଆମେରିକା ଘରୋଇ ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେବା ଏକପ୍ରକାର ନିଶ୍ଚିତ। ଆମେ ଏଠାକୁ ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ଆସିଛୁ ବୋଲି ଆମେରିକା ଦଳର ଅଧିନାୟିକା କାଥଲିନ ଶାର୍କି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଆମେ ଘରୋଇ ପରିବେଶରୁ ଫାଇଦା ନେବା ସହ ନିଜ ଦକ୍ଷତା ଅନୁସାରେ ଖେଳି ଆଗକୁ ବଢ଼ିବାକୁ ଚେଷ୍ଟା କରିବୁ ବୋଲି ଭାରତୀୟ ଦଳର ଅଧିନାୟିକା ରାଣୀ ରାମପାଲ କହିଛନ୍ତି।
ପୁରୁଷ ବିଭାଗରେ ଭାରତ ପ୍ରତିପକ୍ଷ ରୁଷିଆ ସହିତ ମୁକାବିଲା କରିବ। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ଭାରତ ୫ ଓ ରୁଷିଆ ୨୨ତମ ସ୍ଥାନରେ ରହିଛି। ଗତ ଜୁନ୍‌ରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲରେ ରୁଷିଆ କଳିଙ୍ଗ ଷ୍ଟାଡିୟମରେ ଖେଳିବାର ଅଭିଜ୍ଞତା ରଖିଛି। ସେତେବେଳେ ଯଦିଓ ଏହି ଦଳ ବଡ଼ ବ୍ୟବଧାନରେ ଭାରତ ନିକଟରୁ ହାରିଥିଲା ଏଥର କିନ୍ତୁ ଭିନ୍ନ ଧରଣର ଖେଳ ଦେଖିବାକୁ ମିଳିବ ବୋଲି ରୁଷିଆ ଅଧିନାୟକ ଡେନିସ ସ୍କିପାଚେଭ୍‌ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ରୁଷିଆକୁ କୌଣସି ପରିସ୍ଥିତିରେ ହାଲ୍‌କା ଭାବେ ନେବୁ ନାହିଁ ବୋଲି ଭାରତୀୟ ଅଧିନାୟକ ମନପ୍ରୀତ ସିଂ କହିଛନ୍ତି।

Share