Categories: ଖେଳ

ଅଲିମ୍ପିକ୍‌ କ୍ୱାଲିଫାୟର୍ସ ଟ୍ରାଏଲ୍ସରେ ମେରୀକମ୍‌-ଜରିନ୍‌ ମୁକାବିଲା

ନୂଆଦିଲ୍ଲୀ, ୨୭।୧୨(ପି.ଟି.)- ଆସନ୍ତାବର୍ଷ ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସ କ୍ୱାଲିଫାୟର ପାଇଁ ଭାରତର ଦୁଇ ମହିଳା ତାରକା ବକ୍ସର ମେରୀକମ ଓ ନିଖାତ ଜରିନ୍‌ ଟ୍ରାଏଲ୍ସ ଫାଇନାଲ୍‌ରେ ପରସ୍ପରକୁ ଭେଟିବେ। ୬ଥର ବିଶ୍ୱ ଚାମ୍ପିୟନଶିପ୍‌ ହାସଲ କରିଥିବା ମେରୀକମ ୫୧ କେ.ଜି. ବର୍ଗରେ ପୁଣି ଥରେ ଅଲିମ୍ପିକ୍‌ ଟିକେଟ ହାସଲ ଲକ୍ଷ୍ୟରେ ରହିଛନ୍ତି। ତେବେ ଅଲିମ୍ପିକ୍‌ କ୍ୱାଲିଫାୟର୍ସରେ ସାମିଲ ହେବାକୁ ହେଲେ ଏବେ ତାଙ୍କୁ ଜରିନଙ୍କୁ ପରାସ୍ତ କରିବାକୁ ପଡିବ। ଏହି ଦୁଇ ବକ୍ସର ଶୁକ୍ରବାର ଖେଳାଯାଇଥିବା ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି। ଚାଇନାରେ ଆସନ୍ତା ଫେବୃୟାରୀରେ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ଆୟୋଜନ ହେବ।
ପୂର୍ବତନ ଜୁନିୟର ବିଶ୍ୱ ଚାମ୍ପିୟନ ଜରିନ୍‌ ଜାତୀୟ ଚାମ୍ପିୟନ ଜ୍ୟୋତି ଗୁଲିଆଙ୍କୁ ହରାଇ ଫାଇନାଲ୍ସରେ ପ୍ରବେଶ କରିଛନ୍ତି। ସେହିପରି ଏକାଧିକବାର ଏସିଆନ ଚାମ୍ପିୟନ ହୋଇଥିବା ମେରୀକମ୍‌ ପ୍ରତିପକ୍ଷ ଋତୁ ଗ୍ରଓ୍ବୋଲଙ୍କୁ ପରାସ୍ତ କରିଥିଲେ। ଶନିବାର ଫାଇନାଲ ଖେଳାଯିବ।
ଉଲ୍ଲେଖଥାଉ କି, କିଛି ସପ୍ତାହ ତଳେ ଜରିନ୍‌ ମେରିକମ୍‌ଙ୍କ ସହ ଲଢିବାକୁ ଦାବି କରିଥିଲେ। ଅଲିମ୍ପିକ କ୍ୱାଲିଫାୟର୍ସ ପାଇଁ ଚୟନ ପକ୍ରିୟାରେ ବକ୍ସି ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ପାତରଅନ୍ତର ଅଭିଯୋଗ ଆଣି ସେ ଏହି ଦାବି ଜଣାଇଥିଲେ। ମେରୀକମ୍‌ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ କ୍ରମାଗତ ଭବେ ସ୍ଥିର ପ୍ରଦର୍ଶନ କରିଆସୁଥିବାରୁ ତାଙ୍କୁ ବିନା ଟ୍ରାଏଲ୍‌ରେ ଅର୍ଥାତ ସିଧାସଳଖ ଅଲିମ୍ପିକ୍‌ କ୍ୱାଲିଫାୟର୍ସରେ ସାମିଲ ହେବେ ବୋଲି ବିଏଫ୍‌ଆଇ ଅଧ୍ୟକ୍ଷ ଅଜୟ ସିଂ କହିଥିଲେ। ଏଥିରେ ଜରିନ ଅସନ୍ତୋଷ ପ୍ରକାଶ କରି ମେରୀକମ୍‌ ବିପକ୍ଷରେ ଲଢ଼େଇ ପାଇଁ ଆହ୍ବାନ ଦେଇଥିଲେ।
ଶୁକ୍ରବାର ଅନୁଷ୍ଠିତ ହୋଇଥିବା ଅନ୍ୟ ବାଉଟ୍‌ଗୁଡିକରେ ଓ୍ବାଲର୍‌ଡ ୟଥ୍‌ ସ୍ବର୍ଣ୍ଣ ପଦକ ବିଜୟିନୀ ସାକ୍ଷି ଚୌଧୁରୀ ୫୭ କେ.ଜି. ବର୍ଗରେ ଏସିଆନ ରୌପ୍ୟ ପଦକ ବିଜୟିନୀ ମନୀଷା ମୌନଙ୍କୁ ପରସ୍ତ କରିଥିଲେ। ସେହିପରି ପୂର୍ବତନ ଜାତୀୟ ଚାମ୍ପିୟନ ସିମରନଜିତ କୌର ୬୦ କେ.ଜି. ବର୍ଗରେ ପବିତ୍ରାଙ୍କୁ ପ୍ରଥମ ରାଉଣ୍ଡରେ ପରାସ୍ତ କରିଥିଲେ। ମହିଳା ବକ୍ସିଂରେ ୫୧, ୫୭, ୬୦, ୬୯ ଓ ୭୫ କେ.ଜି. ବର୍ଗରେ କୌଣସି ପ୍ରତିଯୋଗୀ ବିଶ୍ୱ ଚାମ୍ପିୟନଶିପ୍‌ ଫାଇନାଲରେ ପ୍ରବେଶ କରିପାରି ନ ଥିଲେ। ଫଳରେ ଏହି ବର୍ଗଗୁଡିକର ଟ୍ରାଏଲ୍ସ ମାଧ୍ୟମରେ ନିଷ୍ପତ୍ତି ନିଆଯିବ। ରବିବାରଠାରୁ କର୍ନାଟକର ବେଲାରିଠାରେ ପୁରୁଷ ବକ୍ସିଂ ରେ ଟ୍ରାଏଲ୍ସ ଆୟୋଜନ ହେବ।

Share