Categories: ଖେଳ

ଅଲିମ୍ପିକ୍‌ କ୍ୱାଲିଫାୟର୍ସ: ଭାରତୀୟ ଦଳରେ ବକ୍ସର ବିକାଶ

ବେଙ୍ଗାଲୁରୁ, ୩୦।୧୨(ପି.ଟି.)- ପ୍ରତ୍ୟାବର୍ତ୍ତନରେ ଭାରତୀୟ ବକ୍ସର ବିକାଶ କ୍ରିଷନ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଏଠାରେ ଚାଲିଥିବା ଫାଇନାଲ ଟ୍ରାଏଲ ବାଉଟ୍‌ରେ ବିଜୟୀ ହୋଇ ବିକାଶ ଆସନ୍ତାବର୍ଷ ଟୋକିଓରେ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ପାଇଁ ଭାରତୀୟ ବକ୍ସିଂ ଦଳରେ ସ୍ଥାନ ପାଇଛନ୍ତି। ପୂର୍ବତନ ବିଶ୍ୱ ଚାମ୍ପିୟନଶିପ୍‌ ଓ ଏସିଆନ ଗେମ୍ସ ପଦକ ବିଜେତା ବିକାଶ ୭୫ କେ.ଜି. ମିଡିଲଓ୍ବେଟ ବର୍ଗରେ ଦୀର୍ଘଦିନ ଧରି ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇ ଆସୁଥିଲେ। ତେବେ ସେ ବର୍ତ୍ତମାନ ବ୍ୟାକ୍‌ ଇଞ୍ଜୁରୀରୁ ସୁସ୍ଥ ହୋଇ ୬୯ କେ.ଜି.କୁ ପ୍ରତ୍ୟାବର୍ତ୍ତନ କରି ଅଲିମ୍ପିକ୍‌ କ୍ୱାଲିଫାୟର୍ସ ଦଳରେ ସ୍ଥାନ ପାଇଛନ୍ତି।
ଦୁଇଥର ଅଲିମ୍ପିକ୍‌ରେ ଅଂଶଗ୍ରହଣ କରିଥିବା ୨୬ ବର୍ଷୀୟ ବିକାଶ ଟ୍ରାଏଲ ଫାଇନାଲ୍ସରେ ଜାତୀୟ ପଦକ ବିଜେତା ଦୁର୍ଯ୍ୟୋଧନ ସିଂ ନେଗୀଙ୍କୁ ସର୍ବସମ୍ମତି ନିଷ୍ପତ୍ତିରେ ପରାସ୍ତ କରି ଏସିଆ/ ଓସେନିଆ ଜୋନ୍‌ କ୍ୱାଲିଫାୟର୍ସ ଚାଇନାରେ ଆସନ୍ତା ଫେବୃୟାରୀ ୩ରୁ ୧୪ ତାରିଖ ମଧ୍ୟରେ ଆୟୋଜନ ହେବ। ବିକାଶଙ୍କ ସମେତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତା ଗୌରବ ସୋଲାଙ୍କି (୫୭ କେ.ଜି.) ଓ ନମନ ତନଓ୍ବାର (୯୧ କେ.ଜି.) ମଧ୍ୟ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ଦଳରେ ସ୍ଥାନ ପାଇଛନ୍ତି। ସୋଲାଙ୍କି ମହମ୍ମଦ ହୁସାମୁଦ୍ଦିନଙ୍କୁ ଓ ତନଓ୍ବାର ନବୀନ କୁମାରଙ୍କୁ ହରାଇଛନ୍ତି। ବିଭାଜିତ ନିଷ୍ପତ୍ତି ବା ସ୍ପ୍ଲିଲ୍ଟ ଭର୍ଡିକ୍ଟ ବା ବିଭାଜିତ ନିଷ୍ପତ୍ତିରେ ଦୁହେଁ ବାଉଟ୍‌ରେ ବିଜୟୀ ହୋଇଥିଲେ।
ପୂର୍ବରୁ ରବିବାର ୭୫ କେ.ଜି. ବର୍ଗରେ ଆଶିଷ କୁମାର ଓ + ୯୧ କେ.ଜି. ବର୍ଗରେ ଅଭିଜ୍ଞ ସତୀଶ କୁମାର ଓ ୮୧ କେ.ଜି. ବର୍ଗରେ ସଚିନ କୁମାର ଅଲିମ୍ପିକ କ୍ୱାଲିଫାୟର୍ସ ଦଳରେ ସ୍ଥାନ ପାଇଥିଲେ। ଆଶିଷ ଜାତୀୟ ଚାମ୍ପିୟନ ତଥା ସାଉଥ୍‌ ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ଅଙ୍କିତ ଖାଟାନାଙ୍କୁ ହରାଇଥିଲେ। ସେହିପରି ରାଜ୍ୟଗୋଷ୍ଠୀ ଓ ଏସିଆନ ଗେମ୍ସ ପଦକ ବିଜେତା ସତୀଶ ପ୍ରତିପକ୍ଷ ନରେନ୍ଦରଙ୍କୁ ହରାଇଛନ୍ତି। ଅନ୍ୟପଟେ ସଚିନ ବ୍ରିଜେଶ ଯାଦବଙ୍କୁ ହରାଇ ଅଲିମ୍ପିକ କ୍ୱାଲିଫାୟର୍ସ ଦଳରେ ସ୍ଥାନ ପାଇଛନ୍ତି।
ଏସିଆ- ଓସେନିଆ ଅଲିମ୍ପିକ କ୍ୱାଳିଫାୟର୍ସ ପାଇଁ ଭାରତୀୟ ଦଳ:
ଅମିତ ପଙ୍ଘାଲ (୫୨ କେ.ଜି.), ଗୌରବ ସୋଲାଙ୍କି (୫୭ କେ.ଜି.), ମନୀଷ କୌଶିକ (୬୩ କେ.ଜି.), ବିକାଶ କ୍ରିଷନ (୬୯ କେ.ଜି.), ଆଶିଷ କୁମାର (୭୫ କେ.ଜି.), ସଚିନ କୁମାର (୮୧ କେ.ଜି.), ନମନ ତନଓ୍ବାର (୯୧ କେ.ଜି.) ଓ ସତୀଶ କୁମାର (+୯୧ କେ.ଜି.)।

Share