Categories: ଖେଳ

ଅଲିମ୍ପିକ୍‌ ବକ୍ସିଂ: ପ୍ରଶିକ୍ଷଣ ଦେବା ପାଇଁ ବିଦେଶୀ କୋଚ୍‌ ଭାରତ ଆସିବେ

ନୂଆଦିଲ୍ଲୀ,୨୯।୭(ପି.ଟି.)- ଅଲିମ୍ପିକ୍ସ ପାଇଁ ଭାରତୀୟ ବକ୍ସରମାନେ ପ୍ରଶିକ୍ଷଣ ନେବାକୁ ବିଦେଶ ଯିବା ଅତି ସାଧାରଣ କଥା। ଏବେ ଏହି ପ୍ରଥାରେ ପରିବର୍ତ୍ତନ ହେବ। ଆସନ୍ତାବର୍ଷ ଟୋକିଓରେ ଆୟୋଜନ ହେବାକୁ ଥିବା ୨୦୨୦ ଅଲିମ୍ପିକ୍ସ କ୍ୱାଲିଫାୟରରେ ଅଂଶଗ୍ରହଣ କରିବାକୁ ଥିବା ବକ୍ସରମାନେ ଏଥର ବିଦେଶ ନ ଯାଇ ଦେଶରେ ପ୍ରଶିକ୍ଷଣ ନେବେ। ଯାତ୍ରା ସମ୍ବନ୍ଧିତ ସମସ୍ୟା ଓ ସମୟ ଅପଚୟକୁ ରୋକିବା ପାଇଁ ବିଦେଶରୁ ପ୍ରଶିକ୍ଷକ ଆସି ବକ୍ସରମାନଙ୍କୁ ଟ୍ରେନିଂ ଦେବେ। ଭାରତୀୟ ବକ୍ସରମାନେ ଟ୍ରେନିଂ ପାଇଁ ସାଧାରଣତଃ ୟୁରୋପ କିମ୍ବା ଆମେରିକା ଯାଇଥାନ୍ତି। କିନ୍ତୁ ଏଥର ଆଗାମୀ ଡିସେମ୍ବରର ପ୍ରଥମାର୍ଦ୍ଧରେ ଏହି ଦେଶଗୁଡିକର ବକ୍ସରମାନେ ଭାରତ ଆସି ଟ୍ରେନିଂ ଦେବେ। ଅତ୍ୟଧିକ ଭ୍ରମଣ ଯୋଗୁ ବକ୍ସରମାନେ କ୍ଳାନ୍ତ ହେବା ସହ ପ୍ରସ୍ତୁତିରେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ପୁଣି ଚଳିତ ସେସନରେ ଏକାଧିକ ଟୁର୍ନାମେଣ୍ଟ ମଧ୍ୟ ଆୟୋଜିତ ହୋଇସାରିଛି। ତେଣୁ ଏପରିସ୍ଥଳେ ଅଲିମ୍ପିକ୍ସ କ୍ୱାଲିଫାୟର ପୂର୍ବରୁ ବକ୍ସରମାନଙ୍କ ପାଇଁ ଦେଶରେ ପ୍ରଶିକ୍ଷଣ ନେବାର ବ୍ୟବସ୍ଥା କରିଛୁ ବୋଲି ଭାରତୀୟ ହାଇପରଫର୍ମାନ୍ସ ଡାଇରେକ୍ଟର ସାଣ୍ଟିଆଗୋ ନିଏଭା କହିଛନ୍ତି।
ୟୁରୋପରେ ପାଗ ଅତ୍ୟନ୍ତ ପ୍ରତିକୂଳ ପରିବେଶ ସୃଷ୍ଟି କରିଥାଏ। ସେଠାରେ ଅତ୍ୟଧିକ ଥଣ୍ଡା ହୋଇଥିବାରୁ ସେହି ସମୟରେ ବକ୍ସରଙ୍କ ପାଇଁ ପ୍ରଶିକ୍ଷଣରେ ସମସ୍ୟା ସୃଷ୍ଟି ହୋଇଥାଏ। ଫଳରେ ୟୁରୋପୀୟ ଦେଶଗୁଡିକ ସହ ଉତ୍ତର ଆଫ୍ରିକାରୁ ମଧ୍ୟ ଦଳଗୁଡିକୁ ଆମନ୍ତ୍ରଣ କରିବୁ ବୋଲି ନିଏଭା କହିଛନ୍ତି। ୨୦୧୯ରେ ଭାରତୀୟ ପୁରୁଷ ଓ ମହିଳା ବକ୍ସର ବ୍ୟସ୍ତବହୁଳ କାର୍ଯ୍ୟସୂଚୀରେ ଅଂଶଗ୍ରହଣ କରିଛନ୍ତି ଓ ଆଗକୁ ମଧ୍ୟ ବିଭିନ୍ନ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବେ। ପ୍ରଥମ ୩ ମାସରେ ବକ୍ସରମାନେ ବୁଲଗେରିଆ ଓ ଫିନ୍‌ଲାଣ୍ଡରେ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। ଏହାପରେ ସେମାନେ ଏପ୍ରିଲ୍‌ରେ ଏସିଆନ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ ହୋଇଥିଲେ। ଏହାପରେ ଜୁଲାଇ- ଅଗଷ୍ଟରେ କାଜାଖସ୍ତାନ, ଫିଲିପାଇନ୍ସ ଓ ରୁଷିଆରେ ମଧ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିଲା। ସେପ୍ଟେମ୍ବରରେ ରୁଷିଆରେ ବିଶ୍ୱ ଚାମ୍ପିୟନ୍‌ଶିପ୍‌ ଖେଳାଯିବ। ପୁଣି ଅକ୍ଟୋବରରେ ପୁରୁଷ ଓ ମହିଳା ବକ୍ସରମାନଙ୍କ ପାଇଁ ଜାତୀୟ ଚାମ୍ପିୟନଶିପ୍‌ ମଧ୍ୟ ଆୟୋଜନ ହେବ।
ଏହି ଟୁର୍ନାମେଣ୍ଟଗୁଡିକରେ ଅଂଶଗ୍ରହଣ କରିବାକୁ ହେଲେ ବକ୍ସରମାନଙ୍କୁ ବେଶ ଭ୍ରମଣ କରିବାକୁ ହେବ। ଅଲିମ୍ପିକ୍‌ କ୍ୱାଲିଫାୟର ପୂର୍ବରୁ ଏହା ଖେଳାଳିଙ୍କ ପାଇଁ କ୍ଳାନ୍ତି ଆଣିଦେବ। ତେଣୁ ବିଦେଶୀ କୋଚ୍‌ମାନେ ଏଠାକୁ ଆସିଲେ ଆମ ଖେଳାଳିମାନେ ପର୍ଯ୍ୟାପ୍ତ ବିଶ୍ରାମ ପାଇବେ ଓ ଶ୍ରେଷ୍ଠ ପ୍ରଦର୍ଶନ କରିବାର ସୁଯୋଗ ପାଇବେ ବୋଲି ନିଏଭା କହିଛନ୍ତି।

Share