Categories: ଖେଳ

ଅଲିମ୍ପିକ କ୍ୱାଲିଫିକେଶନ ର଼୍ୟାଙ୍କିଙ୍ଗ୍‌: ୮ମ ସ୍ଥାନରେ ମୀରାବାଈ ଚାନୁ

ନୂଆଦିଲ୍ଲୀ, ୨।୧ (ପି.ଟି.)- ଅନ୍ତର୍ଜାତୀୟ ଭାରୋତ୍ତୋଳନ ମହାସଂଘ (ଆଇଡବ୍ଲୁୃଏଫ୍‌) ପକ୍ଷରୁ ସଦ୍ୟ ପ୍ରକାଶିତ ର଼୍ୟାଙ୍କିଙ୍ଗ୍‌ରେ ଷ୍ଟାର୍‌ ଭାରତୀୟ ଭାରୋତ୍ତୋଳିକା ମୀରାବାଈ ଚାନୁ ୮ମ ସ୍ଥାନରେ ରହିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଥିବା ମୀରାବାଈ ୪୯ କିଗ୍ରା ବର୍ଗରେ ମୋଟ୍‌ ୨୯୬୬.୬୪୦୬ ପଏଣ୍ଟ ସ୍କୋର ହାସଲ କରିଛନ୍ତି। ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିବାକୁ ହେଲେ, ଜଣେ ଭାରୋତ୍ତୋଳକ ଅତିକମ୍‌ରେ ନଭେମ୍ବର ୨୦୧୮ରୁ ଏପ୍ରିଲ ୨୦୨୦ ମଧ୍ୟରେ ହେବାକୁ ଥିବା ଗୋଟିଏ ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ହେବ। ଯେଉଁଥିରେ ସ୍ବର୍ଣ୍ଣ କିମ୍ବା ରୌପ୍ୟ ପଦକସ୍ତରୀୟ ପ୍ରତିଯୋଗିତା ରହିଥିବ। ‘ଜଣେ ଭାରୋତ୍ତୋଳକ କେତୋଟି ଇଭେଣ୍ଟରେ ଅଂଶଗ୍ରହଣ କରୁଛି ତାହାକୁ ନେଇ ର଼୍ୟାଙ୍କିଙ୍ଗ୍‌ ହୋଇଥାଏ। ପିଠି ଯନ୍ତ୍ରଣା ଲାଗି ମୀରାବାଈ ୨୦୧୮ ବିଶ୍ୱ ଚାମ୍ପିୟନଶିପ୍‌ ସମେତ କେତେକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରି ନ ଥିଲେ’ ବୋଲି ଜାତୀୟ କୋଚ୍‌ ବିଜୟ ଶର୍ମା କହିଛନ୍ତି। ଏବେ ସୁସ୍ଥ ହେବାପରେ ଏହି ମଣିପୁର ଷ୍ଟାର୍‌ ଭୋରୋତ୍ତୋଳିକା ୨୦୧୯ରେ କ୍ରମାଗତ ଭାବେ ଉନ୍ନତ ପ୍ରଦର୍ଶନ କରିଆସିଛନ୍ତି। ଗତବର୍ଷ ଏସିଆନ ଚାମ୍ପିୟନଶିପ୍‌ରେ ସେ ମୋଟ୍‌ ୧୯୯ (କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୧୧୩ ଓ ସ୍ନାଚରେ ୮୬) କିଗ୍ରା ଭାଗ ଉଠାଇ ଅଳ୍ପକେ ବ୍ରୋଞ୍ଜ ପଦକରୁ ବଞ୍ଚତ୍ତ ହୋଇଥିଲେ। ଏହାପରେ ସେପ୍ଟେମ୍ବରରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ମୀରବାଈ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ସେ ମୋଟ୍‌ ଉପରେ ୨୦୦ କିଗ୍ରା ମାର୍କ ଅତିକ୍ରମ କରିଯାଇଥିଲେ। କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୧୧୪ ଏବଂ ସ୍ନାଚରେ ୮୭ କିଗ୍ରା ସହ ସେ ୨୦୧ କିଗ୍ରା ଭାରୋତ୍ତୋଳନ କରିଥିଲେ। ବର୍ଷ ଶେଷ ଆଡ଼କୁ ଅନୁଷ୍ଠିତ ହୋଇଥିବା କାତାର ଇଣ୍ଟରନ୍ୟାଶନାଲ କପ୍‌ ଓ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟରେ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ।

Share