Categories: ଖେଳ

ଅଲିମ୍ପିକ ଚାମ୍ପିୟନ ଜ୍ୟାକ୍ସଙ୍କ ପରଲୋକ

ପ୍ୟାରିସ, ୫।୧୧ (ଏଏଫ୍‌ପି)- ଫ୍ରେଞ୍ଚ୍‌ ସାଇକ୍ଲିଷ୍ଟ ତଥା ୧୯୪୮ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ଜ୍ୟାକ୍ସ ଡୁପୋଣ୍ଟଙ୍କ ବିୟୋଗ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ସେ ଫ୍ରାନ୍ସର ସାଉଥ୍‌-ଓ୍ବେଷ୍ଟ ଲେଜାଟ୍‌ ସୁର୍‌ ଲେଜେରେ ଜନ୍ମ ଗ୍ରହଣ କରିଥିଲେ। ଲଣ୍ଡନରେ ଅନୁଷ୍ଠିତ ୧୯୪୮ ଅଲିମ୍ପିକ୍‌ କ୍ରୀଡ଼ାରେ ଅଗଷ୍ଟ ୧୧ରେ ସେ ସାଇକ୍ଲିଂରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେତେବେଳେ ଜ୍ୟାକ୍ସଙ୍କୁ ୨୦ ବର୍ଷ ହୋଇଥିବାବେଳେ ସେ ୧୦୦୦ ମିଟର ଟାଇମ୍‌ ଟ୍ରାଏଲ୍‌ରେ ବେଲଜିୟମର ପିଏରେ ନିହାନ୍ତଙ୍କୁ ଗୋଟିଏ ସେକେଣ୍ଡ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଥିଲେ। ବ୍ରିଟନ୍‌ ଟୋମି ଗଡ୍‌ଓ୍ବିନଙ୍କୁ ବ୍ରୋଞ୍ଜ ପଦକ ମିଳିଥିଲା। ଏହି ରେସ୍‌ ଫିଲ୍ଡରେ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏହାର ୨ ଦିନ ପରେ ରୋଡ୍‌ରେ ହୋଇଥିବା ୨୦୦୦ ମିଟର ବ୍ୟକ୍ତିଗତ ଓ ଟିମ୍‌ ଇଭେଣ୍ଟ ରେସ୍‌ରେ ଜ୍ୟାକ୍ସଙ୍କୁ ମିଶ୍ରିତ ସଫଳତା ମିଳିଥିଲା। ବ୍ୟକ୍ତିଗତ ଇଭେଣ୍ଟରେ ସେ ୧୭ତମ ସ୍ଥାନରେ ରହିଥିଲେ। କିନ୍ତୁ ଟିମ୍‌ ଇଭେଣ୍ଟରେ ସେ ଫ୍ରାନ୍ସକୁ ବ୍ରୋଞ୍ଜ ପଦକ ଜିତାଇବାରେ ସହାୟକ ହୋଇଥିଲେ। ଜ୍ୟାକ୍ସଙ୍କ ସମେତ ଜୋସ ବେୟର୍ଟ ଓ ଆଲାଇନ ମୋଇନେଉଙ୍କୁ ନେଇ ଫ୍ରାନ୍ସ ଟିମ୍‌ ଗଠିତ ହୋଇଥିଲା। ଡୁପୋଣ୍ଟ ୧୯୫୪ରେ ଫ୍ରାନ୍ସ ଚାମ୍ପିୟନଶିପ୍‌ ଏବଂ ୧୯୫୧ ଓ ୧୯୫୫ରେ ସମ୍ମାନଜନକ ପ୍ୟାରିସ-ଟୁର୍‌ ଟାଇଟଲ୍‌ ଜିତିଥିଲେ।

Share