ଅଲେଖଗୁଡା: ଯେଉଁଠି ଲେଖା ହୋଇପାରୁନି ବିକାଶର ଭାଗ୍ୟରେଖା

କୋରୁକୋଣ୍ଡା, ୧୬ା୨(ଡି. ଏନ.ଏ.)  ମାଲକାନଗିରି ଜିଲାରେ ଏପରି ଗ୍ରାମ ରହିଛି ଯେଉଁଠି ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପହଞ୍ଚତ୍ପାରିନାହିଁ। ଜିଲାର କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତାପାରି-୩ ପଞ୍ଚାୟତର ଅଲେଖଗୁଡା ଗ୍ରାମ ହେଉଛି ଏହାର ଉଦାହରଣ। ଏହି ଗ୍ରାମରେ ୧୩ଟି ପରିବାରର ୫୦ରୁ ଊର୍ଦ୍ଧ୍ୱ ଲୋକେ ବସବାସ କରୁଛନ୍ତି। ପୂର୍ବରୁ ଗ୍ରାମବାସୀ କୁଡୁମୁଲୁଗୁମ୍ମା ନିକଟସ୍ଥ ବଡ ଆଖିଆଗୁଡା ଗ୍ରାମରେ ବସବାସ କରୁଥିଲେ। ଯାତାୟାତରେ ଅସୁବିଧା ଓ ବନ୍ୟଜନ୍ତୁ ଭୟ ଯୋଗୁ ସେମାନେ କୋରୁକୋଣ୍ଡା ବ୍ଲକର ଅଲେଖଗୁଡା ଗ୍ରାମକୁ ଚାଲିଆସିଥିଲେ। ୧୨ ବର୍ଷ ହେଲା ଏହି ଗ୍ରାମରେ ବସବାସ କରୁଥିଲେ ମଧ୍ୟ ସେମାନଙ୍କ ଉନ୍ନତି ପାଇଁ ପ୍ରଶାସନ ଗୁରୁତ୍ୱ ଦେଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆଧାର କାର୍ଡ, ଭୋଟର କାର୍ଡ, ରାଶନ କାର୍ଡ ଭଳି ମୌଳିକ ସୁବିଧାରୁ ବଞ୍ଚତ୍ତ ହୋଇ ରହିଛନ୍ତି। ଫଳରେ ସେମାନେ ବିଭିନ୍ନ ସରକାରୀ ଯୋଜନାରୁ ସୁବିଧା ପାଉନାହାନ୍ତି। ଆବଶ୍ୟକ ପ୍ରମାଣପତ୍ର ନ ଥିବାରୁ ପାଖପାଖି ୪ ଜଣ ଦିବ୍ୟାଙ୍ଗ ଭତ୍ତା ମଧ୍ୟ ପାଇପାରୁନାହାନ୍ତି। ଗ୍ରାମରେ ଥିବା ବୃଦ୍ଧାବୃଦ୍ଧ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ପାଉ ନ ଥିବା ଜଣାପଡିଛି। ଗାଁକୁ ଯିବା ପାଇଁ ପକ୍କା ରାସ୍ତାଟିଏ ନାହିଁ। ନିର୍ମାଣାଧୀନ କଲଭର୍ଟ ଦୀର୍ଘ ଦିନ ଧରି ଅଧାପନ୍ତରିଆ ଅବସ୍ଥାରେ ପଡିଛି। ବର୍ଷା ଦିନେ ଲୋକେ ଏହି କଲଭର୍ଟ ଉପରେ କାଠଗଣ୍ଡି ପକାଇ ଯାତାୟାତ କରିଛନ୍ତି। ଫଳରେ ବର୍ଷା ଋତୁସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପାନୀୟ ଜଳ ପାଇଁ ଗ୍ରାମରେ ଏକ ନଳକୂପ ଖନନ ରହିଛି। ସେଥିରୁ ଲୌହ ମିଶ୍ରିତ ପାଣି ବାହାରୁଥିବାରୁ ତାହା ପାନୀୟ ଉପଯୋଗୀ ନୁହେଁ। ଗ୍ରାମବାସୀ ଗ୍ରାମର ଶେଷମୁଣ୍ଡରେ ଥିବା ପାହାଡ଼ ତଳେ ମାଟି ଖୋଳି ଏକ ଚୁଆ ପ୍ରସ୍ତୁତ କରି ସେଠାରୁ ପାଣି ଆଣି ବ୍ୟବହାର କରୁଛନ୍ତି। କେବେ କେବେ ପାଣି ଆଣିବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହେବା ନଜିର ମଧ୍ୟ ରହିଛି। ବ୍ଲକ ପ୍ରଶାସନରୁ ଅଳ୍ପ ଦୂରରେ ଗ୍ରାମଟି ରହିଥିଲେ ସୁଦ୍ଧା ପ୍ରଶାସନ ଗ୍ରାମର ବିକାଶ ପାଇଁ କୌଣସି ପଦକ୍ଷେପ ନେଉନାହିଁ। ବ୍ଲକ ନିକଟସ୍ଥ ଗ୍ରାମ ଅବସ୍ଥା ଯଦି ଏପରି ତେବେ ବ୍ଲକଠାରୁ ଦୂରରେ ଥିବା ଗ୍ରାମଗୁଡିକର ଅବସ୍ଥା ସହଜରେ ଅନୁମେୟ। ଗ୍ରାମବାସୀଙ୍କ ସମସ୍ୟା ସମାଧାନ ପାଇଁ ସାଧାରଣରେ ଦାବି ହେଉଛି। ଏନେଇ କୋରୁକୋଣ୍ଡା ବିଡିଓ ଦାଶରଥି ସରବୁଙ୍କୁ ପଚାରିବାରୁ ସେ କହିଲେ ଯେ, ଅଲେଖଗୁଡା ଗ୍ରାମ ସମସ୍ୟା ପ୍ରତି ଅବଗତ ଅଛି। ଖୁବ୍‌ ଶୀଘ୍ର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

Share