Categories: ଖେଳ

ଅଲୋଡ଼ା ରେକର୍ଡ :ଚନ୍ଦ୍ରଶେଖରଙ୍କ ସମକକ୍ଷ ହେଲେ ଶାମି

କିଙ୍ଗଷ୍ଟନ, ୨।୯- ଏଠାରେ ଚାଲିଥିବା ଘରୋଇ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ତଥା ୨ୟ ଟେଷ୍ଟ ମ୍ୟାଚ୍‌ ଅବସରରେ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ଏକ ଅଲୋଡ଼ା ରେକର୍ଡ ତାଲିକାରେ ନିଜ ନାମକୁ ଯୋଡ଼ିଛନ୍ତି। ଭାରତୀୟ ବ୍ୟାଟିଂର ପ୍ରଥମ ଇନିଂସରେ ଶାମି ଖାତା ଖୋଲିବା ପୂର୍ବରୁ ଓ୍ବେଷ୍ଟଇଣ୍ଡିଜର ପୃଥଳାକାୟ ସ୍ପିନର ରଖିମ କର୍ନଓ୍ବାଲଙ୍କ ବଲରେ ଉଇକେଟ୍‌କିପରଙ୍କ ହାତରେ ଧରାପଡ଼ିଥିଲେ। ଏଥିସହ ଶାମି ଟେଷ୍ଟ ମ୍ୟାଚ୍‌ର କ୍ରମାଗତ ୬ଟି ଇନିଂସରେ ଖାତା ଖୋଲିବାରେ ବିଫଳ ହୋଇଛନ୍ତି। ଭାରତ ପକ୍ଷରୁ ଟେଷ୍ଟରେ କ୍ରମାଗତ ଇନିଂସରେ ‘ଶୂନ’ରେ ଆଉଟ୍‌ ହୋଇଥିବା ବ୍ୟାଟ୍ସମ୍ୟାନ ଭାବେ ସେ ପୂର୍ବତନ ସ୍ପିନର ଭଗଓ୍ବତ ଚନ୍ଦ୍ରଶେଖରଙ୍କ ସହ ସମକକ୍ଷ ହୋଇଛନ୍ତି। ଚନ୍ଦ୍ରଶେଖର ମଧ୍ୟ ତାଙ୍କ କ୍ୟାରିୟରରେ କ୍ରମାଗତ ୬ ଟେଷ୍ଟ ଇନିଂସରେ ଖାତା ଖୋଲିପାରି ନ ଥିଲେ। ଶାମି ଏହିକ୍ରମରେ ଅଜିତ୍‌ ଅଗରକର (୫ଥର)ଙ୍କୁ ପଛରେ ପକାଇ ଦେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ୨ୟ ମ୍ୟାଚ୍‌ରୁ ଶାମି ଏହି ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛନ୍ତି। ମୋଟ୍‌ ୬ରୁ ଶାମି ୪ଥର ୦ରେ ଆଉଟ୍‌ ହୋଇଥିବାବେଳେ ୨ଥର କୌଣସି ରନ୍‌ ନ କରି ଅପରାଜିତ ରହିଥିଲେ।

Share