Categories: ଖେଳ

ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌: ଲକ୍ଷ୍ୟ ଆଗେଇଲେ, ସାଇନା, ପ୍ରଣୀଥ୍‌ ନିରାଶ

ବର୍ମିଂହାମ୍‌, ୧୨।୩ (ପି.ଟି.)- ଏଠାରେ ଚାଲିଥିବା ସମ୍ମାନଜନକ ଅଲ୍‌ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଭାରତର ଲକ୍ଷ୍ୟ ସେନ୍‌ ଦମ୍‌ଦାର ଆରମ୍ଭ କରିଛନ୍ତି। କ୍ୟାରିୟରର ପ୍ରଥମ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ ସିରିଜ-୧୦୦୦ ଟୁର୍ନାମେଣ୍ଟ ଖେଳୁଥିବା ଲକ୍ଷ୍ୟ ୧୭-୨୧, ୨୧-୮, ୨୧-୧୭ ଗେମ୍‌ରେ ବିଶ୍ୱ ମାନ୍ୟତାର ଅଷ୍ଟାଦଶ ସ୍ଥାନରେ ରହିଥିବା ହଂକଂର ଲି ଚେଉକ୍‌ ୟିଉଙ୍କୁ ହରାଇ ଦେଇଛନ୍ତି। ୧୮ ବର୍ଷୀୟ ଲକ୍ଷ୍ୟ ଦ୍ୱିତୀୟ ରାଉଣ୍ଡରେ ବିଶ୍ୱ ମାନ୍ୟତାର ୨ୟ ସ୍ଥାନରେ ରହିଥିବା ନେଦରଲାଣ୍ଡ୍ସର ଭିକ୍ଟର ଏକ୍ସସେଲ ସେନ୍‌ଙ୍କୁ ଭେଟିବେ। ତେବେ ମହିଳା ସିଙ୍ଗଲ୍ସରେ ଭାରତକୁ ନିରାଶ ହେବାକୁ ପଡ଼ିଛି। ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା ନେହ୍ବାଲଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ସାଇନା ପ୍ରଥମ ରାଉଣ୍ଡରୁ ହିଁ ବିଦାୟ ନେଇଛନ୍ତି। ବିଶ୍ୱ ମାନ୍ୟତାର ୩ୟ ସ୍ଥାନରେ ରହିଥିବା ଜାପାନର ଏକାନେ ୟାମାଗୁଚି ୨୧-୧୧, ୨୧-୮ ସିଧାସଳଖ ଗେମ୍‌ରେ ସାଇନାଙ୍କୁ ହରାଇଛନ୍ତି। ଫଳରେ ୟାମାଗୁଚିଙ୍କଠାରୁ ସାଇନା କ୍ରମାଗତ ୩ୟ ପରାଜୟବରଣ କରିଛନ୍ତି। ଏହି ପରାଜୟ ସହ ସାଇନା ସିଜନରେ ୫ମ ଟୁର୍ନାମେଣ୍ଟରୁ ୩ୟ ଥର ପାଇଁ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଅପରପକ୍ଷରେ ପୁରୁଷ ସିଙ୍ଗଲ୍ସରେ ବି. ସାଇ ପ୍ରଣୀଥ୍‌ ମଧ୍ୟ ପ୍ରଥମ ରାଉଣ୍ଡରୁ ହାରିଯାଇଛନ୍ତି। ପ୍ରଣୀଥ୍‌ଙ୍କୁ ୧୨-୨୧, ୧୩-୨୧ରେ ଚାଇନାର ଝାଓ ଜେନ୍‌ପେଙ୍ଗ୍‌ ପରାସ୍ତ କରିଛନ୍ତି। ଏଥିପୂର୍ବରୁ ପି.ଭି. ସିନ୍ଧୁ ପ୍ରଥମ ରାଉଣ୍ଡ ବିଜୟ ହାସଲ କରିଥିବାବେଳେ କିଡାମ୍ବୀ ଶ୍ରୀକାନ୍ତଙ୍କୁ ନିରାଶ ହେବାକୁ ପଡ଼ିଥିଲା।

Share