ଅଲ ଇଣ୍ଡିଆ ଓପନ୍‌ ଚେସ୍‌: ଶୀର୍ଷରେ ଗୁସେନ

କଟକ ଅଫିସ,୨୦ା୪- ଟ୍ରିପଲ ସି’ ଚେସ୍‌ କ୍ଲବ ଆନୁକୂଲ୍ୟରେ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୪ର୍ଥ ଅଲ ଇଣ୍ଡିଆ ଓପନ ଚେସ୍‌ ଚାମ୍ପିୟନଶିପରେ ଶୁକ୍ରବାର ତୃତୀୟ ଦିବସ ଖେଳ ଶେଷ ହୋଇଛି। ୬ ରାଉଣ୍ଡ ଖେଳ ଶେଷ ସୁଦ୍ଧା ଇଣ୍ଟରନ୍ୟାଶନାଲ ମାଷ୍ଟର (ଆଇଏମ) ଗୁସେନ ହିମାଲ ୫.୫ ପଏଣ୍ଟ ପାଇ ଶୀର୍ଷରେ ରହିଛନ୍ତି। ସମାନ ପଏଣ୍ଟ ପାଇ ଗୁସେନଙ୍କ ପଛକୁ ରହିଛନ୍ତି ପ୍ରତିଯୋଗିତାର ଟପ୍‌ସିଡ ଖେଳାଳି ତଥା ଗ୍ରାଣ୍ଡମାଷ୍ଟର ଆର୍‌.ଆର. ଲକ୍ଷ୍ମଣ। ୪ର୍ଥ ରାଉଣ୍ଡ ଶେଷ ସୁଦ୍ଧା ଅଗ୍ରଣୀ ରହିଥିବା ଓଡ଼ିଶାର ଆଇଏମ୍‌ ରାକେଶ କୁମାର ଜେନା ୫.୫ ପଏଣ୍ଟ ସହ ୩ୟ ସ୍ଥାନରେ ରହିଛନ୍ତି। ୫ମ ରାଉଣ୍ଡରେ ରାକେଶ ପଶ୍ଚିମବଙ୍ଗର ଆୟୁଷ ଝାଙ୍କୁ ହରାଇଥିଲେ। ୬ଷ୍ଠ ରାଉଣ୍ଡରେ ରାକେଶଙ୍କର ମୁକାବିଲା ହୋଇଥିଲା ଗ୍ରାଣ୍ଡମାଷ୍ଟର ଲକ୍ଷ୍ମଣଙ୍କ ସହ । ଏହି ମ୍ୟାଚ୍‌ଟି ଅମୀମାଂସିତ ରହିଥିବା ବେଳେ ଉଭୟ ୦.୫ ପଏଣ୍ଟ ଲେଖାଏ ବାଣ୍ଟି ନେଇଥିଲେ। ଆନ୍ଧ୍ରପ୍ରଦେଶର ଭି. ତୋଶାଳୀ ମଧ୍ୟ ୫.୫ ପଏଣ୍ଟ ସହ ୪ର୍ଥ ସ୍ଥାନରେ ଅଛନ୍ତି । ୫ ପଏଣ୍ଟ ହାସଲ କରି ୧୫ ଜଣ ପ୍ରତିଯୋଗୀ ୫ମରୁ ୧୯ତମ ସ୍ଥାନ ମଧ୍ୟରେ ଅଛନ୍ତି। ଓଡ଼ିଶାର ଅନ୍ୟତମ ଆଇଏମ୍‌ ଅନ୍ବେଷ ଉପାଧ୍ୟାୟ ୪ ପଏଣ୍ଟ ପାଇବା ସହ ୩୨ତମ ସ୍ଥାନକୁ ଖସିଛନ୍ତି। ୪ ରାଉଣ୍ଡ ଶେଷ ସୁଦ୍ଧା ସେ ୩.୫ ପଏଣ୍ଟ ପାଇ ୧୦ମ ସ୍ଥାନରେ ଥିଲେ। ୫ମ ରାଉଣ୍ଡରେ ପଶ୍ଚିମବଙ୍ଗର ରୂପମ ମୁଖାର୍ଜୀଙ୍କ ସହ ମୁକାବିଲା ହୋଇଥିଲା। ମ୍ୟାଚ୍‌ଟି ଅମୀମାଂସିତ ରହିଥିବା ବେଳେ ୦.୫ ପଏଣ୍ଟ ହାସଲ କରିଥିଲେ ଅନ୍ବେଷ। ଷଷ୍ଠ ରାଉଣ୍ଡରେ ଆନ୍ଧ୍ରପ୍ରଦେଶର ଭି. ତୋଷାଳୀଙ୍କଠାରୁ ଅନ୍ବେଷ ପରାସ୍ତ ହୋଇଥିଲେ।

Share