Categories: ଖେଳ

ଅଲ ଇଣ୍ଡିଆ ଓପନ ଚେସ୍‌: ଶୀର୍ଷରେ ରାକେଶ

କଟକ ଅଫିସ,୧୯ା୪- ଟ୍ରିପଲ ସି’ ଚେସ୍‌ କ୍ଲବ ଆନୁକୂଲ୍ୟରେ ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୪ର୍ଥ ଅଲ ଇଣ୍ଡିଆ ଓପନ ଚେସ୍‌ ଚାମ୍ପିୟନଶିପରେ ଗୁରୁବାର ସୁଦ୍ଧା ଟୁର୍ନାମେଣ୍ଟର ୪ ରାଉଣ୍ଡ ଖେଳ ଶେଷ ହୋଇଛି । ଓଡ଼ିଶାର ଇଣ୍ଟରନ୍ୟାଶନାଲ ମାଷ୍ଟର (ଆଇଏମ୍‌) ରାକେଶ କୁମାର ଜେନା ୪ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛନ୍ତି । ଗୁରୁବାର ଖେଳାଯାଇଥିବା ୩ୟ ରାଉଣ୍ଡରେ ରାକେଶ ରୁଦ୍ରନାରାୟଣଙ୍କୁ ଓ ୪ର୍ଥ ରାଉଣ୍ଡରେ ସୟନ ବଣିକଙ୍କୁ ହରାଇଥିଲେ। ପୂର୍ବରୁ ପ୍ରଥମ ରାଉଣ୍ଡରେ ରାକେଶ ପଶ୍ଚିମବଙ୍ଗର ଅନୁରାଗ ସରକାରଙ୍କୁ ଓ ଦ୍ୱିତୀୟ ରାଉଣ୍ଡରେ ପଶ୍ଚିମବଙ୍ଗର ସୌମ୍ୟା ଦାସଙ୍କୁ ହରାଇଥିଲେ। ଟୁର୍ନାମେଣ୍ଟର ଟପସିଡ଼ ଖେଳାଳି ଚେନ୍ନାଇ ପ୍ରତିଯୋଗୀ ତଥା ଗ୍ରାଣ୍ଡ ମାଷ୍ଟର ଆର୍‌.ଆର୍‌ ଲକ୍ଷ୍ମଣ ୪ ପଏଣ୍ଟ ପାଇ ସୁଦ୍ଧା ୯ମ ସ୍ଥାନରେ ରହିଛନ୍ତି  । ଲକ୍ଷ୍ମଣ ୩ୟ ରାଉଣ୍ଡରେ ଶୁଭମ ରାୟଙ୍କୁ ଓ ୪ର୍ଥ ରାଉଣ୍ଡରେ ଆୟୁଷ ରବିକୁମାରଙ୍କୁ ପରାସ୍ତ କରିଥିଲେ । ଓଡ଼ିଶାର ଅନ୍ୟତମ ଇଣ୍ଟରନ୍ୟାସନାଲ ମାଷ୍ଟର ଖେଳାଳି ଅନ୍ବେଶ ଉପାଧ୍ୟାୟ ୪ ରାଉଣ୍ଡ ଶେଷ ସୁଦ୍ଧା ୩.୫ ପଏଣ୍ଟ ପାଇ ୧୦ମ ସ୍ଥାନରେ ରହିଛନ୍ତି । ପ୍ରଥମ ଦୁଇ ରାଉଣ୍ଡରେ ବିଜୟ ହୋଇଥିବା ଅନ୍ବେଷ ୩ୟ ରାଉଣ୍ଡରେ ଅଶ୍ୱିନୀ କୁମାର ଗ୍ରୋଭରଙ୍କୁ ପରାସ୍ତ କରି ପଏଣ୍ଟ ସଂଖ୍ୟାରେ ୧ ବୃଦ୍ଧି କରିଥିଲେ । ମହମ୍ମଦ ଅନିଶଙ୍କ ସହ ଖେଳିଥିବା ୪ର୍ଥ ରାଉଣ୍ଡ ଅମୀମାସିଂତ ରହିବା ଫଳରେ ଅନ୍ବେଷ ୩.୫ ପଏଣ୍ଟ ପାଇଛନ୍ତି । ବୁଧବାରଠାରୁ ଆରମ୍ଭ ହୋଇଥିବା ୯ ରାଉଣ୍ଡ ବିଶିଷ୍ଟ ଏହି ଟୁର୍ନାମେଣ୍ଟ ଆସନ୍ତା ରବିବାର ଉଦ୍‌ଯାପିତ ହେବ ।

Share