Categories: ଖେଳ

ଅଲ ଓଡ଼ିଶା ବିଲିୟାଡର୍‌ସ, ସ୍ନୁକର: ସୁବ୍ରତ-କୁନାଲ ଫାଇନାଲ

ଭୁବନେଶ୍ୱର, ୨୧।୧୧(କ୍ରୀଡ଼ା ପ୍ରତିନିଧି)- ବିଲିୟାର୍ଡସ ଆଣ୍ଡ ସ୍ନୁକର ଆସୋସିଏଶନ ଅଫ ଓଡ଼ିଶା(ବିଏସ୍‌ଏଓ) ଓ ଓଡ଼ିଶା ମାଇନିଂ କର୍ପୋରେଶନର ମିଳିତ ଆନୁକୂଲ୍ୟରେ କଟକ କ୍ଲବଠାରେ ଚାଲିଥିବା ୨୬ତମ ଅଲ ଓଡ଼ିଶା ବିଲିୟାର୍ଡସ ଓ ସ୍ନୁକର ରାଜ୍ୟ ର଼୍ୟାଙ୍କିଂ ଚାମ୍ପିୟନଶିପର ତୃତୀୟ ଦିବସ ଖେଳ ଶେଷ ହୋଇଛି। ଏଥିସହ ସିନିୟର ବିଲିୟାଡର୍‌ସ ଫାଇନାଲରେ ସୁବ୍ରତ ଦାସ ଓ କୁନାଲ ଅଗ୍ରଓ୍ବାଲଙ୍କ ମଧ୍ୟରେ ଫାଇନାଲ ସ୍ପଷ୍ଟ ହୋଇଛି। ବୁଧବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ସୁବ୍ରତ ୩-୦ ଫ୍ରେମ୍‌ରେ ଅବିନାଶ ମହାପାତ୍ରଙ୍କୁ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ ସଂଘର୍ଷପୂର୍ଣ୍ଣ ଦ୍ୱିତୀୟ ସେମିରେ କୁନାଲ ୩-୨ ଫ୍ରେମ୍‌ରେ ଆଶୁତୋଷ ପାଢ଼ୀଙ୍କୁ ହରାଇ ଟାଇଟଲ ମୁକାବିଲାରେ ପହଞ୍ଚତ୍ଛନ୍ତି। ଫାଇନାଲ ଗୁରୁବାର ଅନୁଷ୍ଠିତ ହେବ। ସୁବ୍ରତ ଗତ ୨ ବର୍ଷ ଧରି କ୍ରମାଗତ ଚାମ୍ପିୟନ ହୋଇ ଆସୁଛନ୍ତି। ଏଥର ଯଦି ତାହାର ପୁନରାବୃତ୍ତି ହୁଏ ତେବେ ସେ ହ୍ୟାଟ୍ରିକ କରିବେ ଏବଂ ମୋଟ ୯ ଥରପାଇଁ ବିଲିୟାଡର୍‌ସ ଟାଇଟଲ ହାସଲ କରିବେ। ସିନିୟର ସ୍ନୁକର ପ୍ରତିଯୋଗିତା ବୁଧବାର ଆରମ୍ଭ ହୋଇଛି। ଏଥିରେ ଜଗଦୀଶ ମହାନ୍ତି ୩-୧ରେ ନିଶି ପ୍ରକାଶ ଦାସ, ଅମିୟ ରଞ୍ଜନ ନାୟକ ୩-୧ରେ ଶ୍ୟାମ ଅଗ୍ରଓ୍ବାଲ, ମହମ୍ମଦ ରାଜା ୩-୦ରେ ମିଶାଲ ସ୍ବାଇଁ ଏବଂ ନିଶାନ୍ତ ବିଶ୍ୱାଳ ୩-୦ରେ ସତୃଦୀପ ଦାସଙ୍କୁ ହରାଇ ଅଭିଯାନ ଆରମ୍ଭ କରିଛନ୍ତି।

Share