ଅଳିଆ ପକାଇବାକୁ କେନ୍ଦ୍ରକରି ଦୁଇ ପରିବାର ମୁହାଁମୁହିଁ

ଭୁବନେଶ୍ୱର,୬ା୧(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ସମେଇ ଗାଡିଆ ଅଞ୍ଚଳରେ ଅଳିଆ ପକାଇବାକୁ କେନ୍ଦ୍ରକରି ଦୁଇ ପରିବାର ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପରିବାରର ଭୁଜାଲି ଓ ରଡ଼୍‌ ଆକ୍ରମଣରେ ଅନ୍ୟ ପରିବାର ୪ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ଉପେନ୍ଦ୍ର ବେହେରା, ପୁଅ ସୁକାନ୍ତ, ସୁମନ୍ତ ଓ ସୁଷମା। ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହେବାପରେ ପୋଲିସ ମାମଲା ରୁଜୁ କରି ଚୁପ୍‌ ବସିବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶନିବାର ସକାଳେ ଘଟଣା ଘଟିଥିଲେ ମଧ୍ୟ ରବିବାର ସନ୍ଧ୍ୟାସୁଦ୍ଧା ପୋଲିସ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିନାହିଁ। ଏହାକୁ ନେଇ ସମେଇଗାଡିଆ ଅଞ୍ଚଳର ବହୁ ଲୋକ ଥାନା ଆଗରେ ହୋହଲ୍ଲା କରିବା ସହ ପୋଲିସର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ଅଭିଯୋଗ ଅନୁଯାୟୀ, ସମେଇଗାଡିଆ ପ୍ଲଟ ନଂ.୩୨୮ରେ ସୁମନ୍ତ ବେହେରା (୩୦) ପରିବାର ସହ ରୁହନ୍ତି। ଗତ ୪ ତାରିଖ ସକାଳୁ ସୁମନ୍ତ ବେହେରାଙ୍କ ଘର ଆଗରେ ପଡୋଶୀ ରମେଶଚନ୍ଦ୍ର ବେହେରା କିଛି ଅଳିଆ ପକାଇଥିଲେ। ସୁମନ୍ତଙ୍କ ବାପା ଉପେନ୍ଦ୍ର ପ୍ରତିବାଦ କରିବାରୁ ରମେଶ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ରମେଶ, ପୁଅ ବିଶ୍ୱଜିତ, ସ୍ତ୍ରୀ ଓ ଝିଅ ଭୁଜାଲି ଏବଂ ରଡ଼ ଆଣି ସୁମନ୍ତଙ୍କ ବାପାଙ୍କୁ ଆକ୍ରମଣ କରିଥିଲେ। ବାପାଙ୍କ ପାଟିଶୁଣି ପୁଅ ସୁମନ୍ତ, ମା ଓ ଭାଇ ସୁକାନ୍ତ ଘଟଣା ସ୍ଥଳକୁ ଦୌଡି ଆସି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅଭିଯୁକ୍ତମାନେ ସମସ୍ତଙ୍କୁ ଆକ୍ରମଣ କରିଥିଲେ। ପରିବାରର ୪ଜଣ ରକ୍ତାକ୍ତ ଅବସ୍ଥାରେ ପଡିଥିବାବେଳେ ପଡୋଶୀମାନେ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

Share