ଅଶାନ୍ତ ଚାନ୍ଦପୁର ମୋହନ ମହିଳା ମହାବିଦ୍ୟାଳୟ: କଲେଜ ଅନିର୍ଦ୍ଦିଷ୍ଟ କାଳ ସାଇନ-ଏ-ଡାଏ

ନୟାଗଡ଼ ଅଫିସ/ରଣପୁର (ସ୍ବ.ପ୍ର.),୨୮।୭-ଅଶାନ୍ତ ପାଲଟିଛି ନୟାଗଡ଼ ଜିଲା ରଣପୁର ବ୍ଲକ ଚାନ୍ଦପୁର ମୋହନ ମହିଳା ମହାବିଦ୍ୟାଳୟ । ଏ ନେଇ ଅଧ୍ୟକ୍ଷା ଅନିର୍ଦ୍ଦିଷ୍ଟ କାଳ ପାଇଁ ମହାବିଦ୍ୟାଳୟକୁ ସାଇନ-ଏ-ଡାଏ ଘୋଷଣା କରିଛନ୍ତି।

ଜଣେ ଅଧ୍ୟାପକ ଛାତ୍ରୀମାନଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରି ଶୁକ୍ରବାର ଗୋଟିଏ ଗୋଷ୍ଠୀର ଛାତ୍ରୀମାନେ ମହାବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଛାତ୍ରୀମାନେ ଧାରଣାରେ ବସି ରହି ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଡ଼ି ବସିଥିଲେ। ଏହା ପରେ କଲେଜ ଅଧ୍ୟକ୍ଷା ଝରଣା ସାହୁ ସେମାନଙ୍କୁ ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିଲା। ଶୁକ୍ରବାର ରାତିରେ ମହାବିଦ୍ୟାଳୟରେ ବୈଠକ ବସି ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଧ୍ୟକ୍ଷା ମହାବିଦ୍ୟାଳୟକୁ ସାଇନ-ଏ- ଡାଏ ଘୋଷଣା କରିଥିଲେ। ସାଇନ-ଏ-ଡାଏ ଘୋଷଣା ହୋଇଥିଲେ ମଧ୍ୟ ଶନିବାର ଅନ୍ୟ ଏକ ଗୋଷ୍ଠୀର ଛାତ୍ରୀମାନେ ଆଉ ଜଣେ ଅଧ୍ୟାପକ ସେମାନଙ୍କୁ ଅସଦାଚରଣ କରିବା ସହ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରି ଧାରଣାରେ ବସିଥିଲେ। ସକାଳ ୧୦ଟାରୁ ଛାତ୍ରୀମାନେ ଫାଟକ ସମ୍ମୁଖରେ ଧାରଣାରେ ବସି ରହି ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଦ୍‌ ଧରି ବସିଥିଲେ। ଅପରାହ୍ନ ୪ଟାରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଆସି ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେବା ପରେ ଛାତ୍ରୀମାନେ ଧାରଣାରୁ ଓହରିଥିଲେ।

ସୂଚନାଯୋଗ୍ୟ, ଉକ୍ତ ମହାବିଦ୍ୟାଳୟର ଦୁଇଜଣ ଅଧ୍ୟାପକ ଛାତ୍ରୀମାନଙ୍କୁ ବାହାରେ ଟିଉଶନ କରନ୍ତି। ଏହି ଘଟଣାକୁ କେନ୍ଦ୍ର କରି ଦୁଇ ଅଧ୍ୟାପକ ସମର୍ଥକ ଛାତ୍ରୀ ଗୋଷ୍ଠୀଙ୍କ ମଧ୍ୟରେ ଏପରି ଅସନ୍ତୋଷ ଦେଖାଦେଇଛି। ସମ୍ପୃକ୍ତ ଅଧ୍ୟାପକମାନେ ମହାବିଦ୍ୟାଳୟରେ କ୍ଲାସ ଚାଲୁଥିବାବେଳେ ଛାତ୍ରୀମାନଙ୍କୁ ଡାକି କାହିଁକି ତାଙ୍କ ନିକଟକୁ ଟିଉଶନ ହେବା ପାଇଁ ଯାଉନାହାନ୍ତି କହି ମାନସିକ ନିର୍ଯାତନା ଦିଅନ୍ତି। ସେହିଭଳି କେତେକ ଛାତ୍ରୀ ସମ୍ପୃକ୍ତ ଦୁଇ ଅଧ୍ୟାପକ ସେମାନଙ୍କୁ ଅସଦାଚରଣ କରୁଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି। ଗୋଟିଏ ଗୋଷ୍ଠୀ ଛାତ୍ରୀମାନେ ଗତ ୨୨ ତାରିଖରେ ଇଂଲିଶ ବିଭାଗର ଜଣେ ଅଧ୍ୟାପକ ଓ ଅନ୍ୟ ଏକ ଗୋଷ୍ଠୀର ଛାତ୍ରୀମାନେ ଗତ ୨୫ ତାରିଖରେ ସୋସିଓଲୋଜି ବିଭାଗର ଜଣେ ଅଧ୍ୟାପକଙ୍କ ବିରୋଧରେ କଲେଜ ଅଧ୍ୟକ୍ଷାକୁ ଲିଖିତ ଭାବେ ଅଭିଯୋଗ କରିଥିଲେ। ହେଲେ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ସେମାନେ ଧାରଣା ଦେଇଥିବା ଛାତ୍ରୀମାନେ ପ୍ରକାଶ କରିଛନ୍ତି।

Share