ଅଶାନ୍ତ ସମୁଦ୍ର, ଲଗାଣ ବର୍ଷା: ପର୍ଯ୍ୟଟକ ଓ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୋଗରାଇ, ୨୬।୯(ଡି.ଏନ.ଏ.)- ଘୂର୍ଣ୍ଣିବଳୟ ପ୍ରଭାବରେ ମୌସୁମୀ ସକ୍ରିୟ ହୋଇଛି। ଏହାର ପ୍ରଭାବରେ ସୋମବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଭୋଗରାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗି ରହିଛି। ଗତ ବୁଧବାର ଭୋଗରାଇରେ ସର୍ବାଧିକ ୧୫୨.୩ ମି.ମି. ବର୍ଷା ହୋଇଥିବା ବେଳେ ଗୁରୁବାର ୧୫ମି.ମି. ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି। ସେହିପରି ଜଳେଶ୍ୱରରେ ୭ମି.ମି., ବାଲିଆପାଳରେ ୨୮ମି.ମି., ବସ୍ତାରେ ୨୧ମି.ମି. ସହ ଜିଲାରେ ସର୍ବମୋଟ୍‌ ୧୯୪.୬ ମି.ମି. ବର୍ଷା ହୋଇଥିବା ଜରୁରୀକାଳୀନ ଦପ୍ତରରୁ ସୂଚନା ମିଳିଛି। ଗୁରୁବାର ବର୍ଷାର ପରିମାଣ କମ୍‌ ଥିଲେ ମଧ୍ୟ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ଭୋଗରାଇର ସମୁଦ୍ରକୂଳିଆ ଗମ୍ଭାରିଆ, ଗାଜପୁର ସହିତ ଉତ୍ତର ଭୋଗରାଇର ବହୁ ତଳିଆ ଗାଁଗୁଡ଼ିକ ରାସ୍ତାରେ ପାଣି ପରିପୂର୍ଣ୍ଣ ହୋଇଥିବାରୁ ଗମନାଗମନରେ ବାଧା ଉପୁଜିଛି।
ଅବିଶ୍ରାନ୍ତ ବର୍ଷା ସାଙ୍ଗକୁ ଅମାବାସ୍ୟା ତିଥିରେ ସମୁଦ୍ର ଉତ୍ତାଳ ହୋଇଛି। ଜୁଆରିଆ ସମୁଦ୍ରର ଉତ୍ତାଳ ଢ଼େଉ କୂଳ ଆଡ଼କୁ ମାଡ଼ି ଆସି ସୁରକ୍ଷା ବନ୍ଧରେ ମାଡ ହେଉଥିବାରୁ ଦୀଘା-ଉଦୟପୁର-ତାଳସାରୀରେ ପର୍ଯ୍ୟଟକମାନେ ଭୟଭୀତ ହୋଇପଡିଛନ୍ତି। ସମୁଦ୍ରର ଉଗ୍ରରୂପ ଦେଖି ପ୍ରଶାସନ ପକ୍ଷରୁ ସମୁଦ୍ରକୁ ଯିବା ପାଇଁ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ଘୂର୍ଣ୍ଣିବଳୟ ଓ ମୌସୁମୀ ପ୍ରଭାବରେ ସୁବର୍ଣ୍ଣରେଖା ଉପରମୁଣ୍ଡରେ ଘାଟଶିଳାରେ ୧୫୦ମି.ମି., ଜାମଶୂଳା ୪୩.୮ମି.ମି., ଫେକଘାଟ ୬.୮ମି.ମି. ଓ ଜାମ୍‌ସେଦ୍‌ପୁରରେ ୨୫.୮ମି.ମି. ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି। ହେଲେ ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା ନାହଁି ବୋଲି ସେଚ ବିଭାଗ ସୂଚନା ଦିଆଯାଇଛି।